ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୯ ଦିନ ପରେ ସ୍ଥଗିତ ରହିଛି ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଆନ୍ଦୋଳନ। ମନ୍ତ୍ରୀଙ୍କ ଆଶ୍ବାସନା ପରେ ଆନ୍ଦୋଳନ ସ୍ଥଗିତ ରହିଥିବା ସଂଘ ସଭାନେତ୍ରୀ ଅଞ୍ଜଳି ପଟେଲ୍ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ, ସହାୟିକା ଦରମା ବୃଦ୍ଧି କରିଥିଲେ ମଧ୍ୟ ଗୋଟିଏ ଗୋଷ୍ଠୀ ଆନ୍ଦୋଳନରୁ ଓହରି ଯାଇଥିଲେ। ହେଲେ ଏହି ଦରମାରେ ସନ୍ତୁଷ୍ଟ ନହୋଇ ଅନ୍ୟ ଗୋଷ୍ଠୀ ଭୁବନେଶ୍ବରର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିଥିଲେ।
୧୨ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ, ସହାୟିକାମାନେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଚଳାଇଥିଲେ। ଏହି ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା। ୧ ଲକ୍ଷ ୩୮ ହଜାର କର୍ମୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଫଳରେ ପ୍ରାୟ ୭୨ ହଜାର ସେଣ୍ଟରରେ ତାଲା ପଡ଼ିଥିଲା।
ତେବେ ୧୭ ତାରିଖରେ ଅଙ୍ଗନବାଡ଼ି ସଂଘ ବିଭାଜିତ ହୋଇଥିଲା। ଗୋଟିଏ ଗୋଷ୍ଠୀର କର୍ମୀ ମୁଖ୍ୟମନ୍ତ୍ରୀ ଭେଟି ଦାବି ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ହୋଇଥିବା ଘୋଷଣା କରିଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୨ ହଜାର ଏବଂ ସହାୟିକାଙ୍କ ଦରମା ୧ ହଜାର ଟଙ୍କା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ଦୀପାବଳି ଭେଟି ଦେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଗୋଟିଏ ଗୋଷ୍ଠୀ। ଦରମା ୧୦ ହଜାର ଟଙ୍କା ଦାବିରେ ସେମାନେ ଧାରଣା ଜାରି ରଖିଥିଲେ।
ଆନ୍ଦୋଳନରତ କର୍ମୀ, ସହାୟିକା ଧାରଣାରୁ ଓହରି କାର୍ଯ୍ୟରେ ଯୋଗଦେବା ପାଇଁ ସରକାର ନିବେଦନ କରିଥିଲେ। କାର୍ଯ୍ୟରେ ଯୋଗଦେବା ପାଇଁ ଆଜି ଡେଡ୍ ଲାଇନ୍ ରଖିଥିଲେ। କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦଶେ ଦେଇଥିଲେ।
 

Comment