ଓଡ଼ିଶାଲାଇଭ୍‌ ବ୍ୟୁରୋ
ଅପାରଗ ସରକାର କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ବିଜେଡିକୁ ଟାର୍ଗେଟ୍‍ କରିଥିବା ବେଳେ ବିଜେଡି କହିଛି ଏହା ଦାୟିତ୍ୱହୀନ ମନ୍ତବ୍ୟ।
ଥମୁନି ବିଜେପି-ବିଜେଡି ମଧ୍ୟରେ କଥା କଟାକଟି। ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ବାକି ଥିଲେ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବନ୍ଦ ହେବାର ନାଁ ଧରୁନି। କେତେବେଳେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ନେତା ଟାର୍ଗେଟ୍‍ କରୁଛନ୍ତି ତ ପୁଣି କେତେବେଳେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ବିଜେଡି ନେତା ବିଜେପିକୁ ଘେରୁଛନ୍ତି। ଦୁଇଦଳର ଏହି ମୁହାଁମୁହିଁ ଭିତରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଦେଇଛି।
ଶୁକ୍ରବାର ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଶୁଭାରମ୍ଭ କରିବା ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଖାଲି ସେତିକି ନୁହେଁ, ସେହି ସନ୍ଧ୍ୟାରେ ଅନ୍ତର୍ଜାତୀୟ ଗୋ ନବରାତ୍ର ଉତ୍ସବରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ପୁଣି ବିଜେଡି ସରକାରଙ୍କୁ କଟାକ୍ଷ କରିଥିଲେ। ଏହି କଟାକ୍ଷ ଏବେ ଧର୍ମେନ୍ଦ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି। ଏ ସରକାରକୁ ବଙ୍ଗୋପସାଗରରେ ପକାଇବା ପାଇଁ ଲୋକ ମନ ବଳାଇଲାଣି। ଖୁବଶୀଘ୍ର ପୁରୀ ଭଳି ଆଉ ଏକ ବଡ଼ ନବକଳେବର ହେବ।”
ଧର୍ମେନ୍ଦ୍ରଙ୍କ ଏହି କଟାକ୍ଷ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ଧର୍ମେନ୍ଦ୍ରଙ୍କୁ ଘେରିବା ପାଇଁ ପ୍ରତାପ ଦେବ ଆଗକୁ ଆସିଛନ୍ତି।
ପ୍ରତାପ ଦେବ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ବିଜେପି ନେତାମାନେ ଭୁଲ୍‌ ତଥ୍ୟ ଦେଉଛନ୍ତି। କିଏ କାହାକୁ ବଙ୍ଗୋପସାଗରରେ ଫିଙ୍ଗିବ ତାହା ଆଗାମୀ ଦିନରେ ଜଣାପଡ଼ିବ। କିଏ ସତ କହୁଛି ତାହା ସମୟ ଆସିଲେ ଜଣାପଡ଼ିବ।”
ସୋମବାର ବିଜେପି-ବିଜେଡି ମଧ୍ୟରେ କଥା କଟାକଟି ଚରମସୀମାରେ ପହଞ୍ଚିଥିଲା। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ୍‌ ସଂଯୋଗ ପ୍ରକଳ୍ପ ଶୁଭାରମ୍ଭ କରିଥିବା ବେଳେ କଟକରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାକୁ ନେଇ ରାଜନୀତିରେ ତୁତୁ ମେମେ ଲାଗି ରହିଥିଲା। ଏହି ଘଟଣା ଆଜି ଉଗ୍ରରୂପ ଧାରଣ କରିଛି।

Comment