(ଓଡ଼ିଶାଲାଇଭ୍‍ ବ୍ୟୁରୋ)

  • ଆରମ୍ଭ ହେଲା ବୋଟିଂ ବ୍ୟବସ୍ଥା
  • ଟେଣ୍ଟ୍ ଭିତରେ କରିହେବ ରାତ୍ରିଯାପନ
  • ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କଲେ ରେଞ୍ଜର୍

ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆରମ୍ଭ ହୋଇଗଲା ପିକ୍‌ନିକ୍‌ ସିଜିନ୍‌। ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ଏବେ ଓଡ଼ିଶାର ବିଭିନ୍ନ ପିକ୍‌ନିକ୍‌ ସ୍ପଟ ଅପେକ୍ଷା କରିଛି। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟ ବୁଧବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ପ୍ରଥମ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗ ହାଓଡାର ସୁପ୍ରତିମ ଲାହା ଅଭୟାରଣ୍ୟ ବୁଲିଛନ୍ତି। ତାଙ୍କୁ ରେଞ୍ଜ ଅଫିସର ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।

ରେଞ୍ଜ ଅଫିସର ଲକ୍ଷ୍ମଣ ପ୍ରଧାନ କହିଛନ୍ତି, “ଚଳିତବର୍ଷ କୁଲଡିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବନବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ ପଦକ୍ଷେପ ନିଆଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ନେଚର୍ସ ପାର୍କ ବୋଟିଂ ବ୍ୟବସ୍ଥା କରାଯାଇଛି। ଏହାସହ ଟେଣ୍ଟ ଭିତରେ ପର୍ଯ୍ୟଟକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।”

କେଉଁଠି ରହିବେ

ପର୍ଯ୍ୟଟକଙ୍କ ରହିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଗୋଟିଏ ରୁମ୍‌ରେ ଦୁଇ ଜଣ ପର୍ଯ୍ୟଟକ ରହିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ। ୪ ଚକିଆ ଯାନ ପାଇଁ ୧୦୦ ଟଙ୍କା, ଜଣେ ବ୍ୟକ୍ତିର ପ୍ରବେଶ ପାଇଁ ୪୦ ଟଙ୍କା, କ୍ୟାମେରା ପାଇଁ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଗତବର୍ଷ ୪ ଲକ୍ଷ ୯୨ ହଜାର ୭୧୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ଚଳିତବର୍ଷ ଅଧିକ ରାଜସ୍ୱ ପାଇବା ପାଇଁ ବନବିଭାଗ ଲକ୍ଷ୍ୟ ରଖିଛି।  ପ୍ରଥମ ପର୍ଯ୍ୟାୟରେ ୯୮ ଲକ୍ଷ ଟଙ୍କା ବ୍ୟୟବରାଦରେ ଅଭୟାରଣ୍ୟ ମଧ୍ୟରେ ଟ୍ରେଞ୍ଚ ଖୋଳାଯାଇ ତମ୍ବୁ ଘର, ରୋଷେଇଘର କରିବା ସହିତ ନିକଟସ୍ଥ ଚେମଚଟାରେ ଏକ ବିସ୍ତୀର୍ଣ୍ଣ ଘାସପଡ଼ିଆ କରାଯାଇଛି। ଗୋହିରାଭଳଠାରେ ଦେୟମୁକ୍ତ ରାତ୍ରି ଯାପନ ସହିତ ଖାଦ୍ୟପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି।

କୁଲଡିହାର ଆକର୍ଷଣ

ଦୀର୍ଘ ସାଢ଼େ ଚାରି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଖୋଲାଯାଇଥିବାରୁ ପର୍ଯ୍ୟଟକଙ୍କ ଭିତରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟରେ ବିଭିନ୍ନ ବନ୍ୟଜନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାନ୍ତି। ଭାଲୁ, ବାଘ, ହାତୀ, କୁଟୁରା, ହରିଣ, ସମ୍ବର, ବାରା ଆଦି ବନ୍ୟଜନ୍ତୁ ସମେତ ଶୁଆ, ଶାରୀ, ଚିଲ, ମୟୂର, କୁଚିଳାଖାଈ ସହ ବହୁ ବିଦେଶୀ ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ମିଳନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ବନ୍ୟପ୍ରାଣୀମାନଙ୍କୁ ଦେଖି ପର୍ଯ୍ୟଟକ ବେଶ ମଜା ନେଇଥା’ନ୍ତି।

କେମିତି ଯିବେ

ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡରେ ରହିଛି କୁଲ୍‌ଡିହା ଅଭୟାରଣ୍ୟ। ଏହି ପିକ୍‌ନିକ୍‌ ସ୍ପଟ୍‌କୁ ଯିବା ପାଇଁ ସେମିତି କିଛି ସିଧାସଳଖ ସୁବିଧା ନାହିଁ। ଏହି ପର୍ଯ୍ୟଟନସ୍ଥଳ ଉଭୟ କୋଲକାତା ଏବଂ ଭୁବନେଶ୍ବରଠାରୁ ୩୦୦ କି ମି ଦୂରରେ ଅବସ୍ଥିତ। ତେବେ ଯେଉଁ ପର୍ଯ୍ୟଟକ ଭୁବନେଶ୍ବର ଏବଂ କୋଲକାତାରୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଥମେ ବାଲେଶ୍ବର ଆସିବାକୁ ପଡ଼ିବ। ଟ୍ରେନ୍‌ରେ ଆସିଲେ ବାଲ୍ବେର ଷ୍ଟେସନରେ ଓହ୍ଲାଇବାକୁ ପଡ଼ିବ ଏବଂ ବସ୍‌ରେ ଆସିଲେ ବାଲେଶ୍ବର ବସ୍‌ ଷ୍ଟାଣ୍ଡରେ ଓହ୍ଲାଇବାକୁ ପଡ଼ିବ। ବାଲେଶ୍ବରରୁ ପର୍ଯ୍ୟଟକମାନଙ୍କୁ ଅଟୋ କିମ୍ବା କାର୍‌ ଭଡ଼ା କରି କୁଲ୍‌ଡ଼ିହା ଯିବାକୁ ପଡ଼ିବ। ବାଲେଶ୍ବର ସଦରମହକୁମାରୁ କୁଲଡିହାର ଦୂରତା ୩୦ କି ମି।

1 COMMENT

Comment