ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଘୋଷଣା ହୋଇନି ଉପ-ନିର୍ବାଚନ ତାରିଖ
  • ବିଜେପୁରକୁ ନେଇ ରାଜନୀତି ସରଗରମ୍
  • ବସ୍‌ଷ୍ଟାଣ୍ଡ ନିକଟ ପଡ଼ିଆରେ ବିଜେପି କରିବ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ
  • ସେହି ପଡ଼ିଆରେ ବିଜେଡି କରିଛି ଆଉ ଏକ ଟେଣ୍ଟ
  • ବିଜେପି କହିଲା, “ବିଜେଡି କରୁଛି ବିଶୃଙ୍ଖଳା”
  • ଦଳୀୟ ପତାକା ପୋଡ଼ାଯାଇଥିବା ବିଜେଡି ଆଣିଲା ଅଭିଯୋଗ

ଘୋଷଣା ହୋଇନି ବିଜେପୁର ଉପ-ନିର୍ବାଚନ ତାରିଖ। ହେଲେ ବିଜେପୁର ଦଖଲ ପାଇଁ କସର୍ ଆରମ୍ଭ କରି ଦେଇଛନ୍ତି ବିଜେପି-ବିଜେଡି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି ବିଜେପୁର ଦଖଲ ଅଭିଯାନ ଆରମ୍ଭ କରିଥିବା ବେଳେ ବିଜେପି ରବିବାର ଶକ୍ତି ପ୍ରଦର୍ଶନ କରିବାକୁ ବାହାରିଛି। ତେବେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଜେପିର ମନ କି ବାତ୍‌କୁ ନେଇ ବିଜେପି ଓ ବିଜେଡି କର୍ମୀ ବିଜେପୁରରେ ମୁହାଁମୁହିଁ ହୋଇଛନ୍ତି।

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ବିଜେପୁର ବସ୍‌ ଷ୍ଟାଣ୍ଡ ନିକଟ ପଡ଼ିଆକୁ ବାଛିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ବିଜେପି ଯେଉଁ ପଡ଼ିଆରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ କରିବାକୁ ଚାହୁଁଛି ସେଠି ବିଜେଡି କରିଛି ଟେଣ୍ଟ। ଏହାକୁ ନେଇ ଦେଖାଦେଇଛି ବିବାଦ। ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବିଜେଡି ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି। ଏପଟେ ବିଜେଡି କହିଛି ଯେ, ଦଳୀୟ ପତାକା ପୋଡ଼ି ଦିଆଯାଇ ଥିବାରୁ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଯାଇଛନ୍ତି।

“ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଆମେ ପୂର୍ବରୁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇଛୁ। ହେଲେ ବିଜେଡି ଅଯଥା ଗଣ୍ଡଗୋଳ ସୃଷ୍ଟି କରୁଛି। ଏହାକୁ ପ୍ରଶାସନ ସମର୍ଥନ ଦେବା ଦୁଃଖଦ ଘଟଣା। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏନେଇ ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି”, କହିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ।

ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେପି କର୍ମୀ ବିଜେଡି ପତାକାକୁ ବିଜେପୁରରେ ପୋଡ଼ି ଦେଇଛନ୍ତି। ଏହାସହ କିଛି ସ୍ଥାନରେ ଉତ୍ତେଜନତାମୂଳକ ଭାଷଣ ଦେଉଛନ୍ତି ବିଜେପି ନେତା।

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, “ବିଜେପୁରରେ ବିଜେଡିର କୌଣସି କାର୍ଯ୍ୟକ୍ରମ ନାହିଁ। ଜାଣିଶୁଣି ବିଜେଡିକୁ ବଦନାମ କରିବା ପାଇଁ ବିଜେପି ନେତାମାନେ ଚାହୁଁଛନ୍ତି। ବିଜେପି ଅଭିଯୋଗରେ କୌଣସି ସତ୍ୟତା ନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ ବିଜେପୁରର ୨୭୦ ବୁଥ୍‌ରେ ଶୁଣାଇବା ପାଇଁ ବିଜେପି ବ୍ୟାପକ ଆୟୋଜନ କରିଛି। ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜେପି ବଡ଼ ନେତା ଯିବେ ବିଜେପୁର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକ ଏବଂ ୨୭୦ ନେତା ଯିବେ ବିଜେପୁର। ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ ଲୋକଙ୍କୁ ଶୁଣାଇବେ। ଏହାସହ ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ କରିବେ।

Comment