ଓଡ଼ିଶାଲାଇଭ୍‌ ବ୍ୟୁରୋ

କିମ୍ବଦନ୍ତୀ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କର ଗୋଟିଏ ଅଟୋଗ୍ରାଫ୍ ପାଇବାକୁ ବିରଳ ସୌଭାଗ୍ୟ ମନେ କରନ୍ତି ତାଙ୍କର ଅଗଣିତ ପ୍ରଶଂସକ। ଅଥଚ ସେଇ କିମ୍ବଦନ୍ତୀଙ୍କ ଟ୍ୱିଟର ପେଜରେ ପ୍ରଶଂସାର ପାତ୍ରୀ ହେବାର ଗୌରବ ଲାଭ କରିଛନ୍ତି ଜଣେ ଓଡ଼ିଆ ଝିଅ।
ଟ୍ୱିଟ୍ ଜରିଆରେ ଖୋଦ୍ ସଚିନ ନିଜେ ମାଲକାନଗିରି ଜିଲ୍ଲାର ଭଲିବଲ ଖେଳାଳି ସିରିସା କାରାମିଙ୍କୁ ପ୍ରଶଂସା କରିଛନ୍ତି। ଜଣେ ପୂର୍ବତନ ମାଓବାଦୀ ନେତ୍ରୀଙ୍କ ଝିଅ ହୋଇ ମଧ୍ୟ ଭଲିବଲ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ଦେଇଆସିଛନ୍ତି ସେ। ଆଗାମୀ ଦିନରେ ତାଙ୍କର ଖେଳିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି ସଚିନ ନିଜ ଟ୍ୱିଟ୍‌‍ରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି।
ଜଣେ ପୂର୍ବତନ ମହିଳା ମାଓବାଦୀ ଚିନାମ୍ମା କାରାମିଙ୍କ ଝିଅ ହେଉଛନ୍ତି ସିରିସା। ତାଙ୍କ ବୟସ ଏବେ ୧୫ ବର୍ଷ। ୨୦୧୭ ଏପ୍ରିଲ ମାସ ୧୯ ତାରିଖ କେରଳର ପାରାଭୁର ଏର୍ଣ୍ଣାକୁଲମ ଜୁନିୟର ଭଲିବଲ ଜାତୀୟ ଚାମ୍ପିୟନସିପ୍ କ୍ୟାମ୍ପରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ମେ ମାସରେ ୧୮ ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳ ପାଇଁ ସିରିସାଙ୍କୁ ଚୟନ କରାଯିବା ପରେ ସେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ। ମେ ୨୩ ତାରିଖ ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ୧୮ ବର୍ଷରୁ କମ୍ ଜୁନିୟର ଭାରତୀୟ ଦଳ ପାଇଁ ହୋଇଥିବା ତାଲିମ ଶିବିରରେ ସେ ଭାଗ ନେଇଥିଲେ। ଏକଦା ମାଓବାଦୀପ୍ରବଣ ଜିଲ୍ଲା ମାଲକାନଗିରି ଅଞ୍ଚଳରେ ପ୍ରଚଳିତ ଲାଲ ଆଦର୍ଶରେ ବୀତସ୍ପୃହ ହୋଇ ଚିନାମ୍ମା କାରାମି ଆତ୍ମସମର୍ପଣ କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ତାଙ୍କୁ କାଲିମେଳାର ଏକ କନ୍ୟାଶ୍ରମରେ ରୋଷେୟା ଭାବେ ନିଯୁକ୍ତି ଦେଇଥିଲେ।
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପରେ ଚିନାମ୍ମା ନିଜ ଝିଅକୁ ଜଣେ ଜାତୀୟ ସ୍ତରର ଭଲିବଲ ଖେଳାଳି ଭାବେ ଗଢ଼ି ତୋଳିବା ନିଶ୍ଚିତ ଭାବେ ଏକ ଉଦାହରଣ। ସିରିସା ଗତ ୪ ବର୍ଷ ହେଲା କାଲିମେଳା କନ୍ୟାଶ୍ରମରେ ରହି ପାଠ ପଢ଼ିଆସୁଥିଲେ। ଏହା ସହିତ ମାଲକାନଗିରି ସହର ସ୍ଥିତ କ୍ରୀଡ଼ା ଛାତ୍ରାବାସରେ ସେ ତାଲିମ ନେଉଛନ୍ତି। ଏଯାବତ୍ ସିରିସା ଭଲିବଲରେ ୧୦ରୁ ଅଧିକ ଜାତୀୟ ମେଡାଲ ହାସଲ କରିଛନ୍ତି।
ଜଣେ ପୂର୍ବତନ ମାଓବାଦୀ ନେତ୍ରୀଙ୍କ କନ୍ୟା ହୋଇ ମଧ୍ୟ ସେ ଯେଉଁ ଉଦାହରଣ ତିଆରି କରିଛନ୍ତି, ତାହା ସମାଜ ପାଇଁ ବେଶ୍ ସକାରାତ୍ମକ ବାର୍ତ୍ତା ଦେଉଛି। ଗତ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ବାସଭବନକୁ ତାଙ୍କୁ ଆମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here