(ଭାସ୍କର ପରିଚ୍ଛା)

ଅନ୍ଧବିଶ୍ୱାସ ଫଳରେ ମୟୁରଭଞ୍ଜ ଜିଲ୍ଲାର ମଧୁପୁର ଗାଁରେ କିଭଳି ଏକ ବିଭତ୍ସ ଘଟଣା ଘଟିଛି ତାହା ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଡାହାଣୀ ସନ୍ଦେହରେ ୫ ଜଣ ମହିଳା ଆକ୍ରମଣର ଶିକାର ହୋଇଥିବା ଘଟଣାର ଭିଡିଓ ପ୍ରତିରୂପ ସର୍ବସାଧାରଣରେ ପ୍ରସାରିତ ହେବା ପରେ ପୋଲିସ ଏନେଇ ତନାଘନା ଆରମ୍ଭ କରିଛି।

ଘଟଣାଟି କିଛି ଏହି ଭଳି।ଗତ ମାସ ରେ ଏହି ଗାଁର କେତେକ ଲୋକ ଅଜଣା କାରଣରୁ ମୃତ୍ୟୁବରଣ କରିଥିଲେ। ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା ଯେ ଏହା ଜଣେ ଗୁଣିଆର କାମ। ଏହି ଗୁଣିଆ ଜଣକ ଆଉ ୫ ଜଣ ମହିଳାଙ୍କ ନାମ ପ୍ରକାଶ କରିବା ପରେ ଲୋକେ ସେହି ମହିଳା ମାନଙ୍କୁ ଗଛରେ ବାନ୍ଧି ନୃଶଂସ ଭାବେ ପ୍ରହାର କରିଥିଲେ।

ମଧୁପୁରର ଏହି ଡାହାଣୀ ଘଟଣା ଏକା ନୁହେଁ। ଏଭଳି ବହୁ ଘଟଣା ଓଡ଼ିଶାରେ ଘଟୁଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଡାହାଣୀ ସନ୍ଦେହଜନିତ ହିଂସା ଅଧିକ ଦେଖିବାକୁ ମିଳୁଛି। କେବଳ ଓଡ଼ିଶା ନୁହେଁ ପଡୋଶୀ ଝାଡ଼ଖଣ୍ଡରେ ମଧ୍ୟ ଏହି ଭଳି ନୃଶଂସ କାରବାର ବରାବର ଘଟୁଥିବା ବିଷୟ ଖବର କାଗଜରେ ପଢିବାକୁ ମିଳିଥାଏ।

ବିଭିନ୍ନ କ୍ଷେତ୍ରରେ ଓଡିଶା ଅଗ୍ରଗତି ହେଉଥିବା ବେଳେ ଏଠାକାର ଆଦିବାସୀ ସମାଜରେ ଯେଉଁ ଜଡତା ଓ ଅନ୍ଧବିଶ୍ୱାସ ରହିଛି ତାହା ନିଶ୍ଚୟ ଉଦବେଗର ବିଷୟ।

ଜାତୀୟ ଅପରାଧ ବ୍ୟୁରୋର ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ ଝାଡ଼ଖଣ୍ଡ ପରେ ଦ୍ୱିତୀୟ ରାଜ୍ୟ ହେଉଛି ଓଡ଼ିଶା ଯେଉଁଠି ଡାହାଣୀ ଭଳି ଅନ୍ଧବିଶ୍ୱାସ ବ୍ୟାପକ ଭାବରେ ରହିଛି। ଦୁର୍ଭାଗ୍ୟର ବିଷୟ ଏହି ଅଭିଯୋଗରେ ମହିଳାମାନଙ୍କୁ ହିଁ ଜୀବନ ଦେବାକୁ ହେଉଛି।

୨୦୧୫ ମସିହାରେ ଗୁଣିଗାରେଡି ସମ୍ପର୍କିତ ୩୨ଟି ହତ୍ୟାକାଣ୍ଡ ଝାଡ଼ଖଣ୍ଡରେ ଘଟିଥିବା ବେଳେ ଓଡ଼ିଶାରେ ୨୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହିସବୁ ହତ୍ୟାର ଶିକାର ହୋଇଥିଲେ କେବଳ ମହିଳା।

ଏଥିରୁ ଆମେ କଣ ବୁଝିବା? ପ୍ରଥମ,ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଶିକ୍ଷାର ଅଭାବ। ଦ୍ୱିତୀୟ, ପୁରୁଷପ୍ରଧାନ ସମାଜରେ ମହିଳାଙ୍କୁ ସହଜ ଟାର୍ଗେଟ। ତୃତୀୟ, ଜନସଚେତନତା ସୃଷ୍ଟି କରିବା ଦିଗରେ ବ୍ୟକ୍ତି, ଅନୁଷ୍ଠାନ ଓ ସରକାରୀ ସଂସ୍ଥାର ତମାମ ବିଫଳତା।

ଓଡ଼ିଶାରେ ୨୦୧୩ ମସିହାରୁ ଏକ ଆଇନ ପ୍ରଣୟନ କରିଛନ୍ତି ସରକାର। ଓଡ଼ିଶା ପ୍ରିଭେନସନ ଅଫ ୱିଚ ହଣ୍ଟିଂ ଆକ୍ଟ। ଏହାସତ୍ତ୍ୱେ ରାଜ୍ୟରେ ଲଗାତାର ବହୁଳ ସଂଖ୍ୟାରେ ଡାହାଣୀ ଜନିତ ହତ୍ୟା ମାମଲା ଥାନାକୁ ଆସୁଛି। ନିର୍ଦ୍ଦିଷ୍ଟ ଭାବେ ଏହି କେତୋଟି ଜିଲ୍ଲାରେ ଡାହାଣୀ ହତ୍ୟା ବହୁଳ ଭାବରେ ଘଟୁଥିବା ଦେଖାଯାଉଛି: ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ମାଲକାନଗିରି ଓ କେନ୍ଦୁଝର।

ବିଶେଷଜ୍ଞମାନଙ୍କ ମତରେ ଆଦିବାସୀ ସମାଜରେ ଗରିବୀ ଓ ଶିକ୍ଷାର ଅଭାବ ଯୋଗୁଁ ଏବେ ବି ଅନ୍ଧବିଶ୍ୱାସ ବସାବାନ୍ଧି ରହିଛି। ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ କହନ୍ତି, “ଗାଁ ଗହଳିରେ ମହିଳାମାନଙ୍କୁ ଡାହାଣୀ କହି ସେମାନଙ୍କୁ ନିର୍ଯ୍ୟାତନା ଦେବା ଏକ ସାଧାରଣ ଘଟଣା। ଅନେକ ସମୟରେ ବିଭିନ୍ନ ସମସ୍ୟାର ନିଦାନ ପାଇଁ ମହିଳାମାନଙ୍କୁ ଡାହାଣୀ କହି ହତ୍ୟା କରାଯିବା ଦେଖାଯାଉଛି। ସାମାଜିକ ବିକାଶ ହୋଇନଥିବା କାରଣରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ଘଟଣା ଘଟୁଛି।”

ଗତବର୍ଷ ଏକ ଲୋମ ଟାଙ୍କୁରିଉଠିବା ଭଳି ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲାରେ। ଡାହାଣୀ ସନ୍ଦେହରେ ଗୋଟିଏ ହିଁ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା, ଯେଉଁଥିରେ ୪ ଜଣ ଶିଶୁ ସାମିଲ ଥିଲେ। ଏହି ଘଟଣାଟି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହେଲା ଓ ଅନ୍ଧବିଶ୍ୱାସ ସହିତ ଲଢିବାରେ ସରକାରଙ୍କ ଅସମର୍ଥତା ସାମ୍ନାକୁ ଆସିଥିଲା।

କିଛି ମାସ ତଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସରକାର ନିରନ୍ତର ଲୋକଙ୍କୁ ଏନେଇ ସଚେତନ କରୁଛନ୍ତି। କିନ୍ତୁ ଆଦିବାସୀ ଇଲାକାରେ ଏହା ହଟିବା ନାଁ ନେଉନାହିଁ। ସୁତରାଂ, ଏ ଦିଗରେ ସ୍କୁଲ, କଲେଜ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ବେଶ୍ କିଛି କରିବାର ଆବଶ୍ୟକତା ଅଛି। ସେହିଭଳି ପୋଲିସ ଥାନା ଅଧିକାରୀ ଏବଂ କର୍ମଚାରୀମାନେ ଚାହିଁଲେ ଏହି ଘୃଣ୍ୟପ୍ରଥାକୁ ବନ୍ଦ କରିଦେଇପାରିବେ।

ଉଲ୍ଲେଖନୀୟ ବିଷୟ ହେଲା ଓଡ଼ିଶା ଡାହାଣୀ ପ୍ରତିରୋଧ ଆଇନରେ କେବଳ ଡାହାଣୀ ବନ୍ଦ କରିବା କଥା କୁହାଯାଇନାହିଁ, ବରଂ ଏହା ଏକ ଜାମିନବିହୀନ ଅପରାଧ ମଧ୍ୟ। ଏଭଳି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତିନି ବର୍ଷ ଜେଲ ଓ ଏକ ହଜାର ଟଙ୍କା ଜୋରିମାନା କରାଯାଇପାରେ।

ଡାହାଣୀ ଭଳି ଅନ୍ଧବିଶ୍ୱାସ ସମ୍ପର୍କରେ ସୂଚନା କମିଶନର ଡକ୍ଟର ଶଶିପ୍ରଭା ବିନ୍ଧାଣୀ କହନ୍ତି, ଗୁଣିଗାରେଡି ଏବଂ ଡାହାଣୀ ଉପରେ ଅଧିକ ଗବେଷଣା କରିଥିବା ଆକ୍ଟିଭିଷ୍ଟ ତଥା ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ କହିଛନ୍ତି, “୫ ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ମାଡ଼ ମାରିବା ହେଉଛି ଏକ ଅପରାଧ। ଏଣୁ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତଙ୍କ ବ୍ୟକ୍ତିଙ୍କୁ ଗିରଫ କରାଯିବା ଦରକାର। ଏହି ଘଟଣାକୁ ଦେଖି ନୀରବ ରହିଥିବା ବ୍ୟକ୍ତି ମଧ୍ୟ ଦୋଷମୁକ୍ତ ନୁହନ୍ତି। ଏଣୁ ସେମାନଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେବା ଦରକାର।”

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment