ଓଡ଼ିଶାଲାଇଭ୍‌ ବ୍ୟୁରୋ

କଥା କଥାକେ ଶାସକ ବିଜେଡିକୁ ଘେରୁଥିବା ବିଜେପି ପାର୍ଟି ଅଫିସରେ ଆଜି ଦେଖିବାକୁ ମିଳିଛି ହାଇଭୋଲଟେଜ୍‌ ଡ୍ରାମା। ଦୁଇ ଜଣ ଯୁବକ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଅଧଘଣ୍ଟା କାଳ ଗନ୍‌ ପଏଣ୍ଟରେ ରଖିବା ଘଟଣା ଏବେ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ।

ଗନ୍‌ ପଏଣ୍ଟରେ ବସନ୍ତ ପଣ୍ଡା

ସୋମବାର ମଧ୍ୟାହ୍ନ ୧୨ଟା ୧୦। କର୍ମକର୍ତ୍ତାଙ୍କୁ ନେଇ ଚଳଚଞ୍ଚଳ ହୋଇ ଉଠିଥିଲା ଭୁବନେଶ୍ବର ୟୁନିଟ୍-୩ସ୍ଥିତ ବିଜେପି ଅଫିସ୍। ଏହି ସମୟରେ ହଠାତ୍ ଦୁଇ ଜଣ ଯୁବକ ପାର୍ଟି ଅଫିସରେ କରିଥିଲେ ପ୍ରବେଶ। ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ଗନ୍‌ ପଏଣ୍ଟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାୟ ଅଧଘଣ୍ଟା ଧରି ରଖି ବିଜେପି ଅଫିସରେ ହଇଚଇ ସୃଷ୍ଟି କରିଥିଲେ।

ବିଜେପି କର୍ମୀ କହି ଚାମ୍ବର ଭିତରେ ପଶିଲେ

ବିଜେପି କର୍ମୀ କହି ସିଧାସଳଖ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଚାମ୍ବରକୁ ଜଣେ ଯୁବକ ଯାଇଥିଲେ। ଆଉ ଜଣେ ଯୁବକ ଚାମ୍ବର ବାହାରେ ଛିଡ଼ା ହୋଇଥିଲେ। ଚାମ୍ବର ଭିତରକୁ ଯାଇଥିବା ଯୁବକ ହଠାତ୍ ଗୋଟିଏ ବନ୍ଧୁକ ବାହାର କରି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ଲଗାଇଥିଲେ। ଅନ୍ୟ ଯୁବକ ମଧ୍ୟ ସମାନ ଷ୍ଟାଇଲରେ ବାହାରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ବନ୍ଧୁକଧାରୀ ଦୁଇ ଯୁବକଙ୍କୁ ସଙ୍ଗଠନ ସମ୍ପାଦକ ସାରଦା ପ୍ରସନ୍ନ ଶତପଥୀ ଅଟକାଇବା ସହ ବୁଝାସୁଝା କରିଥିଲେ। ହେଲେ ବୁଝିବାକୁ ନାରାଜ ଥିଲେ ଦୁଇ ଯୁବକ।

ଗଣମାଧ୍ୟମକୁ ଡାକିବାକୁ କହିଲେ

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଗନ୍‌ ପଏଣ୍ଟରେ ରଖିଥିବା ଦୁଇ ଯୁବକ ନିଜର ପରିଚୟ ଦେବା ପୂର୍ବରୁ ଗଣମାଧ୍ୟମକୁ ଡାକିବାକୁ କହିଥିଲେ। ବିଜେପି କର୍ମୀ ଗଣମାଧ୍ୟମକୁ ଡାକିଥିଲେ। ଆଉ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ହିଁ ଘଟଣା ରୋଚକ ମୋଡ଼ ନେଇଥିଲା। ଗଣମାଧ୍ୟମ କ୍ୟାମେରା ଆଗରେ ଦୁଇ ଯୁବକ ବନ୍ଧୁକ ଧରି ବିବୃତି ବି ଦେଇଥିଲେ। ତେବେ ସେମାନେ ଯେଉଁ ବିବୃତି ଦେଇଛନ୍ତି ତାହା ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ସହ କୌଣସି ତାଳମେଳ ରଖୁନି। ଫଳରେ ଦୁଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ ରହସ୍ୟଘେରରେ ରହିଛି।

ସଭାପତି-ବନ୍ଧୁକଧାରୀଙ୍କ କଥାରେ ରହୁନି ତାଳମେଳ

ଟିଭି କ୍ୟାମେରା ଆଗରେ ଦୁଇ ଯୁବକ ନିଜର ପରିଚୟ ଦେଇଥିଲେ। ଜଣକର ନାଁ ପିନାକ ମହାନ୍ତି ହୋଇଥିବା ବେଳେ ଆଉ ଜଣେ ସମ୍ବିତ ପଣ୍ଡା ବୋଲି ପରଚୟ ଦେଇଥିଲେ। ଉଭୟ ବାରଙ୍ଗ ଅଞ୍ଚଳର ବୋଲି ସ୍ପଷ୍ଟ କରିଥିଲେ। ତେବେ ଉଭୟ ଯୁବକ ଯାହା କହିଲେ ତାହା ବିଭିନ୍ନ ମହଲରେ ଏବେ ବି ରହସ୍ୟ ହୋଇ ରହିଛି। ବନ୍ଧୁକଧାରୀ ଯୁବକମାନେ କହିଲେ ଯେ, ରାଜ୍ୟରେ ଛାତ୍ର ଓ ଯୁବକମାନେ କିପରି ନ୍ୟାୟ ପାଇବେ ସେଥିପାଇଁ ଧ୍ୟାନ ଦିଅନ୍ତୁ। ଛାତ୍ର ଆନ୍ଦୋଳନ କିପରି ବ୍ୟାପକ ହେବ ସେ ସମ୍ପର୍କରେ ମଧ୍ୟ ଆମେ ଶ୍ରୀ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ହେଲେ ସେ ଆମକୁ ସମର୍ଥନ ଦେଲେ ନାହିଁ।

ବିଜେପି ସଭାପତି ଦେଉଛନ୍ତି ଭିନ୍ନ ମତ। କହିଛନ୍ତି, “ଏହି ଦୁଇ ଯୁବକ ରବିବାର ମୋ ପାଖକୁ ଆସି ବାପାଙ୍କ ଦେହ ଖରାପ କଥା କହିଥିଲେ। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କିପରି ସହାୟତା ପାଇବେ ସେ ନେଇ ସାହାର୍ଯ୍ୟ ମାଗିଥିଲେ। ଉପଯୁକ୍ତ ପ୍ରମାଣପତ୍ର ଆଣିବାକୁ ମୁଁ ତାଙ୍କୁ କହିଥିଲି।”

ପୋଲିସ ଆସିଲା, ଯୁବକଙ୍କୁ ବାନ୍ଧିଲା

ବିଜେପି ପାର୍ଟି ଅଫିସରେ ହାଇପ୍ରୋଫାଇଲ୍‌ ଡ୍ରାମା ଶେଷ ହେବା ପରେ ଖରବେଳନଗର ଥାନାକୁ ଖବର ଯାଇଥିଲା। ଟିଭି ଆଗରେ ବାଇଟ୍ ଦେବା ପରେ ପୋଲିସ ପାର୍ଟି ଅଫିସରେ ପହଞ୍ଚିଲା ଆଉ ୨ ଯୁବକଙ୍କୁ ବାନ୍ଧି ଥାନାକୁ ଆଣିଲା। ଆଉ ଏହି ବନ୍ଧୁକ ନକଲି ବୋଲି ସ୍ପଷ୍ଟ କଲା ପୋଲିସ। ଯୁବକଙ୍କୁ ଥାନା ହାଜତରେ ରଖି ଥାନା ଅଧିକାରୀ ବିଜେପି ପାର୍ଟି ଅଫିସକୁ ପୁଣି ଆସିଲେ। ରାଜ୍ୟ ସଭାପତି ଏବଂ ଉପସ୍ଥିତ କର୍ମୀଙ୍କୁ ଘଟଣା ସମ୍ପର୍କରେ ପଚାରିଲେ।

ନକଲି ବନ୍ଧୁକ, ଅସଲି ଖେଳ

“ଦୁଇ ଜଣ ଯୁବକ ଧରିଥିବା ବନ୍ଧୁକ ଅସଲି ନୁହେଁ, ନକଲି’,- ପୋଲିସ ଆସିବା ପରେ ଏହା ସ୍ପଷ୍ଟ ହୋଇଥିଲା। ହେଲେ ନକଲି ବନ୍ଧୁକ ଧରି ଦୁଇ ଯୁବକ ଯେଉଁ ଆତଙ୍କ ସୃଷ୍ଟି କରିଥିଲେ ତାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ନକଲି ବନ୍ଧୁକ ଧରି ବିଜେପି ରାଜ୍ୟ ସଭାପତିଙ୍କୁ ଧମକ ଦେଇଥବା ଯୁବକ କାହା ସାହସରେ ଅଫିସରେ ପଶିଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାୟ ୧ ଘଣ୍ଟା ଧରି ଯୁବକମାନେ ନକଲି ବନ୍ଧୁକ ଦେଖାଇ ବିଜେପି ନେତା ଓ କର୍ମୀଙ୍କୁ ଭୟଭୀତ କରି ଦେଇଥିଲେ। ନକଲି ଗନ୍‌ ପଏଣ୍ଟରେ ପାର୍ଟି ଅଫିସରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

କିଏ ଏହି ଦୁଇ ଯୁବକ?

ହାଇଭୋଲଟେଜ ଡ୍ରାମା ଶେଷ ହେବା ପରେ ପ୍ରେସମିଟ କରିଥିଲେ ବିଜେପି ନେତା। ଏହି ପ୍ରେସମିଟର ମଙ୍ଗ ଧରିଥିଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ। ଆତଙ୍କ ସୃଷ୍ଟି କରିଥିବା ଦୁଇ ଯୁବକ ବିଜେପିର ପ୍ରାଥମିକ ସଦସ୍ୟ ନୁହନ୍ତି ବୋଲି ସଫେଇ ଦେଇଥିଲେ। ସମ୍ବିତ ପଣ୍ଡା ନାମକ ଯୁବକ ବାରଙ୍ଗ ବ୍ଲକ ଅଧ୍ୟକ୍ଷଙ୍କ ସହ ମିଶନ୍ତି ବୋଲି ଶ୍ରୀ ସାମଲ କହିଥିବା ବେଳେ ପିନାକ କିଏ ତାଙ୍କୁ ଆମେ ଜାଣିନୁ କହିଛନ୍ତି ଶ୍ରୀ ସାମଲ। ଖାଲି ସେତିକି ନୁହେଁ, ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ ନେଇ ବିଜେପିର ଏକ ଟିମ୍‌ ପୋଲିସ ଡିଜିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।

ବିଜେଡିକୁ ଇଙ୍ଗିତ କଲା ବିଜେପି!

ବିଜେପି ପାର୍ଟି ଅଫିସରେ ଘଟିଥିବା ଘଣ୍ଟିକିଆ ଡ୍ରାମା ପଛରେ ଶାସକ ଦଳ ଆଡକୁ ଇସାରା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି। କୌଣସି ନିର୍ଦ୍ଦିଷ୍ଟ ଦଳର ନାଁ ନନେଇ ବିଜେପିର କଣ୍ଠରୋଧ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ବିଜେଡି ଦେଲା ଜବାବ

ବିଜେପି ପାର୍ଟି ଅଫିସରେ ଏହି ଡ୍ରାମାକୁ ହାସ୍ୟାସ୍ପଦ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ରାଜ୍ୟ ସଭାପତିଙ୍କୁ ଦୁଇ ଜଣ ଯୁବକ ବନ୍ଧୁକ ଦେଖାଇ କାବୁ କରିବା ଘଟଣାକୁ ଶ୍ରୀ ପାତ୍ର ସମାଲୋଚନା କରିଛନ୍ତି। ଏହାକୁ ବିଜେପିର ଚାଲ୍‌ ବୋଲି କହିଛନ୍ତି।

 

Comment