ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅନ୍ତର୍ଜାତୀୟ କଳା ଓ ସଂସ୍କୃତିର ଉତ୍ସବ ‘ଓଡ଼ିଶା ବାଇଏନାଲେ ୨୦୧୭’ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି।  ନଅଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ମାଇଣ୍ଡଟ୍ରି କଲିଙ୍ଗ୍ କ୍ୟାମ୍ପସଠାରେ ଅନୁଷ୍ଠିତ ହେବ। ପୂର୍ବ ଭାରତର ସବୁଠାରୁ ବଡ଼ ଅନ୍ତର୍ଜାତୀୟ କଳା ଓ ସଂସ୍କୃତି ଉତ୍ସବ ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହି ଉତ୍ସବର ତୃତୀୟ ସଂସ୍କରଣର ଥିମ୍ ରଖାଯାଇଛି “ଶରୀର ଓ ପୋଷାକ’’। ପ୍ରାୟ ୧୦ଟି ଦେଶରୁ ଆସିଥିବା ୪୦ ଜଣ କଳାକାର ସେମାନଙ୍କ ସୃଜନଶୀଳତାର ପରିଚୟ ଦେବା ସହିତ ସେମାନଙ୍କର କଳାର ପ୍ରଦର୍ଶନ ମଧ୍ୟ କରିବେ।
ଏହି ଉତ୍ସବର ଉଦ୍‌ଘାଟନ କରିବେ ଜାପାନର କାଉନସେଲ୍ ଜେନେରାଲ୍ ଶ୍ରୀଯୁକ୍ତ ଟାଗା, ମାଇଣ୍ଡଟ୍ରିର ସହ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁବ୍ରତ ବାଗଚି ଓ ତାଙ୍କ ପତ୍ନୀ ତଥା ଲେଖିକା ସୁସ୍ମିତା ବାଗଚୀ। ପ୍ରଥମେ ଡୋକରା ଉପରେ ୨୦ ମିନିଟ୍ ଅବଧିର ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବ। ପରେ ପରେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ମାସାକୋ ତିନୋ କିରବାଣୀ ପଲ୍ଲବୀ ଓ ପଶ୍ୟତି ଦିଶି ଦିଶି…ଗୀତରେ ନୃତ୍ୟ ପ୍ରଦର୍ଶନ କରିବେ।
“ସଂସ୍କୃତିର ଆଦାନ-ପ୍ରଦାନ ଆଭିମୁଖ୍ୟ ନେଇ ଏହି ‘ଓଡ଼ିଶା ବାଇଏନାଲେ’ ୨୦୧୩ ମସିହାରେ ଆରମ୍ଭ ହୋଇଥିଲା। ଟୋକିଓ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ସୂତ୍ର ସ୍ଥାପନ କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ’’, କହିଛନ୍ତି ମାସାକୋ। ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଜାପାନିଜ୍ ନୃତ୍ୟାଙ୍ଗନା ଓଡ଼ିଶୀ ନୃତ୍ୟ ସହ ଜଡ଼ିତ ଅଛନ୍ତି।
ଏହି ଉତ୍ସବର ଅନ୍ୟ ଏକ ଆକର୍ଷଣ ହେଉଛି ‘ଇଚିକୋ ଫୁନାଇ’ ପ୍ରଦର୍ଶନୀ। ଏହି ପ୍ରଦର୍ଶନୀରେ ଭାରତୀୟ ଓ ବିଦେଶୀ ଶିଳ୍ପୀଙ୍କ ମିଳିତ ଉଦ୍ୟମରେ ଏକ ଚାରୁକଳା ପ୍ରଦର୍ଶିତ ହେବ । ପୂର୍ବରୁ ଇଚିବୋ ଫୁନାଇ ଟୋକିଓ, ପ୍ୟାରିସ୍ ସମେତ ପୃଥିବୀର ବିଭିନ୍ନ ସ୍ଥାନରେ କଳାର ପ୍ରଦର୍ଶନ କରିଛନ୍ତି।
ସଙ୍ଗୀତର ସନ୍ଧ୍ୟା ମାଧ୍ୟମରେ ଜାପାନର ଲୋକଗୀତ ତଥା ଭାରତୀୟ ସଙ୍ଗୀତର ସମ୍ମେଳନ ଉପଭୋଗ କରିବାର ସୁଯୋଗ ମିଳିବ। କେବଳ ସେତିକି ନୁହେଁ ଏହି ଉତ୍ସବର ଅନ୍ୟାନ୍ୟ ସନ୍ଧ୍ୟାରେ ଭାରତୀୟ ତଥା ବିଦେଶୀ କଳାକାରଙ୍କ ଦ୍ୱାରା କଣ୍ଟେମ୍ପରାରୀ ନୃତ୍ୟ ପ୍ରଦର୍ଶିତ ହେବ। ଏହି ଉତ୍ସବର ଶେଷ ସନ୍ଧ୍ୟାରେ ଆଫ୍ରିକାନ୍ ଏନସେମ୍ବଲ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରିବେ।
ଏହି ଉତ୍ସବରେ ଜାପାନ, ଅଷ୍ଟ୍ରେଲିଆ, ବେଲଜିଅମ୍, ଜର୍ମାନୀ, ଫ୍ରାନ୍ସ, ଇଟାଲି, ସାଉଥ ଆଫ୍ରିକା, ସ୍ୱିଜରଲାଣ୍ଡ, ଭଗାଣ୍ଡା ଆଦି ଦେଶର ପ୍ରତିଷ୍ଠିତ କଳାକାର ଭାଗ ନେବାର ଯୋଜନା ରହିଛି।
ଏତଦବ୍ୟତୀତ ପାମ୍ପଟୋମାଇମ୍, କଣ୍ଟେମ୍ପୋରାରି ନୃତ୍ୟଶୈଳୀ, ଓଡ଼ିଶୀ ନୃତ୍ୟଶୈଳୀର ପ୍ରଶିକ୍ଷଣ ଶିବିର ମଧ୍ୟ ଖୋଲାଯାଇଛି। ‘ଓଡ଼ିଶା ବାଇଏନାଲେ-୨୦୧୭’ ନଭେମ୍ବର ୯ ତାରିଖ ଯାଏଁ ଚାଲୁ ରହିବ। ଜାପାନ ଫାଉଣ୍ଡେସନ ଓ ମୁଦ୍ରା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି।

Comment