(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଏବେ ବିଜେପି-କଂଗ୍ରେସ ପାଇଁ ପାଲଟିଛନ୍ତି ପ୍ରମୁଖ ଅସ୍ତ୍ର। ବୃନ୍ଦାଙ୍କୁ ଏହି ଦୁଇ ଦଳ ବିଜେପୁର ରାଜନୀତି ପଶାପାଲିରେ ଗୋଟି କରି ଶାସକ ଦଳକୁ ଘେରିବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ।

ବିଜେପୁର ଉପ-ନିର୍ବାଚନ ପାଇଁ ପାଗ ଭିଡ଼ିଛନ୍ତି ୩ ରାଜନୈତିକ ଦଳ। ବିଜେପୁର ଦଖଲ ପାଇଁ ଦମ୍‌ ଦେଖାଇଛନ୍ତି ବିଜେଡି-ବିଜେପି-କଂଗ୍ରେସ। ବିଜେଡି ବିଜେପୁର ଆସନ ହାତେଇବା ପାଇଁ ଜୋରଦାର ଅଣ୍ଟା ଭିଡ଼ିଥିବା ବେଳେ କଂଗ୍ରେସ-ବିଜେପି ପଛରେ ପଡ଼ି ଯାଇଥିଲେ। ବିଜେଡିର ନୂଆ ଯୋଜନା ଭିତରେ ଦୁଇ ବିରୋଧୀ ଦଳ ହଜି ଯାଇଥିଲେ। ଯୋଗକୁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଚାଷୀ ବୃନ୍ଦା ସାହୁ ଜୀବନ ହାରିଛନ୍ତି। ଆଉ ଏହାକୁ ହିଁ ଉଭୟ କଂଗ୍ରେସ ଏବଂ ବିଜେପି ବିଜେପୁର ରାଜନୀତି ପଶାପାଲିରେ ଗୋଟି କରିଛନ୍ତି।

ବୃନ୍ଦା ପରିବାରକୁ କୌଣସି ସହାୟତା ମିଳିବ ନାହିଁ ବୋଲି ରାଜ୍ୟ କୃଷି ମନ୍ତ୍ରୀ ସ୍ପଷ୍ଟ କରିବା ପରେ ଦୁଇ ବିରୋଧୀ ଏବେ ବିଜେପୁର ମଇଦାନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଏକ ଟିମ୍‌ ବୃନ୍ଦା ପରିବାରକୁ ଭେଟି ରାଜନୀତି କାର୍ଡ ଖେଳିଥିବା ବେଳେ ବିଜେପି ବୃନ୍ଦା ପୁଅ-ଝିଅଙ୍କ ପାଠପଢ଼ା ବୁଝିବ କହି ଅନୁକମ୍ପା ପାଇବା ପାଇଁ ଚେଷ୍ଟା କରିଛି। ଆଉ କୃଷିମନ୍ତ୍ରୀଙ୍କ ବୟାନକୁ ସମ୍ବେଦନଶୀଳ କହି ବିଜେପୁର ଭୋଟରଙ୍କ ନିକଟତର ହେବା ଲାଗି ଉଦ୍ୟମ କରିଛି।

ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେଡି ଦୁଇ ପାଦ ଆଗରେ ରହିଥିଲା। ପ୍ରାର୍ଥୀ ଘୋଷଣାଠାରୁ ଆରମ୍ଭ କରି କ୍ୟାମ୍ପେନ୍‌ ପର୍ଯ୍ୟନ୍ତ ସବୁଠି ବିଜେଡି ରହିଥିଲା ଚର୍ଚ୍ଚାରେ। ଏପରିକି ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଛାଇ ନଥିଲେ। ଚାଷୀଙ୍କ ଜମିକୁ ଜଳସେଚନ କରିବା ପାଇଁ ୧୨୪୬ କୋଟି ବ୍ୟୟବରାଦରେ ଭୂତଳ ଜଳସେଚନ ପ୍ରକଳ୍ପ ଘୋଷଣା କରି ଭୋଟ ନେବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ବିଜେଡି। ହେଲେ କ୍ୟାମ୍ପେନ୍‌ ଆରମ୍ଭ ହେବା ପୂର୍ବରୁ ଚକଡ଼ା ପୋକ ସବୁ ବିଗାଡ଼ି ଦେଲା। ଚାଷୀ ବୃନ୍ଦା ସାହୁଙ୍କ ଜୀବନ ଚାଲିଯିବା ପରେ ବର୍ତ୍ତମାନ ବିଜେପୁର ଗଣିତ ଭିନ୍ନମୋଡ଼ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ଏବଂ ବିଜେପି ଯେଉଁଭଳି ଢଙ୍ଗରେ ବୃନ୍ଦା ପରିବାରକୁ ଅସ୍ତ୍ର କରିଛନ୍ତି ତାହା ବିଜେପୁରରେ କିଛି ବି ଘଟାଇପାରେ ବୋଲି ଆଲୋଚନା ହେଉଛି। କଂଗ୍ରେସ ବୃନ୍ଦା ସାହୁଙ୍କ ଆତ୍ମହତ୍ୟାକୁ ପ୍ରମୁଖ ଅସ୍ତ୍ର କରିଛି। ଗୁରୁବାରଠାରୁ ମୃତ ଚାଷୀ ବୃନ୍ଦାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ପଦାନ ଦାବିରେ ଏହି ବିରୋଧୀ ଦଳ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛି। ଏପରିକି ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ପିସିସି ସଭାପତି।

ବିଜେପି ମଧ୍ୟ ଘନଘନ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଘେରିଛି। ବିଜେପି ଏବଂ ବିଜେଡିର ଚାଷୀ ଅସ୍ତ୍ରରେ ବିଜେଡି ଶିବିରରେ କମ୍ପନ ହୋଇଛି। କୃଷିମନ୍ତ୍ରୀ ସହାୟତା ଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏବେ ରାଜନୀତି ନିଆଁ ହୁତହୁତ ହୋଇ ଜଳୁଛି। ଏଣୁ ଏହି ନିଆଁକୁ ଶାସକ ବିଜେଡି କିପରି ମୁକାବିଲା କରୁଛି ତାହା ଅପେକ୍ଷା କରି ଦେଖିବାର କଥା।

 

Comment