ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀଙ୍କୁ ଅସ୍ତ୍ର କରିଛି ବିଜେପି। ବିଜେପି କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତ ସାରି ନଯାଉଣୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏକ ବିଶେଷଜ୍ଞ ଟିମ୍‌ ସହ ଓଡ଼ିଶା ଆସିବା ଘଟଣା ପାଲଟିଛି ଚର୍ଚ୍ଚାର ବିଷୟ।

ରବିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ। ଶେଖାଓ୍ବତଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ଦଳ ମଧ୍ୟ ଓଡ଼ିଶା ଆସୁଛନ୍ତି। ଏହି ଟିମ୍‌ ରବିବାର ସକାଳ ୯ଟାରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଫସଲହାନି ଅଞ୍ଚଳ ଗସ୍ତରେ ଯିବେ।

ପ୍ରଥମ ଦିନ ଏହି ଟିମ୍‌ ସୁବଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲା ଯିବା ସହ ସୋମବାର ବରଗଡ଼ ଜିଲ୍ଲା ଗସ୍ତ କରିବେ। ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିବେ। ଏହି ଗସ୍ତ ଅବସରରେ କୃଷି ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ର କୃଷି ଅଧିକାରୀ ଏବଂ ରାଜ୍ୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରିବେ। ସୋମବାର ଏହି ଟିମ୍‌ ରାୟପୁର ଦେଇ ଦିଲ୍ଲୀ ଫେରିଯିବେ।

ଏପଟେ ବିଜେପି କେନ୍ଦ୍ରୀୟ ଟିମ୍‌ର ଗସ୍ତ ଶେଷ ନହେଉଣୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ରାଜ୍ୟ ରାଜନୀତି ପାଣିପାଗକୁ ସରଗରମ୍ କରିଛି। ୬ ଜଣିଆ କେନ୍ଦ୍ରୀୟ ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ରାଜ୍ୟ ରାଜନୀତିରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି।

ରାଜ୍ୟ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, “ମନ୍ତ୍ରୀ ଆସୁଥିବା ଆମ ପାଖରେ ଖବର ନାହିଁ। ସେ କୁଆଡେ ଆସୁଛନ୍ତି ତା ଜଣାନାହିଁ। ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବାର ଥିଲେ ପ୍ରଥମେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଆଲୋଚନା ନକରୁ। ତାହା ନକରି ଓଡ଼ିଶାରେ ଅନୁପ୍ରବେଶ କରିବା ଠିକ୍ ନୁହେଁ।”

 

Comment