ଓଡ଼ିଶାଲାଇଭ୍‍ ବ୍ୟୁରୋ

ଡିସେମ୍ବର ୧ରୁ କୋଣାର୍କ ଉତ୍ସବଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଆଯାଇଛିଦେଶବିଦେଶର ଖ୍ୟାତିସମ୍ପନ୍ନ ବିଭିନ୍ନ କଳାକାର ଗ୍ରୁପ୍‍ କୋଣାର୍କ ମୁକ୍ତ ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରିବେ ଓଡ଼ିଶୀ ସହ ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ

  • ଐତିହାସିକ କୋଣାର୍କ ମନ୍ଦିର ପ୍ରେକ୍ଷାପଟରେ ଦିନ ଧରି ଚାଲିବ
  • ପରିବେଷଣ ହେବ ଓଡ଼ିଶୀ, ଭାରତନାଟ୍ୟମ୍‍, କଥକ, କୁଚିପୁଡ଼ି, ମଣିପୁରୀ ଓ ମୋହିନୀଆଟ୍ଟମ୍‍
  • ମାଲେସିଆର ଶିଳ୍ପୀ ରାମଲି ଇବ୍ରାହିମ ଡୋନା ଗାଙ୍ଗୁଲିଙ୍କ ଗ୍ରୁପ୍‍ ନାଚିବେ ଓଡ଼ିଶୀ
  • କୋଣାର୍କ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନ୍ୟ ଆକର୍ଷଣ

ଡିସେମ୍ବର ୧ରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ। କୋଣାର୍କ ମନ୍ଦିର ପ୍ରେକ୍ଷାପଟ୍ଟରେ ରହିଥିବା ଏହି ମୁକ୍ତାକାଶ ମଞ୍ଚରେ ଉତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏହି ୫ ଦିନିଆ ଉତ୍ସବରେ ପ୍ରତିଦିନ ୨ଟି ଲେଖାଏଁ ନୃତ୍ୟ ପରିବେଷଣ କରାଯିବ। ଏହି ୫ ଦିନ ଧରି ଶାସ୍ତ୍ରୀୟ ନୃତ୍ୟରେ ବିଭୋର ହେବେ ଦର୍ଶକ।

ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି କୋଣାର୍କ ଉତ୍ସବ। ୧୯୮୯ରୁ  ଆରମ୍ଭ ହାଇଥିବା ଏହି ଉତ୍ସବ ଏକ ପ୍ରମୁଖ ଭାରତୀୟ ନୃତ୍ୟ ଉତ୍ସବ ଭାବେ ପରିଚୟ ହାସଲ କରିଛି। ମାଲେସିଆରୁ ଆସୁଥିବା ରାମଲି ଇବ୍ରାହିମ୍‌ ଏବଂ ଡୋନା ଗାଙ୍ଗୁଲିଙ୍କ ଓଡ଼ିଶୀ ଡ୍ୟାନ୍ସଗ୍ରୁପ୍‍ ଚଳିତବର୍ଷ ଉତ୍ସବର ପ୍ରମୁଖ ଆକର୍ଷଣ ପାଲଟିବ।

ଶାସ୍ତ୍ରୀୟ ନୃତ୍ୟରେ ଝୁମିବେ ଦର୍ଶକ

ଡିସେମ୍ବର ୧: ପ୍ରଥମ ସନ୍ଧ୍ୟାରେ ନୁପୁର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ଏବଂ ମାଲେସିଆର ଟେମ୍ପୁଲ ଫାଇନ୍‍ ଆର୍ଟ ପକ୍ଷରୁ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯିବ।

ଡିସେମ୍ବର ୨: ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ପାଇଁ ବେଙ୍ଗାଳୁରୁର ଅଭିନ୍ନ ଡ୍ୟାନ୍ସ କମ୍ପାନି ପକ୍ଷରୁ କଥକ ନୃତ୍ୟ ପରିବେଷଣ କରାଯିବ। ସେହି ସନ୍ଧ୍ୟାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛନ୍ତି ଡୋନା ଗାଙ୍ଗୁଲି। ସେ ତାଙ୍କ ଗ୍ରୁପ୍‌ଙ୍କ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।

ଡିସେମ୍ବର ୩: ତୃତୀୟ ସନ୍ଧ୍ୟାରେ କୋଣାର୍କ ଫେଷ୍ଟିଭାଲ ମଞ୍ଚରେ ଦେଖିବାକୁ ମିଳିବ ରାମଲି ଇବ୍ରାହିମଙ୍କ ସୂତ୍ର ଫାଉଣ୍ଡେସନର ଓଡ଼ିଶୀ ନୃତ୍ୟ। ଏହାସହ ବନଶ୍ରୀ ରାଓ ଏବଂ ଗ୍ରୁପ୍‍ଙ୍କ କୁଚିପୁଡ଼ି ମଧ୍ୟ ଅନନ୍ୟ ଆକର୍ଷଣ ପାଲଟିବ ।

ଡିସେମ୍ବର ୪: ଚତୁର୍ଥ ସନ୍ଧ୍ୟାରେ କଲିକତାର ବିମ୍ବାବତି ଗ୍ରୁପ ପକ୍ଷରୁ ମଣିପୁରୀ ଏବଂ ଦକ୍ଷ ମଶୁରୱାଲା ଗ୍ରୁପ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।

ଡିସେମ୍ବର ୫: ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିବ ମୋହିନୀଆଟ୍ଟମ୍‍। ଏହି ନୃତ୍ୟ ପରିବେଷଣ କରିବେ ମୁମ୍ବାଇର ନାଳନ୍ଦା ନୃତ୍ୟ ଗବେଷଣା କେନ୍ଦ୍ରର କଳାକାର। ସେହିପରି ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ପରିବେଷଣ କରାଯିବ ଓଡ଼ିଶୀ ନୃତ୍ୟ।

ଭାରତୀୟ ନୃତ୍ୟଧାରାର ଉପସ୍ଥାପନା ପାଇଁ ପ୍ରସିଦ୍ଧ ଖଜୁରାହୋ ଫେଷ୍ଟିଭାଲ, ଏଲୋରା ଫେଷ୍ଟିଭାଲ ଏବଂ ହାମ୍ପି ଫେଷ୍ଟିଭାଲ ପରେ ଆରମ୍ଭ ହୋଇଥିଲା କୋଣାର୍କ ଉତ୍ସବ। ଆଜି କୋଣାର୍କ ଉତ୍ସବ ତା’ର ଭୌଗୋଳିକ ଅବସ୍ଥିତି, ପର୍ଯ୍ୟଟନ ଆକର୍ଷଣ ଏବଂ ଓଡ଼ିଶାର ପ୍ରସିଦ୍ଧ କଳାକ୍ଷେତ୍ର ପାଇଁ ବିଶ୍ୱ ଦରବାରରେ ପରିଚିତି ହାସଲ କରିଛି। କେବଳ ଦେଶବିଦେଶର କଳାକାର ନୁହନ୍ତି, ପର୍ଯ୍ୟଟକମାନଙ୍କୁ ମଧ୍ୟ ବେଶ୍‍ ଆକୃଷ୍ଟ କରିଛି କୋଣାର୍କ ଉତ୍ସବ। କୋଣାର୍କର ପ୍ରାକୃତିକ ପରିବେଶ ସହ ଝାଉଁବଣ, ପ୍ରାଚୀନ କୀର୍ତ୍ତିରାଜି ଏବଂ ସମୁଦ୍ର କୋଣାର୍କ ଉତ୍ସବର ଅନନ୍ୟ ଆକର୍ଷଣ ପାଲଟିଛି।

“ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଅନନ୍ୟ। ତା’ ସାଙ୍ଗକୁ ପ୍ରଚୁର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନ ଆକର୍ଷଣ ଏହାକୁ ଭାରତର ଏକ ବିଶିଷ୍ଟ ରାଜ୍ୟ ଭାବେ ପରିଚିତ କରାଇଛି। କୋଣାର୍କ ଉତ୍ସବ ଓଡ଼ିଶୀ ନୃତ୍ୟ ସହିତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଧାରା ଉପସ୍ଥାପନ କରି ଓଡ଼ିଶାକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି”, କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

“ଅନ୍ତର୍ଜାତୀୟ ସ୍ତରର ଖାତନାମା ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀଙ୍କୁ ପ୍ରତିବର୍ଷ ଆମେ ଏଠାରେ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ଦେଇଥାଉ। ଚଳିତବର୍ଷ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଗୁରୁ ରାମଲି ଇବ୍ରାହିମ୍ କୋଣାର୍କ ଉତ୍ସବ ମଞ୍ଚରେ ଭାରତନାଟ୍ୟମ ପରିବେଷଣ କରିବେ। ସମସ୍ତ ପର୍ଯ୍ୟଟକ ଏବଂ ଦର୍ଶକଙ୍କ ପାଇଁ କୋଣାର୍କ ଉତ୍ସବ-୨୦୧୭ ଏକ ନିଆରା ଅନୁଭୂତି ପ୍ରଦାନ କରିବ”, ଓଡ଼ିଶାଲାଇଭ୍‍କୁ କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନୀତିନ ଭାନୁଦାସ ଜୱାଲେ।

ଶ୍ରୀ ଜୱାଲେ ଆହୁରି କହିଛନ୍ତି ଯେ, କୋଣାର୍କ ଉତ୍ସବକୁ କିପରି ଅଧିକରୁ ଅଧିକ ଦର୍ଶକ ଆସିବେ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବିଭିନ୍ନ ସ୍ଥାନରେ ହୋର୍ଡିଂ ମାରିବା ସହ ପର୍ଯ୍ୟଟନ ବିଭାଗର ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିଛୁ। ଏହାସହ କିଛି ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଦେବା ପାଇଁ ଯୋଜନା ରଖିଛୁ।

“କୋଣାର୍କ ଉତ୍ସବ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ। କୋଣାର୍କର କଳା, ସଂସ୍କୃତି ଏବଂ ଭାସ୍କର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଚଳିତବର୍ଷ ଆମେ ଅଧିକରୁ ଅଧିକ ଦର୍ଶକଙ୍କୁ କୋଣାର୍କ ଉତ୍ସବ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛୁ। କୋଣାର୍କ ମଞ୍ଚରେ ବହୁ ଖାତନାମା କଳାକାର ନୃତ୍ୟ ପରିବେଷଣ କରିଥାନ୍ତି। ଖଜୁରାହୋ, ହାମ୍ପି ଉତ୍ସବଠାରୁ କୋଣାର୍କ ଉତ୍ସବକୁ ଆମେ ଭିନ୍ନ କରିବାକୁ ଉଦ୍ୟମ ଜାରି ରଖିଛୁ”, କହିଛନ୍ତି ଡକ୍ଟର ଜୱାଲେ।

ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ଜୱାଲେ ଆହୁରି କହିଛନ୍ତି ଯେ କୋଣାର୍କ ଉତ୍ସବ ସମୟରେ ଆମେ କିଛିବର୍ଷ ହେଲା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆୟୋଜନ କରିଆସୁଛୁ। ଫଳରେ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଏହି ଉତ୍ସବ ସହ ଯୋଡ଼ି ହେଉଛନ୍ତି। ଏହି ଧାରା ଅବ୍ୟାହତ ରଖିବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଛି। ବିଦେଶୀ ପର୍ଯ୍ୟଟକ ବ୍ୟତୀତ ଓଡ଼ିଶାର ସଂସ୍କୃତିପ୍ରେମୀ ଏବଂ ପର୍ଯ୍ୟଟକ କିପରି କୋଣାର୍କ ଉତ୍ସବକୁ ଉପଭୋଗ କରିବେ ସେ ନେଇ ଗୁରୁତ୍ୱ ଦିଆଯାଉଛି।

“ଓଡ଼ିଶା ବାହାରେ ମୁଁ ବିଭିନ୍ନ ଷ୍ଟେଜରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛି। ଖଜୁରାହୋ ଫେଷ୍ଟିଭାଲ, ଏଲୋରା ଏବଂ ହାମ୍ପି ଫେଷ୍ଟିଭାଲରେ ମୋତେ ସୁଯୋଗ ମିଳିଛି। ଏସବୁ ଫେଷ୍ଟିଭାଲ ବହୁ ପଛରେ କୋଣାର୍କ ଫେଷ୍ଟିଭାଲ ଆରମ୍ଭ ହୋଇଥିଲେ ମଧ୍ୟ ଏହା ବହୁତ ଆଗକୁ ଗଲାଣି। ବହୁ ପ୍ରତିଭାସମ୍ପନ୍ନ କଳାକାରଙ୍କୁ ଏହି ମଞ୍ଚ ସୁଯୋଗ ଦେଇଥିବାରୁ କୋଣାର୍କ ଫେଷ୍ଟିଭାଲ ଅନ୍ତର୍ଜାତୀୟ ସ୍ତରରେ ଆଜି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି”, କହିଛନ୍ତି ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ।

କୋଣାର୍କ ଉତ୍ସବ ଦେଖିବା ପାଇଁ ବହୁ ବିଦେଶୀ ପର୍ଯ୍ୟଟକ ଅପେକ୍ଷା କରି ରହିଥାନ୍ତି। ଜର୍ମାନ୍‍, ଲଣ୍ଡନ୍‍, ଇଟାଲି, ମାଲେସିଆ, ଅଷ୍ଟ୍ରେଲିଆରୁ ବହୁ ପର୍ଯ୍ୟଟକ ପ୍ରତିବର୍ଷ ଏହି ସମୟରେ ଓଡ଼ିଶା ଆସିଥା’ନ୍ତି।

ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା କହିଛନ୍ତି, “କୋଣାର୍କ ଉତ୍ସବ ମଞ୍ଚ ବହୁ କଳାକାରଙ୍କୁ ସୁଯୋଗ ଦେଇଛି। କୋଣାର୍କର ପ୍ରାଚୀନ କୀର୍ତ୍ତିରାଜି ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିପାରିଛି। ଏଠାରେ ନୃତ୍ୟ ପରିବେଷଣ କଲେ କଳାକାରମାନଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ହୁଏତ ଅନ୍ୟ କେଉଁ ମଞ୍ଚରେ ମିଳି ନଥାଏ।”

Comment