ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଇଂ ହୋଷ୍ଟ ବା ଏବେ ଆପଣ ବାହାର ପର୍ଯ୍ୟଟକଙ୍କୁ ନିଜ ଘରେ ଅତିଥି ଭାବେ ଗ୍ରହଣ କରି ପାରିବେ। ଆସନ୍ତା ପହିଲାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ସ୍ୱତନ୍ତ୍ର ଅଭିଯାନ ଅନୁଯାୟୀ ପର୍ଯ୍ୟଟକମାନେ ଏବେ ଆଉ ବାହାରେ ହୋଟେଲରେ ନ ରହି ଅତିଥି ଭାବେ ବ୍ୟକ୍ତି ବିଶେଷଙ୍କ ଘରେ ରହିପାରିବେ। ଯେଉଁ ଘର ମାଲିକ ପର୍ଯ୍ୟଟନ ବିଭାଗ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ନାମ ପଞ୍ଜିକରଣ କରିବେ ସେମାନଙ୍କୁ ଏଥିପାଇଁ ଲାଇସେନ୍ସ ମିଳିବ।
୨୦୦୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ବେଡ଼ ଓ ବ୍ରେକ୍‌ଫାଷ୍ଟ’ ନାମକ ଏହି ବ୍ୟବସ୍ଥାରେ ସାଧାରଣ ଲୋକ ନିଜ ଘରକୁ ଛୋଟକାଟିଆ ଅତିଥି ଭବନର ରୂପ ଦେଇପାରୁଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହିଭଳି ଏକ ଉଦ୍ୟମ ଆରମ୍ଭ ହେଉଛି।
ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତିନ ଜୱାଲେ କହିଛନ୍ତି, “ଆମେ ଏଥିପାଇଁ ଏକ ଜନ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛୁ ଯାହା ଫଳରେ ଲୋକମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇପାରିବେ। ନଭେମ୍ବର ପହିଲାରୁ ଆମେ ପଞ୍ଜିକରଣ ଆରମ୍ଭ କରିବୁ। ପୂର୍ବରୁ ଆଗ୍ରହୀ ବ୍ୟକ୍ତି କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ଆବେଦନ କରୁଥିଲେ,ଏବେ ଆମେ ତାହା କରିବୁ।”
ଏଥିପାଇଁ ପ୍ରସ୍ତୁତ ନିର୍ଦ୍ଦେଶାବଳି ଅନୁସାରେ ଘର ମାଲିକ ସବୁ ସୁବିଧା ଥାଇ ୫ଟି ରୁମ୍ କିମ୍ବା ୧୦ଟି ବେଡର ବ୍ୟବସ୍ଥା କରିପାରିବେ। ମାଲିକଙ୍କୁ ଭାରତୀୟ ଜଳଖିଆ ତିଆରି କରିବାକୁ ହେବ ଓ ରୁମ୍ ରେଣ୍ଟ ତଥ୍ୟ ସମସ୍ତଙ୍କ ଜାଣିବା ପାଇଁ ଉପଲବ୍ଧ କରାଇବେ। ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ନିୟମିତ ଭାବରେ ଏହି ଗେଷ୍ଟ ହାଉସରେ ଥିବା ସୁବିଧାର ତଦାରଖ କରିବେ। ତା’ଛଡ଼ା ପର୍ଯ୍ୟଟକମାନଙ୍କ ପାଖରୁ ମଧ୍ୟ ମତାମତ ନିଆଯିବ।
ପଞ୍ଜିକରଣ ପରେ ବିଭାଗୀୟ ଅଧିକାରୀ ଘର ମାଲିକ, ତାଙ୍କ ପରିବାର ଲୋକ ଓ ତାଙ୍କ ଷ୍ଟାଫଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରିବେ – କେମିତି ଅତିଥିଙ୍କ ସହ ଆଚରଣ ପ୍ରଦର୍ଶନ କରିବା ପାଇଁ ହେବ ଇତ୍ୟାଦି।

Comment