ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭାରତର ଅର୍ଥନୀତି ଦିନକୁ ଦିନ ଯେଉଁଭଳି ଭାବରେ ଆଗକୁ ଆଗକୁ ବଢ଼ୁଛି ଏବଂ ଲୋକସଂଖ୍ୟା ଯେଉଁ ହାରରେ ବଢ଼ିଚାଲିଛି ତାହାକୁ ଦୃଷ୍ଟି ଦେଲେ ଯେକୌଣସି ପ୍ରକାର ଆର୍ଥିକ ସ୍ଥିତି ପାଇଁ ପ୍ରସ୍ତୁତ ରହିବା ଏକ ବଡ଼ ଆହ୍ୱାନ। ଏକ ଗବେଷଣାରୁ ଜଣାପଡ଼ିଛି ୨୦୩୦ ସୁଦ୍ଧା ଦେଶରେ ପାଖାପାଖି ୩୦ କୋଟି ଲୋକ ବସବାସ କରୁଥିବେ ଯେଉଁମାନଙ୍କର ବୟସ ୬୦ରୁ ଊର୍ଦ୍ଧ୍ୱ ହୋଇଥିବ। ସେମାନଙ୍କ ଭବିଷ୍ୟତ ଜୀବନ ପାଇଁ ଆର୍ଥିକ ସ୍ଥିତି ନିହାତି ଆବଶ୍ୟକ। ଅବସର ପରେ ଲୋକମାନେ ଅଧିକ ସଞ୍ଚୟ କରିବାକୁ ମନବଳାଇବେ ବୋଲି ୟୁଟିଆଇ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡର ସଭାପତି ତଥା କଣ୍ଟ୍ରି ହେଡ୍ ଦେବାଶିଷ ମହାନ୍ତି କହିଛନ୍ତି।

ଶୁକ୍ରବାର ଦିନ ସ୍ଥାନୀୟ ଏକ ହୋଟେଲରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଆଇସିସି ତରଫରୁ ଅନୁଷ୍ଠିତ ହୋଇଯାଇଛି ଦ୍ୱିତୀୟ ଖୁଚୁରା ସଞ୍ଚୟ ସୁଯୋଗ କନକ୍ଲେଭ। ଏହି କନକ୍ଲେଭରେ ଲୋକମାନେ କିପରି ଘରେ ବସି ଟେକ୍ନୋଲୋଜି ମାଧ୍ୟମରେ ସଞ୍ଚୟ କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଆଉ ବିଭିନ୍ନ ଆର୍ଥିକ ସଂସ୍ଥା ପାଖକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବ୍ କମ୍ ସମୟରେ ସବୁକିଛି ଅର୍ଥଜନିତ ସମସ୍ୟାର ସମାଧାନ କିପରି କରାଯାଇପାରିବ ସେ ପ୍ରସଙ୍ଗରେ ଗୁରୁତ୍ୱାରୋପ କରାଯାଇଥିଲା।

ବିମୁଦ୍ରାକରଣ ପରେ ଲୋକମାନେ କିପରି ମ୍ୟୁଚୁଆଲ୍ ଫଣ୍ଡରେ ପୁଞ୍ଜି ନିବେଶ ପରିମାଣ ବଢ଼ାଇଛନ୍ତି । ୮୭ ପ୍ରତିଶତ ମ୍ୟୁଚୁଆଲ୍ ଫଣ୍ଡ୍ କର୍ପୋରେଟଜନିତ ହୋଇଥିଲା ବେଳେ ୧୩ ପ୍ରତିଶତ ମ୍ୟୁଚୁଆଲ୍ ଫଣ୍ଡରେ ସାଧାରଣ ଲୋକ ଅର୍ଥନିବେଶ କରିଛନ୍ତି। ଭାରତଠାରୁ ବହୁ ପୂର୍ବରୁ ଚୀନ ମ୍ୟୁଚୁଆଲ୍ ଫଣ୍ଡର ବଜାର ଆରମ୍ଭ କରିଥିଲେ ମଧ୍ୟ ଏବେ ଭାରତଠାରୁ ବହୁ ଆଗରେ ରହିଛି। ଭାରତରେ ଏବେ ୧୦୮ କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ରହିଥିଲେ ମଧ୍ୟ ସମସ୍ତେ ମ୍ୟୁଚୁଆଲ୍ ଫଣ୍ଡ ସମ୍ପର୍କରେ ଅବଗତ ନୁହନ୍ତି। ମ୍ୟୁଚୁଆଲ୍ ଫଣ୍ଡ କ୍ଷେତ୍ରରେ ସଞ୍ଚୟର ପରିମାଣ ବଢ଼ାଇବାର ବିପୁଳ ସୁଯୋଗ ଭବିଷ୍ୟତରେ ରହିଛି। କିନ୍ତୁ ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଏବଂ ଅବଗତ କରାଇବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସେବିର ସିଜିଏମ ଡକ୍ଟର ଶରତ କୁମାର ମଲ୍ଲିକ କହିଛନ୍ତି ଯେ, ସଞ୍ଚୟ କରିବା ବେଳେ ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଲକ୍ଷ୍ୟକୁ ସବୁବେଳେ ବିଚାରକୁ ନେବା ଆବଶ୍ୟକ। କ୍ୱାଲିଟି, ବିପଦର ମାତ୍ରା ଏବଂ ନିରାପତ୍ତା ଏହି ତିନୋଟି ବିଷୟକୁ ଗୁରୁତ୍ୱ ଦେଇ ଲୋକମାନେ ନିବେଶ କରିବା ଆବଶ୍ୟକ। କୌଣସି ଲୋଭନୀୟ ଅଫର ପାଇଁ ହଠାତ୍ ନିଷ୍ପତ୍ତି ନେବା ଠିକ୍ ନୁହଁ।

Comment