ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୁଞ୍ଚି ଘୁଞ୍ଚି ଚାଲିଛି ବିଜେପୁର ଉପ-ନିର୍ବାଚନ ତାରିଖ। ତାରିଖ ଘୋଷଣାରେ ବିଳମ୍ବ ହେଉଥିବାରୁ ବିଜେଡି ଏବଂ କଂଗ୍ରେସ ବିଜେପିକୁ ନିଶାନା କରିଛନ୍ତି। ହେଲେ ବିଜେପି ବିଜେପୁର ପାଇଁ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଡିସେମ୍ବର ୩୧ରେ ବିଜେପି ବିଜେପୁରର ୨୭୦ ବୁଥ୍‌ରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍ ଶୁଣାଇବା ପାଇଁ ଯୋଜନା କରିଛି।

ବିଜେପୁର ଉପ-ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ କେବେ ହେବ ସେ ସମ୍ପର୍କରେ ଜଣାପଡ଼ି ନଥିଲେ ମଧ୍ୟ ବିଭିନ୍ନ ଦଳ ଭିତରେ କାଦୁଅଫିଙ୍ଗା ଚାଲିଛି। ତାରିଖ ଘୋଷଣାରେ ବିଳମ୍ବ ହେଉଥିବାରୁ ବିଜେଡି ଓ କଂଗ୍ରେସ ବିଜେପିକୁ ଦାୟୀ କରିଛନ୍ତି। ଏହି କାଦୁଅଫିଙ୍ଗା ଭିତରେ ବିଜେପି ତାର ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଡିସେମ୍ବର ୩୧ରେ ବିଜେପି ବିଜେପୁରରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ ବି ବାତ୍‌ କାର୍ଯ୍ୟକ୍ରମ ବିଜେପୁର ଭୋଟରଙ୍କୁ ଶୁଣାଇବା ପାଇଁ ବିଜେପି ଯୋଜନା କରିଛି।

ବିଜେପୁରର ୨୭୦ ବୁଥ୍‌ରେ ଲେକେ ଶୁଣିବେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌। କେନ୍ଦ୍ରୀୟ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତି ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି।

ଏପଟେ ବିଜେପୁର ଉପ-ନିର୍ବାଚନ ସୁପରିଚାଳନା ପାଇଁ ଚାଲିଛି କର୍ମଶାଳା। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଲିଛି କର୍ମଶାଳା। ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ତାଲିମ୍ ଦିଆଯାଉଛି। କଂଗ୍ରେସ-ବିଜେଡି-ବିଜେପି ବିଜେପୁରକୁ ନିଜ ସପକ୍ଷରେ ନେବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ହେଁ ତାରିଖ ଘୋଷଣାରେ ବିଳମ୍ବ ହେଉଥିବାରୁ ଅନିଶ୍ଚିତତା ଦେଖାଦେଇଛି।

ଅଗଷ୍ଟ ୨୧ ତାରିଖରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ସୁବଳଙ୍କ ଦେହାନ୍ତ ପରେ ୬ ମାସ ଭିତରେ ଉପ-ନିର୍ବାଚନ ହେବା କଥା। ହେଲେ ୪ ମାସ ପୂରିଥିଲେ ବି ବିଜେପୁର ପାଇଁ ବିଗୁଲ୍‌ ବାଜୁନି। ବିଜେପୁର ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି, ବିଜେପି ଏବଂ କଂଗ୍ରେସ ଅଭିଯାନ ଆରମ୍ଭ କରି ଦେଇଥିଲେ। ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରି ଦେଇଥିଲା।

Comment