ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଗତ କିଛି ଦିନ ଧରି ଆଧାର କାର୍ଡ ସହିତ ଅତ୍ୟନ୍ତ ଆବଶ୍ୟକୀୟ ଦଲିଲକୁ ଲିଙ୍କ କରିବା ପାଇଁ ସରକାରଙ୍କ ପକ୍ଷରୁ ତୁହାକୁ ତୁହା କୁହାଯାଇଛି। ଭାରତର ନାଗରିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ପରିଚୟ ପତ୍ର ଆଧାର ଏବେ ଅପରିହାର୍ଯ୍ୟ ହୋଇପଡିଛି। ଆସନ୍ତୁ ଜାଣିବା କେଉଁ କେଉଁ ଡକ୍ୟୁମେଣ୍ଟ ସହିତ ଆଧାର ସଂଯୋଗ ଜରୁରୀ ଓ କେବେ ସୁଦ୍ଧ। ଏହା କରିବାକୁ ହେବ।

ବ୍ୟାଙ୍କ ଆକାଉଣ୍ଟ
ଚଳିତ ବର୍ଷ ଡିସେମ୍ବର ୩୧ ପୂର୍ବରୁ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ଜରୁରୀ।ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡ଼ା ନ ହେଲେ ସରକାରଙ୍କ ବିଭିନ୍ନ ସୁବିଧା ଯଥା ଭତ୍ତା, ବୃତ୍ତି, କଲ୍ୟାଣମୂଳକ କାର୍ଯ୍ୟକ୍ରମର ଅର୍ଥ ମିଳିବ ନାହିଁ। ଆଜିକାଲି ସବୁ ଆର୍ଥିକ ସହାୟତା ପାଇଁ ଏହି ଲିଙ୍କ ନିହାତି ଆବଶ୍ୟକ।

ପ୍ୟାନ୍ କାର୍ଡ
ସେହି ଡିସେମ୍ବର ୩୧ ସୁଦ୍ଧା ପ୍ୟାନ୍ କାର୍ଡ ସହିତ ଆଧାର ଲିଙ୍କ ଜରୁରୀ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ କହିଛି ଯେ ଟିକସ ପୈଠ ପାଇଁ ପ୍ୟାନ୍ ଓ ଆଧାର ନମ୍ବର ଯୋଡ଼ା ଯିବା ଆବଶ୍ୟକ।

ରାସନ କାର୍ଡ
ରାସନ କାର୍ଡ ସହିତ ଆଧାର କାର୍ଡ ଅନ ଲାଇନରେ କିମ୍ବା ଅଫଲାଇନରେ ସଂଯୋଗ କରାଯାଇପାରେ। ଆବେଦନକର୍ତ୍ତାଙ୍କୁ ନିଜ ପାସପୋର୍ଟ ସାଇଜ ଫୋଟୋ ଓ ବ୍ୟାଙ୍କ ପାସବୁକ୍ ନେଇ ପଡ଼ିକାର୍ଡ ଅଫିସରେ ଜମା କରିବାକୁ ହେବ। କାଗଜପତ୍ର ଯାଞ୍ଚ ହେବା ପରେ ଏଥିପାଇଁ ଏକ ଏସଏମଏସ ମ୍ୟାସେଜ୍ ଆସିବ। ଆଧାର କାର୍ଡ ସହିତ ରାସନ କାର୍ଡ ଯୋଡ଼ା ନ ହେଲେ ଆପଣଙ୍କ ଚାଉଳ ଗହମ ହଡ଼ପ ହେବାର ଆଶଙ୍କା ରହିଛି।

ଭୋଟର ତାଲିକା
ଭୋଟର ତାଲିକାରେ ଆପଣଙ୍କ ନାମ ସାମିଲ ହୋଇଥିଲେ ନିଜର ଭୋଟ ପରିଚୟ ପତ୍ର ସହିତ ଆଧାର କାର୍ଡକୁ ଲିଙ୍କ କରାଯାଇପାରିବ। ଅନଲାଇନରେ ଏହା କରିହେବ। ଏଥିପାଇଁ ଦରକାର ଫୋନ ନମ୍ବର। ଆପଣ ଏହାକୁ ଏସଏମଏସ ଜରିଆରେ ବି କରିପାରିବେ କିମ୍ବା ଭୋଟର ପରିଚୟ ପତ୍ର କେନ୍ଦ୍ରକୁ ଯାଇ କରିପାରିବେ। ଏହି ଲିଙ୍କ ଫଳରେ ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ରହିବା ବନ୍ଦ ହୋଇଯାଇପାରିବ।

ଏଲପିଜି ଗ୍ୟାସ
ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ଲିଙ୍କ ହେଲେ ପ୍ରତି ମାସରେ ସରକାରଙ୍କ ପକ୍ଷରୁ ମିଳୁଥିବା ରିହାତି ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

ମୋବାଇଲ ନମ୍ବର
ମୋବାଇଲ ନମ୍ବର ସହିତ ଆଧାର ନମ୍ବର ଯୋଡ଼ିବା ଅତ୍ୟନ୍ତ ଜରୁରୀ। ଯେଉଁମାନେ ଏହା କରିନାହାନ୍ତି ସେମାନେ ତୁରନ୍ତ ଏହା କରିନେବା ଦରକାର। ଯେ କୌଣସି ରିଚାର୍ଜ ଦୋକାନରେ ଏହା କରାଯାଇପାରିବ। ବାୟୋମେଟ୍ରିକ୍ ଯାଞ୍ଚ ପାଇଁ ଆପଣଙ୍କୁ ନିଜ ମୋବାଇଲ ଫୋନକୁ ସାଙ୍ଗରେ ନେଇ ଯିବାକୁ ହେବ। ଏଥିରେ ଆସିବା ଓଟିପି ଯାଞ୍ଚ ହେଲେ ଯାଇ ମୋବାଇଲ ସହ ଆଧାର କାର୍ଡ ଯୋଡ଼ି ହୋଇପାରିବ। ଆସନ୍ତା ଫେବୃଆରୀ ୬ ତାରିଖ ସୁଦ୍ଧା ମୋବାଇଲ-ଆଧାର ଯୋଡ଼ା ନ ହେଲେ ସିମଟି ଅଚଳ ହୋଇଯିବ।

ଡ୍ରାଇଭିଂ ଲାଇସେନ୍ସ
ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଆଧାର କାର୍ଡ ଜରୁରୀ। ଗାଡି ସଂପର୍କିତ ସମସ୍ତ ପ୍ରକାର କାରବାର କରିବାକୁ ହେଲେ ମଧ୍ୟ ଆଧାର ନମ୍ବର ଆବଶ୍ୟକ।

ଇପିଏଫ
ନିଜର ଏଂପ୍ଲଇଜ୍ ପ୍ରୋଭିଡେଣ୍ଟ ଆକାଉଣ୍ଟକୁ ଆଧାର ସହିତ ଯୋଡ଼ିବା ମଧ୍ୟ ଜରୁରୀ। ଇପିଏଫଓ ତରଫରୁ ସମସ୍ତ ଭବିଷ୍ୟ ନିଧି ପାଣ୍ଠି ଉପଭୋକ୍ତାଙ୍କୁ ଏହା କରିବା ପାଇଁ କୁହାଯାଇଛି। ଏହା ଅନଲାଇନ ଓ ଅଫଲାଇନରେ କରାଯାଇପାରିବ। ଆଧାର ନମ୍ବର ଯୋଡ଼ା ହେଲେ ନିଜ ପିଏଫ ଆକାଉଣ୍ଟର ବାଲାନ୍ସ ଯାଞ୍ଚ କରିହେବ।

ଜୀବନ ବୀମା
ଏବେ ଏବେ ଭାରତୀୟ ବୀମା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ ସବୁ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପଲିସି ସହିତ ଆଧାର ଯୋଡ଼ା ଯିବା ଜରୁରୀ। ଅଧିକାଂଶ ବୀମା କମ୍ପାନି ନିଜ ନିଜ ଆଧାର କାର୍ଡ ସହିତ ବୀମାକୁ ଯୋଡ଼ିବା ସକାଶେ କହିବା ଆରମ୍ଭ କରିଛନ୍ତି। ଏଥିସହିତ କେୱାଇସି ଯାଞ୍ଚ ମଧ୍ୟ ଆବଶ୍ୟକ।

Comment