ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଶନ୍-୧୨୦କୁ ନେଇ ଅଙ୍କ କଷୁଛି ବିଜେପି। ଅମିତ ଶାହାଙ୍କ ରଣନୀତିକୁ ସଫଳ କରିବା ଲାଗି ଗୋଟି ଚାଳନା କରୁଛି ଏହି ଜାତୀୟ ଦଳ। ଏହି ସମୟରେ ବରିଷ୍ଠ ନେତା ବିଜୟ ମହାପାତ୍ର ‘ଅଲୋଡ଼ା’ ପ୍ରସଙ୍ଗ ଉଠାଇ ଦଳରେ ସୃଷ୍ଟି କରିଛନ୍ତି କମ୍ପନ।

ଭାରତୀୟ ଜନତା ପାର୍ଟି ମିଶନ୍-୧୨୦କୁ ନେଇ ଅଙ୍କ କଷୁଛି। ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହାଙ୍କ ଷ୍ଟାଟେର୍ଜିକୁ ସଫଳ କରିବା ପାଇଁ ଓଡ଼ିଶା ବିଜେପି ନେତା ଦମ୍ ଲଗାଇ ଦେଇଛନ୍ତି। ବିଭିନ୍ନ ଅଞ୍ଚଳରେ ମିଶ୍ରଣ ପର୍ବ ଆୟୋଜନ କରି ବିଜେପି ନୂଆ ନେତାଙ୍କୁ ଦଳରେ ସାମିଲ୍ କରୁଛି। ଏହାକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇଯାଇଥିବା ବେଳେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିକୁ ବାଣ ମାରିଛନ୍ତି। ଦଳରେ ବରିଷ୍ଠ ନେତା ଅଲୋଡ଼ା ହୋଇଯାଇଛନ୍ତି ବୋଲି ବିଜୟ କହି ବିଜେପି ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି।
ଯଦିଓ ବିଜୟ କୌଣସି ଅଲୋଡ଼ା ବରିଷ୍ଠ ନେତାଙ୍କ ନାଁ କହି ନାହାନ୍ତି ତେବେ ଏହି ଅଲୋଡ଼ା ତାଲିକାରେ ବହୁ ନେତା ରହିଥିବା ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।
ଏହି ଅଲୋଡ଼ା ତାଲିକାରେ ପ୍ରଥମେ ରହିଛନ୍ତି ନିଜେ ବିଜୟ ମହାପାତ୍ର। ବିଜେଡି-ଓଜିପି-ଏନ୍‌ସିପି ଛାଡ଼ି ଏହି ବରିଷ୍ଠ ନେତା ୨୦୦୯ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ୍ ହୋଇଥିଲେ। ବିଜେଡିକୁ ପ୍ରତି କଥାରେ ଚେକ୍ ଦେବା ପାଇଁ ବିଜୟଙ୍କୁ ବ୍ୟବହାର କରୁଥିଲା ଦଳ। କଥା କଥାକେ ବିଜୟ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷୁଥିଲେ। ହେଲେ ଏହି ବରିଷ୍ଠ ନେତା ଜଣକ ଦଳରେ ଅଲୋଡା ହୋଇଯାଇଥିବା ଚର୍ଚ୍ଚା ହେଉଛି। ଦଳର କୌଣସି କାର୍ଯ୍ୟକ୍ରମରେ ବିଜୟଙ୍କୁ ଦେଖିବାକୁ ମିଳୁନି କି ବିଜୟଙ୍କ ପରାମର୍ଶକୁ ଦଳ ଗ୍ରହଣ କରୁନଥିବା କୁହାଯାଉଛି।
ବିଜୟଙ୍କ ସହ ବିଜେପିରେ ସାମିଲ୍ ହୋଇଥିବା ଦିଲ୍ଲୀପ ରାୟ ବି ଦଳରେ ଅଲୋଡ଼ା ହୋଇଯାଇଥିବା କୁହାଯାଉଛି। ୨୦୧୪ରେ ଦିଲ୍ଲୀପ ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ମାତ୍ ଦେଇ ବାଜିମାତ କରିଥିଲେ ମଧ୍ୟ ଦିଲ୍ଲୀପ ରାୟଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି।
ସେହିପରି ପୁଅ ଶିଶିର ଗମାଙ୍ଗଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ୨୦୧୪ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ୍ ହୋଇଥିଲେ। ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଭେଟି ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ଗେରୁଆ ଟୋପି ପିନ୍ଧିଥିଲେ ଏହି ବରିଷ୍ଠ ନେତା। ହେଲେ ସେ ଏବେ ବିଜେପିରେ ଆଗଧାଡ଼ିରେ ଦେଖିବାକୁ ମିଳୁ ନାହାନ୍ତି।
ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ କୁହାଯାଉଛି। ହେଲେ କିଛିଦିନ ହେଲା ଏହି ବରିଷ୍ଠ ନେତା କୋଣଠେସା ହୋଇ ରହିଥିବା ଚର୍ଚ୍ଚା ହେଉଛି। ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇଥିବା ଏହି ବରିଷ୍ଠ ନେତାଙ୍କୁ ଦଳର ହାନିଲାଭରେ ପଚରା ଯାଉ ନଥିବା ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି।
ଏହି ୪ ଜଣ ବରିଷ୍ଠ ନେତାଙ୍କ ବ୍ୟତୀତ ଦଳରେ ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ଦଳ ଅଲାଡ଼ା କରି ରଖିଥିବା ଆଲୋଚନା ହେଉଛି।
ବିଜୟଙ୍କ ଅଲୋଡ଼ା ମନ୍ତବ୍ୟ ଉପରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଜବାବ ଦେଇଛନ୍ତି। କହିଛନ୍ତି, ଦଳରେ ୪୦ ଲକ୍ଷ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଜୟ ଜଣେ। ଏଣୁ ସେ ନିଜକୁ କାହିଁକି ଅଲୋଡ଼ା ଭାବୁଛନ୍ତି।

LEAVE A REPLY

Please enter your comment!
Please enter your name here