(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧିକୁ ନେଇ ଆଜି ମହିଳା ବିଜେଡି ପ୍ରତିବାଦ କରିଛି। ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ହାତରେ ଗ୍ୟାସ୍‍ ସିଲିଣ୍ଡର ଧରି ମହିଳା ବିଜେଡି କର୍ମୀମାନେ ଅଭିନବ ପ୍ରତିବାଦ କରିଛନ୍ତି।

ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ୍‍ ହୋଇ ରାଜଭବନ ନିକଟରେ ଧାରଣାରେ ବସିଛନ୍ତି। ରୋଷେଇ ଘରେ ମୋଦି ସରକାର ଚଡ଼କ ପକାଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ତୁରନ୍ତ ବର୍ଦ୍ଧିତ ଗ୍ୟାସ୍‍ ମୂଲ୍ୟ ହ୍ରାସ କରିବାକୁ ବିଜେଡି ଦାବି କରିଛି।

ଏହି ଧାରଣାରେ ପ୍ରମିଳା ମଲ୍ଲିକଙ୍କ ସମେତ ମନ୍ତ୍ରୀ ଉଷା ଦେବୀ, ସ୍ନୋହାଙ୍ଗିନୀ ଛୁରିଆ, ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ମୁଖପାତ୍ର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

୧୪.୨କେ ଜି ଏଲ୍‌ପିଜି ସିଲିଣ୍ଡର ପିଛା ତୈଳ କମ୍ପାନୀ ୪ଟଙ୍କା ୬ ପଇସା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟ ନଭେମ୍ବର ୧ରୁ ଲାଗୁ ହୋଇଛି। ଏହି ନୀତିକୁ ବିଜେଡି ବିରୋଧ କରିଛି ।

ଆଜି ରାଜଭବନ ନିକଟରେ ଧାରଣା ଦେଇଥିବା ମହିଳା ବିଜେଡି ଆସନ୍ତା ୬ ତାରିଖରେ ୩ଟି ଆରର୍ଡିସି ଅଫିସ ସମ୍ମୁଖରେ ପ୍ରତିବାଦ କରିବ। ଗ୍ୟାସ ମୂଲ୍ୟ ହ୍ରାସ ନହେଲେ ବ୍ଲକ ସ୍ତରରେ ପ୍ରତିବାଦ କରାଯିବ ବୋଲି ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

Comment