ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ବିଜେଡି କାଉନସିଲର ହତ୍ୟା ମାମଲାରେ ନାଟକୀୟ ମୋଡ
  • ଅଭିଯୁକ୍ତ ସହ ନିରନ୍ତର ଯୋଗାଯୋଗରେ ଥିଲେ ଗୋଲକ ମହାପାତ୍ର!
  • ଭିଡିଓ କ୍ଲିପ୍ ପରେ ଅଭିଯୁକ୍ତ ସହ ଗୋଲକଙ୍କ କଲ୍ ରେକର୍ଡ ଜାରି କଲା ପୋଲିସ
  • ଗୋଲକ କହିଲେ ‘ମୋ ବିରୋଧରେ ହେଉଛି ଷଡଯନ୍ତ୍ର’
  • ବିଜେପି-ବିଜେଡି ମଧ୍ୟରେ ଜୋରଦାର ବୟାନବାଜି
ଗତ ସେପ୍ଟେମ୍ବର ମାସ ୧୬ ତାରିଖରେ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଦିନ ଦ୍ୱିପହରରେ ତାଙ୍କ ଘର ଆଗରେ ଅତି ଜଘନ୍ୟ ଓ ଅମାନୁଷିକ ଭାବେ ହତ୍ୟା କରାଗଲା, ତାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସେହିଦିନ ସନ୍ଧ୍ୟାରେ ନ୍ୟୁଜ ଚ୍ୟାନେଲର ଟେଲିଭିଜନ ପରଦା ଉପରେ ଯେତେବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍ ରାଜ୍ୟବାସୀ ଦେଖିଥିଲେ, ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଇଥିଲା। ଏହା ଥିଲା ଏପରି ଏକ ଭୟଙ୍କର ହତ୍ୟାକାଣ୍ଡ, ଯାହାକୁ ସହଜରେ ଭୁଲିପାରିବେ ନାହିଁ ରାଜ୍ୟବାସୀ।
ହେଲେ ଏହି ହତ୍ୟାକାଣ୍ଡର କାହାଣୀ ଭିତରେ ଏବେ ଆଉ କିଛି ଚରିତ୍ର ଯୋଡିଛି ପୋଲିସ, ତାହା ଯଦି ସତ ହୋଇଥାଏ, ତେବେ ନିଶ୍ଚିତ ଭାବେ ସାଂଘାତିକ।
ସିସିଟିଭି କ୍ୟାମେରା ଆଗରେ ସବୁ ଘଟଣା ଘଟିଥିବାରୁ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସକୁ ଅଧିକ ସମୟ ଲାଗିନଥିଲା। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ମର୍ଡର ପ୍ଲଟର ନୀଳ ନକ୍ସା ପ୍ରସ୍ତୁତ କରିଥିବା କୃଷ୍ଣ ନାୟକକୁ ଗିରଫ କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିଯାଇଥିଲା ପୋଲିସକୁ।
କିଛି ମାସ ତଳେ ବିଜେପିରେ ମିଶିଥିବା କୃଷ୍ଣ ନାୟକକୁ ପୋଲିସ ହେପାଜତକୁ ଆଣିବା ଥିଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ଶେଷରେ ପୋଲିସ ଜାଲରେ ପଡିଲା କୃଷ୍ଣ ନାୟକ। ତାକୁ ଧରିବା ପରେ ଏବେ ଯେଉଁସବୁ କଥା ସାମନାକୁ ଆସୁଛି, ତାହା ପୁଣିଥରେ ରାଜନେତା ଓ ଅପରାଧୀଙ୍କ ଭିତରେ ଥିବା ମଧୁଚନ୍ଦ୍ରିକାକୁ ବୟାନ କରୁଛି।
ପୋଲିସ ହେପାଜତକୁ ନେବା ପରେ ଗଣମାଧ୍ୟମକୁ ଆସିଥିଲା ଅଭିଯୁକ୍ତ କୃଷ୍ଣ ନାୟକର ଏକ ଭିଡିଓ କ୍ଲିପ୍। ଏହି ଭିଡିଓରେ କୃଷ୍ଣ ନାୟକ ବଖାଣିଥିଲେ କିଭଳି ସେ ଏତେ ଦିନ ପୋଲିସ ଆଖିରେ ଧୁଳି ଦେଇ ଡେରାଡୁନର ଗେଷ୍ଟ ହାଉସରେ ଲୁଚି ରହିଥିଲେ। ଏଥିପାଇଁ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାକୁ ସହଯୋଗ କରିଥିବା କହିଛି କୃ​‌ଷ୍ଣ ନାୟକ।
ଗୋଲକ ମହାପାତ୍ରଙ୍କ ପରାମର୍ଶ କ୍ରମେ ଚନ୍ଦୁ ନାମକ ଜଣେ ବ୍ୟକ୍ତିଙ୍କ ସହାୟତାରେ ଡେରାଡୁନ ଗେଷ୍ଟ ହାଉସରେ ରୁମ୍ ମିଳିଥିବା କହିଥିଲା କୃଷ୍ଣ ନାୟକ। କିଏ ସେହି ଚନ୍ଦୁ, ଏନେଇ ଛାନଭିନ କରୁଛି ପୋଲିସ।
ଅଭିଯୁକ୍ତ ସହ ଗୋଲକ ମହାପାତ୍ର ଯୋଗଯୋଗରେ ଥିବା ନେଇ ଏକ ଭିଡିଓ କ୍ଲିପ୍ ଜାରି ହେବା ପରେ ପୋଲିସ ଆଉ ପାଦେ ଆଗେଇଛି। ଅଭିଯୁକ୍ତ କୃଷ୍ଣ ନାୟକ ସହ ଗୋଲକ ମହାପାତ୍ରଙ୍କ ଟେଲିଫୋନ କଲ୍ ରେକର୍ଡ ଜାରି କରିଛି ପୋଲିସ। ଏହି କଲ୍ ରେକର୍ଡ ବିଜେପି ନେତା ଗୋଳକ ମହାପାତ୍ରଙ୍କୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି।
ଏହି କଲ୍ ରେକର୍ଡ କହୁଛି ଯେ ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଅଭିଯୁକ୍ତ ସହ ବାରମ୍ବାର ଫୋନରେ କଥା ହୋଇଥିଲେ ଗୋଲକ। ସେପ୍ଟେମ୍ବର ୧୬ରେ ହତ୍ୟାକାଣ୍ଡ ହୋଇଥିଲା, ସେପ୍ଟେମ୍ବର ୧୫ରୁ ଗୋଲକଙ୍କ ସହ କଥା ହୋଇଥିଲେ କୃଷ୍ଣ ନାୟକ। ଆଉ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ମୋଟ ୨୬ ଥର କଥା ହୋଇଛନ୍ତି ବିଜେପି ମୁଖପାତ୍ର। ଟେଲିଫୋନ କଲ୍ ରେକର୍ଡର ଏହି ତଥ୍ୟ ପଦାକୁ ଆସିବା ପରେ ବିଜେପି ନେତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି।
ତେବେ ଏ ନେଇ ମୁହଁ ଖୋଲିଛନ୍ତି ଅଡୁଆ ଭିତରେ ଛନ୍ଦି ହୋଇପଡିଥିବା ବିଜେପି ମୁଖପାତ୍ର। ତାଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର। ସେ କହିଛନ୍ତି, ତାଙ୍କୁ ଫସାଇବା ପାଇଁ ଏସପି ଆଶିଷ ସିଂହ ବଡ଼ ଧରଣର ଷଡଯନ୍ତ୍ର କରିଛନ୍ତି।
ତେବେ କୃଷ୍ଣ ନାୟକଙ୍କ ସହ ଟେଲିଫୋନରେ କଥା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିନାହାନ୍ତି ଗୋଲକ। ବିଜେପିର ଗଞ୍ଜାମ ପ୍ରଭାରୀ ହୋଇଥିବାରୁ ଅନେକ ଲୋକଙ୍କ ସହ କଥା ହୁଅନ୍ତି, ତେଣୁ ଏହାକୁ ନେଇ ଅଯଥାରେ ହତ୍ୟାକାଣ୍ଡ ସହ ଯୋଡାଯାଇ ତାଙ୍କୁ ବଦନାମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଏହାସହ ପୁଲିସର ଆଭିମୁଖ୍ୟ ଉପରେ ବି ଗୋଲକ ପ୍ରଶ୍ନ ଉଠାଇଛନ୍ତି। ଜଣେ ଅଭିଯୁକ୍ତର ବୟାନକୁ ଭିଡିଓ ରେକର୍ଡିଂ କରି ପୁଲିସ କିପରି ସାର୍ବଜନୀନ କଲା, ଏହାର ଜବାବ ମାଗିଛନ୍ତି ଗୋଲକ। ଅଭିଯୁକ୍ତର ବୟାନକୁ ସାର୍ବଜନୀନ କରିବା ବେଆଇନ ଏବଂ ଏସପି ଆଶିଷ ସିଂହ ଶାସକ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗୋଲକ।
ସେହିପରି ଏହି ପ୍ରସଙ୍ଗରେ ଗୋଲକ ମହାପାତ୍ରଙ୍କ ପଛରେ ଛିଡ଼ା ହୋଇଛି ରାଜ୍ୟ ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋଲକଙ୍କ ସପକ୍ଷରେ ମତ ଦେଇ କହିଛନ୍ତି, ଟେଲିଫୋନରେ କଥା ହେବା ଅପରାଧ ନୁହେଁ। ସେ ଜିଲ୍ଲାର ପ୍ରଭାରୀ ହୋଇଥିବାରୁ ଦଳୀୟ କର୍ମୀଙ୍କ ସହ କଥା ହେବାରେ କେଉଁଠି ଅସୁବିଧା ରହିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ସତ ପଦାକୁ ଆଣିବା ଲାଗି ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି।
ସେପଟେ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିବାକୁ ଆଗେଇ ଆସିଛି ବିଜେଡି। ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଅଭିଯୁକ୍ତକୁ ବିଜେପି ନେତା ସହଯୋଗ କରୁଥିବା ସତ ପ୍ରମାଣିତ ହେଲେ ସାଂଘାତିକ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ନେତାଙ୍କ ସଂପୃକ୍ତି ଧରା ପଡିଯିବା ଭୟରେ ଏସପି ଆଶିଷ ସିଂହଙ୍କ ବିରୋଧରେ ପ୍ରେସ ମିଟ୍ କରି ବାରମ୍ବାର ଅଭିଯୋଗ କରୁଥିଲା ବିଜେପି।
ବିଜେପି-ବିଜେଡି ମଧ୍ୟରେ ଏହି ଘଟଣାକୁ ନେଇ ବୟାନବାଜି ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି। ତେବେ ଏହାରି ଭିତରେ ଗୋଟିଏ କଥା ସତ ଯେ ଏହି ହତ୍ୟାକାଣ୍ଡର ପୂରା ତଦନ୍ତ ହେବାପରେ ରାଜ୍ୟ ରାଜନୀତିର ଅନେକ ଗୁମର ପଦାକୁ ଆସିବ।

Comment