ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ପରେ ଶନିବାର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ଟିମ୍‌। ଉଜୁଡ଼ା କ୍ଷେତ ବୁଲି ଦେଖିବା ସହ ଫସଲହାନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଟିମ୍‌।

ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍‌। ଆଜି ନୂଆପଡ଼ାରେ ଉଜୁଡ଼ା କ୍ଷେତକୁ ଦେଖିବା ପରେ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ସରକାରଙ୍କୁ ଟାର୍ଗଟେ କରିଛନ୍ତି।  ଚାଷୀଙ୍କ ସ୍ବାର୍ଥ ରକ୍ଷା କରିବାରେ ରାଜ୍ୟ ସରକାର ବିଫଳ ବୋଲି ଏହି ଟିମ୍‌ ଅଭିଯୋଗ କରିଛନ୍ତି।

ବିଜେପିର ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାରଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ ପ୍ରଥମେ ସର୍ବାଧିକ କ୍ଷତିଗ୍ରସ୍ତ ବରଗଡ଼ ଜିଲ୍ଲା ଅଭିମୁଖେ ଯାଇଥିଲେ। ବିଭିନ୍ନ ବ୍ଲକରେ ଉଜୁଡ଼ା ଫସଲ ଦେଖିବା ପରେ ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ବରଗଡ଼ ପରେ ଆଜି କେନ୍ଦ୍ରୀୟ ଟିମ୍‌ ନୂଆପଡ଼ା ଯାଇଥିଲେ। ଚାଷୀଙ୍କ ସହ ଆଲୋଚନା କରିଥିଲେ।

ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ପି ସୁଗୁନାକର ରାଓ କହିଛନ୍ତି, “ଦୟନୀୟ ସ୍ଥିତିରେ ରହିଛନ୍ତି ଓଡ଼ିଶା ଚାଷୀ। ଚାଷୀମାନଙ୍କ ସ୍ବାର୍ଥ ରକ୍ଷା କରିବାରେ ରାଜ୍ୟ ସରକାର ବିଫଳ। ଚାଷୀମାନେ ଫସଲହାନିକୁ ନେଇ ନିରାଶ ହୋଇ ଯାଉଥିବା ବେଳେ ସେମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ଦୁଭାର୍ଗ୍ୟଜନକ।

ଏହି ଜଣିଆ କେନ୍ଦ୍ରୀୟ ଟିମ୍‌ରେ ସାଂସଦ ସାବିତ୍ରି ଠାକୁର, ଓମ୍‌ ପ୍ରକାଶ ଯାଦବ, କୃଷକ ମୋର୍ଚ୍ଚା ଉପ-ସଭାପତି ମହେଶ୍ବର ସାହୁ, ସମ୍ପାଦକ ଡାକ୍ତର ଶମ୍ଭୁ କୁମାର ଏବଂ ଆନ୍ଧ୍ରପ୍ରଦେଶ ବିଜେପି କୃଷକ ମୋର୍ଚ୍ଚା ସଭାପତି ପି ଟି ରାଓ ପ୍ରମୁଖ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦେଖିବା ପରେ ପି ଟି ରାଓ କହିଛନ୍ତି, “ଫସଲହାନି ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଚାଷୀମାନଙ୍କୁ ସହାୟତା କରିବା ପାଇଁ ସରକାର କୌଣସି ଆଗୁଆ ପଦକ୍ଷେପ ନେଲେ ନାହିଁ। ଚାଷୀମାନଙ୍କ ନିକଟରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି।”

ଆସନ୍ତା ଦୁଇ ଦିନରେ ଏହି କେନ୍ଦ୍ରୀୟ ଟିମ୍‌ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଗଞ୍ଜାମ, ନୟାଗଡ଼ ଜିଲ୍ଲା ଗସ୍ତ କରିବେ। ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ପ୍ରଦାନ କରିବେ।

 

Comment