ଭାସ୍କର ପରିଚ୍ଛା

ଡେସ୍କଟପରେ କୌଣସି ନୂଆ ସଫ୍ଟୱେର୍ ଭର୍ତ୍ତି କଲାବେଳେ ଯେଭଳି ସ୍କ୍ରିନରେ ଲେଖା ଆସେ ‘ଲୋଡିଂ… ପ୍ଲିଜ୍ ୱେଟ୍’, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କଥାଟି ମଧ୍ୟ ଆପାତତଃ ସେୟା। ଏଥିରେ ଅବଶ୍ୟ ଆଦୌ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ଯେ ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଓ ତାଙ୍କ ତଳେ କି ଉପରେ ଆଉ କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।

ବିଗତ ଦୁଇ ବର୍ଷର ଘଟଣା ପ୍ରବାହ, ମନ୍ତବ୍ୟ, ବୟାନବାଜି ଓ ରାଜନୈତିକ ବଳ କଷାକଷି ଏ ସବୁକୁ ଯଦି ଏକାଠି କରି ଦେଖାଯାଏ, ଧର୍ମେନ୍ଦ୍ର ହିଁ ହେଉଛନ୍ତି ବିଜେପିର ଓଡିଶା ମୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭକରି ଦଳର ସଭାପତି ଓ ନେତାମାନେ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ଚେହେରାକୁ ବଜାୟ ରଖିବାରେ ବରାବର ସହାୟକ ହୋଇଆସିଛନ୍ତି। ତେବେ ଅସଲ କଥାଟି ହେଲା ବିଜେପି ଓଡ଼ିଶାରେ କ୍ଷମତାକୁ ଆସି ପାରିବ କି ଯାହା ଫଳରେ ଧର୍ମେନ୍ଦ୍ର ତାଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିପାରିବେ।

‘ଆମେ କ୍ଷମତାକୁ ଆସିବୁ ଓ ପରବର୍ତ୍ତୀ ସରକାର ଗଢିବୁ’ – ଏହିଭଳି ଦାବି ଓ ଦୃଢ଼ୋକ୍ତି କରିବାରେ କିଛି ଅସୁବିଧା ନାହିଁ। ଯେ କୌଣସି ରାଜନୈତିକ ଦଳ ତାହା କରିପାରିବେ ଓ କରିବାର ଅଧିକାର ମଧ୍ୟ ଅଛି। ବର୍ଷ ଶେଷ ହେବା ଦିନ ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ସରୁସରୁ ଯେତେବେଳେ ସାମ୍ବାଦିକ ମାନେ ଧର୍ମେନ୍ଦ୍ରଙ୍କୁ ଏହି କଥା ପଚାରିଲେ ସେ ଉତ୍ତର ଦେଇଥିଲେ, ‘ଶାସକ ଦଳର ଅହଙ୍କାର ଚରମ ସୀମାରେ ପହଞ୍ଚିଯାଇଛି ଏବଂ ଓଡ଼ିଶାର ଲୋକେ ବିଜେଡିରୁ ମୁକ୍ତି ଚାହୁଁଛନ୍ତି। ଆମେ ୨୦୧୯ରେ ସରକାର ଗଠନ କରିବୁ ଓ ତାହାର ମୂଳଦୁଆ ପଡ଼ିବ ବିଜେପୁରରୁ।’ ଭଲ କଥା। ଧର୍ମେନ୍ଦ୍ରଙ୍କ ଯୁକ୍ତି ହେଉଛି ଓଡ଼ିଶାର ଲୋକଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଭରସା ଅଛି। ସେହି ଭରସା ଓ ତା ସହିତ ମୋଦି ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ବିଜେପୁରରୁ ତାଙ୍କ ଦଳ ଜିତିବ। ଯଦି ବିଜେପୁର ହାତକୁ ଆସିଲା ବାକି ୧୧୯ଟି ଆସନ ଆସିବାରେ ଅସୁବିଧା କେଉଁଠି?

ଇଏ ବି ଠିକ୍ କଥା। ଜୁଲାଇ ମାସ ୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ଶାହାଙ୍କ ୧୨୦ ମିଶନ ‘ଫମ୍ପା ଆବାଜ’ ନୁହେଁ, ଏହା ପଛରେ ସୁଚିନ୍ତିତ କାରଣ ଓ ରଣନୀତି ରହିଛି। ଠିକ୍ ସେହିଭଳି ଏପ୍ରିଲ ମାସ ୨ ତାରିଖରେ ଆଉ ଏକ ପତ୍ରିକାର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପୂର୍ବାନୁମାନ କରି କହିଥିଲେ ଯେ ଖୁବ୍ ଶୀଘ୍ର ବିଜେଡି ଧୁଳିସାତ ହୋଇଯିବ। ନବୀନ ପଟ୍ଟନାୟକଙ୍କ ସରକାର ଉପରୁ ଲୋକଙ୍କ ମୋହ ଭଙ୍ଗ ହେଲାଣି, ଏଣୁ ଶାସକ ଦଳ ନିର୍ବାଚନରେ ଚିତ୍‌ପଟାଙ୍ଗ ମାରିବା ସୁନିଶ୍ଚିତ। ଏ ତ ଗଲା ରାଜନୀତି।

ନିଜ ଦଳକୁ ଓ ନିଜକୁ ଓଡ଼ିଶାର ଶାସନ ଗାଦିରେ ବସାଇବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ବିଗତ ତିନି ବର୍ଷ ଧରି ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ଦ୍ୱିମତ ନାହିଁ। ନିଜ ମନ୍ତ୍ରାଳୟର ପ୍ରାୟ ପ୍ରତିଟି ନୂଆ କାର୍ଯ୍ୟକ୍ରମ ଓ ଯୋଜନାକୁ ସେ ଓଡ଼ିଶାରୁ ହିଁ ଆରମ୍ଭ କରାଇଛନ୍ତି – ଗ୍ୟାସଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ଆଣିବା, ସେସବୁ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜ ସାଥୀ ମନ୍ତ୍ରୀଙ୍କୁ ଅବଗତ କରାଇବା, ବିଭିନ୍ନ କର୍ମଚାରୀ ସଙ୍ଗଠନର ସମସ୍ୟା ସହିତ ନିଜକୁ ଜଡ଼ିତ କରିବା, ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବା ଏଭଳି ଯାବତୀୟ କାର୍ଯ୍ୟ ଜରିଆରେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ରାଜ୍ୟର ପ୍ରଶାସନ ସହିତ ଆଗରୁ ହିଁ ସମ୍ପୃକ୍ତ କରିସାରିଛନ୍ତି।

ଏପରିକି ମଝିରେ ଶୁଣାଯାଉଥିଲା ଧର୍ମେନ୍ଦ୍ର ଏକ ଛାୟା କ୍ୟାବିନେଟ ମଧ୍ୟ ଗଠନ କରିସାରିଛନ୍ତି ଯାହା ଫଳରେ କି ୨୦୧୯ ବିଧାନ ସଭା ନିର୍ବାଚନ ଶେଷ ହେବା କ୍ଷଣି ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଆଉ ସମୟ ଲାଗିବ ନାହିଁ। ଶାସକ ଦଳ ପକ୍ଷରୁ ହୁଏତ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ସବୁ ପଦକ୍ଷେପକୁ ତାତ୍ସଲ୍ୟ କରାଯାଇ ପାରେ କିନ୍ତୁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ଓ ଧର୍ମେନ୍ଦ୍ର ସେୟା ହିଁ କରି ଚାଲିଛନ୍ତି ଯାହା ରାଜନୀତି ବିଜ୍ଞାନରେ ପଢ଼ାଯାଏ – the government in waiting।

ନିକଟରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ସ୍ଵାଭାବିକ ଭାବରେ ଓଡ଼ିଶା ବିଜେପିର ନେତା ମାନେ ଉତ୍ସାହିତ ହୋଇ ପଡିଛନ୍ତି। ଅନ୍ୟ ଭାବରେ କହିଲେ ନବୀନ ପଟ୍ଟନାୟକଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେବାକୁ ବିଜେପି ଚାହୁଁନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ପ୍ରଦର୍ଶନ କଲା ତାହା ହିଁ ବିଜେପିକୁ କ୍ଷମତା ହାସଲର ସ୍ୱାଦ ଚଖାଇଛି। ୨୦୧୨ରେ ମାତ୍ର ୩୬ଟି ଜିଲ୍ଲା ପରିଷଦ ଆସନ ହାସଲ କରିଥିବା ବେଳେ ୨୦୧୭ରେ ୮୫୩ ଭିତରୁ ୩୦୬ଟି ଜିଲ୍ଲା ପରିଷଦ ସ୍ଥାନ ଅଧିକାର କରିଥିବା ବିଜେପି ଏହା ପରଠାରୁ ହିଁ ୧୨୦ ବିଧାନସଭା ଆସନର ଟାର୍ଗେଟ ରଖିବା ଆରମ୍ଭ କରିଛି।

ମୋଦି ସରକାରଙ୍କ ତଥାକଥିତ ବିକାଶ କାର୍ଯ୍ୟକ୍ରମ, ବିଜେପି ସଭାପତିଙ୍କ ରଣକୌଶଳ ଓ ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟମାନେ ଦଳକୁ ଜିତାଇବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା କେତେଦୂର ସଫଳ ହେବ ସେ କଥା ବର୍ତ୍ତମାନଠାରୁ କହିବା କଷ୍ଟ। ୨୦୧୯ ନିର୍ବାଚନ ପାଇଁ ଆହୁରି ବର୍ଷେ ସମୟ ରହିଚି ଓ ଏହି ଦୀର୍ଘ ସମୟ ମଧ୍ୟରେ କିଛି ବି ଘଟି ଯାଇପାରେ। ତେବେ ଗୋଟିଏ ପଟେ ନିଷ୍କ୍ରିୟ କଂଗ୍ରେସ ଓ ଆରପଟେ ପଞ୍ଚମ ଥର ପାଇଁ କ୍ଷମତା ହାସଲ କରିବା ପାଇଁ ଶାସକ ବିଜେଡିର ପ୍ରଚେଷ୍ଟା – ଏହି ସୁବିଧାମିଶା ପରିସ୍ଥିତିରେ ୧୨୦ ନ ହେଲେ ମଧ୍ୟ ଖୁସି ହେବା ଭଳି ସଂଖ୍ୟା ପାଇଁ ବିଜେପିକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବାକୁ ପଡ଼ିବ। ଏଥିସକାଶେ ଦଳ କେତେ ପରିମାଣରେ ନିଜକୁ ପ୍ରସ୍ତୁତ କରୁଛି ତାହା ଅପେକ୍ଷା କରି ଦେଖିବାର କଥା। ଯଦି ମନର କଥା ବା ଖିଆଲି ମନୋଭାବ ପ୍ରକୃତ ଭୋଟରେ ପରିଣତ ହୁଏ ଜାଣନ୍ତୁ ଇପ୍‌ସିତ ପଦାର୍ଥଟିକୁ ହାସଲ କରିବା ସକାଶେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment