ସରୋଜ ମହାପାତ୍ର

ଛାତ୍ର ରାଜନୀତିରୁ ଆରପାରିକୁ ଯିବା ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲେ ଲୁଲୁ ମହାପାତ୍ର। ତାଙ୍କ ଶିରା ପ୍ରସିରାରେ କଂଗ୍ରେସର ରକ୍ତ ପ୍ରବାହିତ ହେଉଥିଲା। ହେଲେ ଲୁଲୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପଦ୍ମବନକୁ ଯିବା ପାଇଁ ଗୋଡ଼ କାଢ଼ିଛନ୍ତି। ତେବେ ଏହି ଫାୟାର ବ୍ରାଣ୍ଡ ନେତାଙ୍କ ପରିବାର ସହ ବିଜେପିର ନିବିଡ଼ତା କ’ଣ ସେ ସମ୍ପର୍କରେ ‘ଓଡ଼ିଶାଲାଇଭ୍’ର ବିସ୍ତୃତ ରିପୋର୍ଟ।

କଂଗ୍ରେସକୁ ନିଜର ସବୁକିଛି ଭାବି ନେଇଥିଲେ ଫାୟାରବ୍ରାଣ୍ଡ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ୍ ଲୁଲୁ। ଛାତ୍ର ରାଜନୀତିରୁ ଆରପାରିକୁ ଯିବା ପର୍ଯ୍ୟନ୍ତ ସେ କଂଗ୍ରେସକୁ ହିଁ ଭଲ ପାଉଥିଲେ। ତାଙ୍କ ଶିରା ପ୍ରସିରାରେ କଂଗ୍ରେସର ରକ୍ତ ପ୍ରବାହିତ ହେଉଥିଲା। ହେଲେ ଲୁଲୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପଦ୍ମବନକୁ ଢଳୁଛନ୍ତି। ଆସନ୍ତା ୧୪ ତାରିଖରେ ଲୁଲୁଙ୍କ ପରିବାର ସମେତ ତାଙ୍କ ଆଦର୍ଶରେ ଗଢ଼ା ହୋଇଥିବା ‘ଲୁଲୁ ସେନା’ର ସଦସ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚାକୁ ବାସ୍ତବ ରୂପ ଦେଇଛନ୍ତି ଲୁଲୁ ସେନାର ସଭାପତି ରାଜେନ୍ଦ୍ର ପଣ୍ଡା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଲୁଲୁ ପରିବାର ‘ପଦ୍ମ ବନ’କୁ ଯିବା ଏକରକମ୍ ନିଶ୍ଚିତ ହୋଇଯାଇଛି।
୨୦୧୬ରୁ ଲୁଲୁ-ଧର୍ମେନ୍ଦ୍ରଙ୍କ ଘନିଷ୍ଠତା
ସ୍ୱର୍ଗତ ଲୁଲୁ ମହାପାତ୍ର ତାଙ୍କ ରାଜନୀତି କ୍ୟାରିଅରରେ ବିଜେପିକୁ ଯିବାକୁ ଚାହିଁ ନଥିଲେ। ହେଲେ ଘଟଣାକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୁଲୁଙ୍କ ଘନିଷ୍ଠତା ବଢ଼ିଥିଲା। ଏହାକୁ ଆଧାର କରି ଏବେ ଲୁଲୁ ପରିବାର ବିଜେପି ଯିବାକୁ ମନ ବଳାଇଛନ୍ତି।
୨୦୧୬ ଜାନୁୟାରୀ ୧୧। ଏହି ଦିନ ହିଁ ଲୁଲୁ ଏବଂ ଧର୍ମେନ୍ଦ୍ରଙ୍କ ସମ୍ପର୍କ ଏକ ନୂଆ ମୋଡ଼ ନେଇଥିଲା। କଟକ ନଗର ଯୁବ ସଙ୍ଗଠନ ପକ୍ଷରୁ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଲୁଲୁ-ଧର୍ମେନ୍ଦ୍ର ଏକାଠି ହୋଇଥିଲେ। ଲୁଲୁ ମଞ୍ଚ ତଳେ ବସିଥିବା ବେଳେ ଧର୍ମେନ୍ଦ୍ର ମଞ୍ଚ ଉପରେ ଲୁଲୁଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଧର୍ମେନ୍ଦ୍ରଙ୍କ ମୁହଁରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଲୁଲୁଙ୍କ ପ୍ରଶଂସା କୁ ରାଜନୀତି ପର୍ଯ୍ୟବେକ୍ଷକ ଭିନ୍ନ ଦୃଷ୍ଟିରେ ଦେଖିଥିଲେ।
୨୦୧୬ ଅଗଷ୍ଟ ୨୧ ତାରିଖ। ଲୁଲୁଙ୍କ ଗାଁ ବ୍ରହ୍ମଗିରିରର ଗଡ଼ରୋଡ଼ଙ୍ଗରେ ଆୟୋଜିତ ହୋଇଥିଲା ତ୍ରିରଙ୍ଗା ଯାତ୍ରା। ଏହା ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକମ ହୋଇଥିଲେ ମଧ୍ୟ ଏଥିରେ ସ୍ଥାନୀୟ ଜନ ପ୍ରତିନିଧି ସଞ୍ଜୟ ଦାସବର୍ମାଙ୍କୁ ଉପେକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଲୁଲୁଙ୍କ ପ୍ରଛନ୍ନ ହାତ ହାତ ରହିଥିବା ଚର୍ଚ୍ଚା ହୋଇଥିଲା। ଏପରିକି ଲୁଲୁଙ୍କ ଘରେ ଧର୍ମେନ୍ଦ୍ରଙ୍କ ପାଇଁ ଖାଇବା ପିଇବାର ଆୟୋଜନ ହୋଇଥିବା କୁହାଯାଉଛି।
୨୦୧୬ ନଭେମ୍ବର ୬ ତାରିଖରେ ଲୁଲୁ ତାଙ୍କର ଅଗଣିତ ଶୁଭେଚ୍ଛୁ, ପ୍ରଶଂସକ ଏବଂ ସମାଲୋଚକଙ୍କୁ ପରକରି ଆର ପାରିକୁ ଚାଲି ଯାଇଥିଲେ। ନୂଆଦିଲ୍ଲୀରୁ ଲୁଲୁଙ୍କ ମର ଶରୀର ଭୁବନେଶ୍ୱରରେ ପହଞ୍ଚିବାକୁ ବେଳକୁ ରାଜଧାନୀ ଜନସମୁଦ୍ର ପାଲଟି ଯାଇଥିଲା। ଏହି ଅବସରରେ ଲୁଲୁଙ୍କ ପରିବାରକୁ ଶଙ୍ଖୋଳିବାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏହିଠାରୁ ହିଁ ବିଜେପି ପ୍ରତି ଲୁଲୁ ପରିବାର ଢ଼ଳିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଲୁଲୁ କଂଗ୍ରେସର ଜଣେ ତୁଙ୍ଗ ନେତା ଥିଲେ। ହେଲେ ତାଙ୍କ ଦେହାନ୍ତ ପରେ କଂଗ୍ରେସର କୌଣସି ଜାତୀୟ ସ୍ତରର ନେତା ଆସି ନଥିଲେ। ଫଳରେ ଏହାର ଫାଇଦା ବିଜେପି ନେଇଥିବା ଆଲୋଚନା ହେଉଛି।
୨୦୧୭ ଏପ୍ରିଲ୍ ୧୬ ତାରିଖ। ପାଇକ ବିଦ୍ରୋହରେ ନିଜ ଜୀବନକୁ ବାଜି ଲଗାଇଥିବା ୧୬ଟି ପାଇକ ପରିବାରକୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ଭୁବନେଶ୍ୱର। ରାଜଭବନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବ। ଏହି ଉତ୍ସବରେ ଦେଖିବାକୁ ମିଳିଥିଲେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଝିଅ ଉପାସନା ମହାପାତ୍ରଙ୍କୁ। ପାଇକ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୋଦି ଲୁଲୁଙ୍କ ଝିଅ ଉପାସନାଙ୍କ ମୁଣ୍ଡରେ ହାତ ରଖିଥିଲେ। ଏହାକୁ ନେଇ ରାଜନୀତି କରିଡ଼ରରେ ମଧ୍ୟ ଭିନ୍ନ ଚର୍ଚ୍ଚା ହୋଇଥିଲା। ଆଗାମୀ ନିର୍ବାଚନରେ ଲୁଲୁ ପରିବାର ବିଜେପିକୁ ଯିବେ ବୋଲି କୁହାଗଲା।
୨୦୧୭ ଅଗଷ୍ଟ ୨୧ ତାରିଖ। ଲୁଲୁଙ୍କ ପରିବାର ପାଇଁ ଏହିଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୁହାଯାଉଛି। ଲୁଲୁ ସେନା ଏବଂ ବିଜେପି ନେତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ପାଇକ ବିଦ୍ରୋହର ପୂର୍ତ୍ତି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଉପସ୍ଥିତ ଥିଲେ। ଏହି ମଞ୍ଚରେ ଉପାସନାଙ୍କୁ ବି ଦେଖିବାକୁ ମିଳିଥିଲା। ସଭା ଶେଷରେ ଧର୍ମେନ୍ଦ୍ରଙ୍କୁ ଉପାସନା ସମ୍ବର୍ଦ୍ଧିତ କରିଥିଲେ। ଲୁଲୁ ସେନା ହିଁ ଏହି ଉତ୍ସବ ଆୟୋଜନର ମୁଖ୍ୟ କାର୍ପଟଦାର ସାଜିଥିଲା। ଏହି ଉତ୍ସବ ପରଠୁ ଲୁଲୁ ପରିବାର ଏବଂ ବିଜେପି ମଧ୍ୟରେ ନିବିଡ଼ତା ବଢ଼ିଥିବା କୁହାଯାଉଛି। ଫଳରେ ପଦ୍ମବନକୁ ଲୁଲୁ ପରିବାର ଢଳୁଛନ୍ତି।
କାହିଁକି ଗଢ଼ାହେଲା ‘ଲୁଲୁ ସେନା’
୨୦୧୫ ମସିହା ଫେବୃୟାରୀ ୧୪ ରେ ଲୁଲୁ ମହାପାତ୍ରଙ୍କ ଜନ୍ମ ଦିନରେ ଜନ୍ମ ନେଇଥିଲା ‘ଲୁଲୁ ସେନା’। ଲୁଲୁ ସେନା ଲେଖାଯାଇଥିବା କେକକୁ ନିଜେ ଲୁଲୁ ମହାପାତ୍ର କାଟିଥିଲେ ଏବଂ ପରସ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ।
ଲୁଲୁଙ୍କ ସମର୍ଥକ କୁହାଯାଉଥିବା କିଛି ଛାତ୍ର ଏବଂ ଯୁବ କଂଗ୍ରେସ କର୍ମୀଙ୍କୁ ଦଳ ଉପେକ୍ଷା କରୁଥିବାରୁ ଲୁଲୁ ସେନା ଗଠନ ହୋଇଥିଲା ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇବା ପାଇଁ ୨୦୧୫ ଜାନୁୟାରୀ ଶେଷ ସପ୍ତାହରେ ଯୁବ କଂଗ୍ରେସ ବ୍ୟାନରେ ରାଜଧାନୀରେ ‘ଯୁବ ଗର୍ଜନ ସମାବେଶ’ ଆୟୋଜନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା।
ଦିଲ୍ଲୀରୁ କିଛି ଛାମୁଆ ଯୁବ କଂଗ୍ରେସ ନେତା ଆସିବେ ବୋଲି ତତ୍କାଳୀନ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଘୋଷଣା କରିଥିଲେ। ମାତ୍ର ଏହାକୁ କଂଗ୍ରେସର ତୁଙ୍ଗ ନେତାମାନେ ସମର୍ଥନ କଲେ ନାହିଁ। ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବର୍ଷ ପୂର୍ତ୍ତି ପାଳନ ଆଳରେ ଯୁବ ଗର୍ଜନ ସମାବେଶକୁ ସ୍ଥଗିତ କରାଯାଇଥିଲା। ଫଳରେ ଯୁବ କଂଗ୍ରେସ କର୍ମୀଙ୍କ ମନରେ ଅସନ୍ତୋଷ ବଢ଼ିଥିଲା। ଏହି ଅସନ୍ତୋଷ ହିଁ ପରବର୍ତ୍ତୀ ସମୟରେ ‘ଲୁଲୁ ସେନା’ ରୂପରେ ପରିପ୍ରକାଶ ହୋଇଥିବା ଚର୍ଚ୍ଚା ହେଉଛି।

Comment