ଓଡ଼ିଶାଲାଇଭ୍‌ ବ୍ୟୁରୋ

ରସଗୋଲା ସହ କନ୍ଧମାଳ ହଳଦୀ ପାଇଁ ଜିଆଇ ଟ୍ୟାଗ୍‌ ହାସଲ ଲାଗି ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ହଳଦୀକୁ ଜିଆଇ ଟ୍ୟାଗ୍ ଦେବା ଲାଗି ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର ବା ସିଟିଟିସି ପ୍ରାରମ୍ଭିକ ପର୍ଯ୍ୟାୟ ତଥ୍ୟ ସଂଗ୍ରହ କରିଛି।

କନ୍ଧମାଳ ହଳଦୀରେ ଉଭୟ ହର୍ବାଲ ଏବଂ ଔଷଧୀୟ ଗୁଣ ଭରି ରହିଛି। ଏସବୁ ତଥ୍ୟକୁ ଆଧାର କରି ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଚଳିତ ମାସ ଶେଷ ସୁଦ୍ଧା କାଗଜପତ୍ର ଦାଖଲ କରାଯିବ। ଆସନ୍ତା ଜାନୁୟାରୀ ସୁଦ୍ଧା ଜିଆଇ ଟ୍ୟାଗ୍‌ ମିଳିବ ବୋଲି ଆଶା ରହିଛି।

ସେହିପରି ରସଗୋଲା ପାଇଁ ଜିଆଇ ଟ୍ୟାଗ୍‌ ହାସଲ କରିବାକୁ ଉଦ୍ୟମ କରାଯାଉଛି। ବୁଧବାର ସଚିବାଳୟରେ ସଚିବ ସ୍ତରୀୟ ବୈଠକ ଶେଷ ହେବା ପରେ ଆଜି ଏନେଇ ଏମ୍‌ଏସ୍‌ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁହଁ ଖୋଲିଛନ୍ତି। କହିଛନ୍ତି, ଦରକାର ପଡ଼ିଲେ ରସଗୋଲା ପାଇଁ ଆମେ କୋର୍ଟକୁ ଯିବୁ।

ପ୍ରଫୁଲ୍ଲ ସାମଲ କହିଛନ୍ତି, “ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ୭ ଦିନ ଭିତରେ ଆବେଦନ କରାଯିବ। ଏହାର ଉତ୍ପତ୍ତିସ୍ଥଳ ଓଡ଼ିଶା ବୋଲି ଦର୍ଶାଇବାକୁ କୋର୍ଟର ଆଶ୍ରୟ ନିଆଯିବ। ଏଥିପାଇଁ ଆଇନଗତ ପରାମର୍ଶ ନିଆଯାଉଛି। ଏହି ପ୍ରକ୍ରିୟା ଶେଷହେବା ମାତ୍ରେ ଚେନ୍ନାଇସ୍ଥିତ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ।“

ବଂଲା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଓଡ଼ିଶା ସରକାର ତତ୍ପରତା ଦେଖାଇଛନ୍ତି। ରସଗୋଲା ଓଡ଼ିଶାର ବୋଲି ସରକାର ଯୁକ୍ତି ଦର୍ଶାଉଛନ୍ତି। ହେଲେ ଏପର୍ଯ୍ୟନ୍ତ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରି ନଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Comment