ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ଅପରେସନ୍ ସଫଳ ହୋଇଛି। ଶେଷରେ ଅଲଗା ହୋଇଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ। ଅପରେସନ୍ ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୁଣ୍ଡ ଅଲଗା ହେବା ପରେ ପ୍ଲାଷ୍ଟିକ୍ ସର୍ଜରୀ କାମ ଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ବୁଧବାର ସକାଳ ୯ଟାରୁ ଜଗା-କାଳିଆଙ୍କୁ ଅଲଗା କରିବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା। ଦିଲ୍ଲୀ ଏମ୍ସରେ ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହୋଇଥିଲା। ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ଡାକ୍ତରୀ ଟିମ୍ ଉଦ୍ୟମ କରିଥିଲେ। ନୁ୍ୟରୋ ସର୍ଜନଙ୍କ ସମେତ ପେଡିଆଟ୍ରିକ ଓ କାର୍ଡିଓଲୋଜି ବିଭାଗର ଅଭିଜ୍ଞ ଡାକ୍ତର ଏହି ଅପରେସନରେ ସାମିଲ୍ ହୋଇଥିଲେ। ଆଗାମୀ ୭୨ ଘଣ୍ଟା ଯାଏଁ ଉଭୟଙ୍କୁ ଅବଜରଭେସନରେ ରଖାଯିବ ବୋଲି ଏମ୍ସ ସୂତ୍ରରୁ ଜଣାପଡ଼ିଛି। ଚିକିତ୍ସା ବିଜ୍ଞାନରେ ଜଗା-କାଳିଆଙ୍କ କେସ୍ ଏକ ବିରଳ ଘଟଣା। କାଳିଆର ରକ୍ତ ସଞ୍ଚାଳନ ଜଗା ଦେହକୁ ଯାଉଥିଲା ଏବଂ କାଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଯାଉଥିଲା। ଏଣୁ କୃତ୍ରିମ ଶିରା ପ୍ରଶିରା ଢାଞ୍ଚା ତିଆରି କରାଯାଇ କାଳିଆ ଦେହରେ ରୋପଣ କରାଯିବ।
ଅଗଷ୍ଟ ୨୬ତାରିଖରେ ୪୦ ଜଣିଆ ଡାକ୍ତରୀ ଟିମ୍ ୨୦ ଘଣ୍ଟା ଧରି ଅପରେସନ୍ କରିଥିଲେ। ଏହା ଥିଲା ପ୍ରାଥମିକ ପର୍ଯ୍ୟାୟ ଅପରେସନ୍। ଏହି ଟିମ୍‌ରେ ଜାପାନରୁ ଆସିଥିବା ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ। ଫୁଲବାଣୀର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ରିଲିଫ୍ ପାଣ୍ଡିରୁ ୧ କୋଟି ଟଙ୍କାର ସହାୟତା ଦେଇଥିଲେ। ଏପଟେ ଜଗା-କାଳିଆଙ୍କ ଅରୋଗ୍ୟ କାମନା କରି କନ୍ଧମାଳରେ ପୂଜାର୍ଚ୍ଚନା ଚାଲିଛି।
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଜଗା-କାଳିଆ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଏମ୍ସର ବିଶେଷଜ୍ଞ ଟିମ୍‌ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

 

 

Comment