ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ସାତ ଦିନରେ ପରେ ସତ ମାନିଲା ପତ୍ନୀ
  • ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲା ପରକୀୟା ପ୍ରୀତି
  • ଚରିତ୍ରହୀନା ସାର୍ଟିଫିକେଟ୍ ଦେଲେ ସ୍ୱାମୀ ଓ ପ୍ରେମିକ

ସ୍ତ୍ରୀ ମୁଣ୍ଡରେ କଳଙ୍କର ମିଛ ଟୀକା ପିନ୍ଧାଇ ଜଣେ ଛାଡପତ୍ର ଦେଇପାରେ। କିନ୍ତୁ ଏମିତି କରି ଜଣେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ। ସାତ ଦିନ ପରେ ଜଣାପଡିଲା, ସତ ଥିଲା ଯୁବକଙ୍କ ଆତ୍ମହତ୍ୟା ପୂର୍ବର ବୟାନ। ପରପୁରୁଷ ସହ ସଂପର୍କ ରଖି ସ୍ୱାମୀଙ୍କୁ ଆତ୍ମହତ୍ୟା ମୁହଁକୁ ଠେଲି ଦେଇଥିବା ପତ୍ନୀ ପୁଲିସ ପାଖରେ ସତ ମାନିଲା। ସାତ ଦିନ ଅଟକ ରଖି ପଚରା ଉଚରା କରିବା ଦୋଷୀ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ବାନ୍ଧିଛି ପୁଲିସ।

ଶାନ୍ତନୁ ପାତ୍ର ନାମକ ଜଣେ ଯୁବକ ଆତ୍ମହତ୍ୟା କରିବେ। ଗତ ୯ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଭିଡଓ। ଭିଡିଓ ଭାଇରାଲ ହେବାର ୯ ଘଣ୍ଟା ପରେ ଶାନ୍ତନୁଙ୍କ ମୃତ ଦେହ ମିଳିଥିଲା। ଗାଁ ମୁଣ୍ଡରେ ଥିବା ଏକ ଗଛରେ ରସି ଲଗାଇ ଝୁଲି ପଡିଥିଲେ ପୁରୀ ଗଡଭିଙ୍ଗୁରାର ଏହି ଯୁବକ ଶାନ୍ତନୁ ପାତ୍ର। ମୃତ୍ୟୁ ପୂର୍ବର ଶେ‌ଷ କଥାରେ ସେ ବର୍ଣ୍ଣନା କରିଥିଲେ ତାଙ୍କ ପତ୍ନୀଙ୍କ ପରକୀୟା ପ୍ରୀତିର କାହାଣୀ। ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା।


ଏମିତି ଥିଲା ଶାନ୍ତନୁଙ୍କ ସତ ବିବାହର ମିଛ ସଂପର୍କ। ସାକ୍ଷୀଗୋପାଳ ଅଞ୍ଚଳର ଅନିତାଙ୍କୁ ଗତ ମାର୍ଚ୍ଚ ମାସରେ ବିବାହ କରିଥିଲେ ଗଡଭିଙ୍ଗୁରାର ଶାନ୍ତନୁ ପାତ୍ର। ବିବାହାର ମାତ୍ର କିଛି ଦିନ ପରେ ପତ୍ନୀଙ୍କ ଚରିତ୍ରକୁ ନେଇ ତାଙ୍କର ସନ୍ଦେହ ହେଲା। ତାଙ୍କ ପତ୍ନୀ ଆଉ ଜଣେ ଯୁବକଙ୍କ ସହ ଅନୈତିକ ସଂପର୍କ ରଖିଥିବା ଶାନ୍ତନୁ ଜାଣିବାକୁ ପଇଲେ। ଏହି ସନ୍ଦେହ ତାଙ୍କ ବୈବାହିକ ଜୀବନକୁ ଦୁର୍ବିସହ କରିବା ଆରମ୍ଭ କରିଦେଲା।

ତାଙ୍କ ପତ୍ନୀଙ୍କୁ ପ୍ରେମ କରୁଥିବା ଏହି ଯୁବକ ଥିଲେ ଜଗତସିଂହପୁରର ଅମରେଶ ସ୍ୱାଇଁ। ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ସଂପର୍କ ଥିଲା। ବିବାହ ପରେ ବି ସଂପର୍କ ରହିଲା। କେବଳ ହ୍ୱାଟ୍ସଆପ କିମ୍ବା ଫେସବୁକରେ ସେମାନଙ୍କର ସଂପର୍କ ସୀମିତ ନଥିଲା। ପୂର୍ବପରି ଶାରୀରିକ ସଂପର୍କ ମଧ୍ୟ ବଜାୟ ଥିଲା। ଏହାର ପ୍ରମାଣ ବି ପାଇଲେ ଶାନ୍ତନୁ। ଅନୀତାଙ୍କ ପ୍ରେମିକ ଅମରେଶ ବାଙ୍ଗାଲୋରରେ ରହୁଥିବା ଶାନ୍ତନୁଙ୍କ ନିକଟକୁ ପଠାଇ ଦେଇଥିଲା ଉଭୟଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ। ପର ପୁରୁଷ ସହ ପତ୍ନୀଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ଦେଖି ଶାନ୍ତନୁ ବିଚଳିତ ହୋଇ ପଡିଥିଲେ। ବୈବାହିକ ଜୀବନରେ ଉଠିଥିଲା ଝଡ। କେବଳ ସେତିକିରେ ସୀମିତ ନଥିଲା ନିର୍ଯାତନା।

ପତ୍ନୀ ଅନୀତାଙ୍କ ବାପା ଏବଂ ଭାଇ ମଧ୍ୟ ଅନେକ ସମୟରେ ଶାନ୍ତନୁଙ୍କୁ ହଇରାଣ ହରକତ କରୁଥିଲେ। ଏ ସବୁ ଶାନ୍ତନୁଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲା। ମାନସିକ ଭାରସାମ୍ୟ ହରାଇ ବସିଥିଲେ ଗଡଭିଙ୍ଗୁରାର ଏହି ଯୁବକ। ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ।

ଆଉ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ବଖାଣି ଦେଇଥିଲେ ମୃତ୍ୟୁର କାରଣ। ଗତ ୮ ତାରିଖରେ ଅପଲେଡ କରିଥିଲେ ଭିଡିଓ। ୯ ତାରିଖରେ ଭାଇରାଲ ହୋଇଥିଲା। ଆଉ ଭାଇରାଲ ହେବାର ୯ ଘଣ୍ଟା ପରେ ମିଳିଥିଲା ତାଙ୍କ ମୃତଦେହ।

କିନ୍ତୁ ଦୋଷ ମାନିବାକୁ ପ୍ରସ୍ତୁତ ନଥିଲେ ପତ୍ନୀ ଅନିତା। ଅମରେଶ ସହ କୌଣସି ସଂପର୍କ ନାହିଁ ବୋଳି ସିଧାସିଧା କହିଥିଲେ। ପାଲଟା ଅଭିଯୋଗ ଆଣିଥିଲେ ଶାନ୍ତନୁଙ୍କ ବିରୋଧରେ। କହିଥିଲେ ତାଙ୍କୁ ଫସେଇ ବିବାହ କରି ଦିଆଯାଇଛି। ଶାନ୍ତନୁ ସଫ୍ଟୱେର ଇଂଜିନିୟର କହି ତାଙ୍କୁ ବିବାହ କରିଥିଲେ। କିନ୍ତୁ ବେଙ୍ଗାଲୁରୁରେ ସେ ସିକୁରିଟି ଗାର୍ଡ ଭାବେ କାମ କରୁଥିବା ଅନିତା କହିଥିଲେ।

ଶାନ୍ତନୁଙ୍କ ମୃତ୍ୟୁ ପୂର୍ବର ବୟାନ ଆଉ ଅନିତାଙ୍କ ସଫେଇ ମଧ୍ୟରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ଉଭୟଙ୍କ କଲ ଡିଟେଲ୍ସ ବାଢିବା ପରେ ହାତରେ ଲାଗିଥିଲା ପରକୀୟ ପ୍ରୀତିର ପ୍ରମାଣ। ଆଉ କିଛି ତଥ୍ୟ ବି ମିଳିଲା। ଏହା ପରେ ପ୍ରେମିକ ପ୍ରେମିକାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ପୁଲିସ।

କିନ୍ତୁ ଯୋଉ ପ୍ରେମିକ ପାଇଁ ସ୍ୱାମୀ ଆତ୍ମହତ୍ୟା କଲେ, ସେଇ ପ୍ରେମିକ କିନ୍ତୁ ପ୍ରକୃତରେ ଅନୀତାଙ୍କୁ ଭଲ ପାଉ ନଥିଲେ। କେବଳ ଯୌନ କ୍ଷୁଧାକୁ ଚରିତାର୍ଥ କରୁଥିଲେ। ନହେଲେ ତାଙ୍କ ଫେସବୁକ୍ ପ୍ରୋଫାଇଲରେ ଅନୀତାଙ୍କ ଚରିତ୍ର ସଂହାର କରି ନଥାନ୍ତେ। ସ୍ୱାମୀ ଛାଡି ବାରମ୍ବାର ବାଟ ହୁଡୁଥିବା ଅନୀତାଙ୍କୁ ଦୁଶ୍ଚରିତ୍ର କହିବାକୁ ପଛେଇ ଯାଇନାହାନ୍ତି ତାଙ୍କ ତଥା କଥିତ ପ୍ରେମିକ ଅମରେଶ। କେବଳ ପ୍ରେମିକ ନୁହନ୍ତି, ସ୍ୱାମୀ ମଧ୍ୟ ଫେସବୁକରେ ପୋଷ୍ଟ କରିଥିଲେ ଲମ୍ବା ଲେଖା। ଯେଉଁଥିରେ ଅନୀତାଙ୍କୁ ଚରିତ୍ରହୀନା ସାର୍ଟିଫିକେଟ୍ ଦେଇଛନ୍ତି ଶାନ୍ତନୁ।

Comment