ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ପରି ଗୁରୁବାର ମଧ୍ୟ ତିନି ତଲାକ୍‌ ବିଲ୍‌କୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଆଜିର କାର୍ଯ୍ୟକାଳ ଅଚଳ ହୋଇଯାଇଛି। ଫଳରେ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡ଼ିଛି। ଶୁକ୍ରବାର ଶୀତକାଳୀନ ଅଧିବେଶନର ଶେଷ ଦିନ ଥିବାରୁ ବିଲ୍‌ର ଭାଗ୍ୟ କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହେଉଛି। ଏହି ଅଧିବେଶନ ମୋଦି ସରକାରଙ୍କ ପାଇଁ ଚାଲେଞ୍ଜ ବୋଲି କୁହାଯାଉଛି। ଏହି ଅଧିବେଶନରେ ମୋଦି ସରକାର ବହୁ ପ୍ରତିକ୍ଷୀତ ତିନି ତଲାକ୍‌ ବିଲ୍‌କୁ ସଂସଦରେ ପାରିତ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ଲୋକସଭାରେ ଏହି ବିଲ୍‌ ବାଚନିକ ଭୋଟରେ ପାରିତ ହୋଇଯାଇଛି। ହେଲେ ରାଜ୍ୟସଭାରେ ବିଲ୍‌ ଲଟକି ରହିଛି। ବିରୋଧୀ ଦଳଙ୍କ ବିରୋଧ ଯୋଗୁଁ ବିଲ୍‌ଟି ପାସ୍‌ ହୋଇପାରୁ ନାହିଁ। ଯଦି ଶୁକ୍ରବାର ଏହି ବିଲ୍‌ ପାସ୍‌ ନହୁଏ ତାହାଲେ ବଜେଟ୍‌ ଅଧିବେଶନକୁ ମୋଦି ସରକାରଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

ତିନି ତଲାକ୍‌ ବିଲ୍‌କୁ ଐତିହାସିକ କହି ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରିଥିଲେ। ଏହାକୁ ବିରୋଧୀ କଂଗ୍ରେସ ସମେତ ବିଜେଡି, ସମାଜବାଦ ପାର୍ଟି, ତୃଣମୂଳକଂଗ୍ରେସ ଏବଂ ବାମପନ୍ଥୀ ବିରୋଧ କରିଥିଲେ। ବିଲକୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ଲୋକସଭାରେ ଏନଡିଏର ବହୁମତ ଥିବାରୁ ବାଚନିକ ଭୋଟରେ ବିଲ୍‌କୁ ପାସ୍‌ କରି ଦେଇଥିଲେ ସରକାର। ହେଲେ ରାଜ୍ୟସଭାରେ ସରକାର ଏହି ବିଲକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି।

ରାଜ୍ୟସଭାରେ ବିଜେପିର ବହୁମତ ନଥିବାରୁ ବିଲ ପାସ୍‌ ହୋଇପାରୁ ନାହିଁ। ବିରୋଧୀ ଦଳ ବିଲ ସଂଶୋଧନ ପାଇଁ ଦାବି କରୁଛନ୍ତି। ଏହାସହ ବିଲ ଯାଞ୍ଚ ପାଇଁ ସିଲେକ୍ଟ କମିଟିକୁ ପଠାଇବା ଲାଗି ଅଡ଼ି ବସିଛନ୍ତି।

କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ କହିଛନ୍ତି, “ଆମେ ସରକାରଙ୍କୁ ସହଯୋଗ କରୁଛୁ। ଆମେ ଚାହୁଁଛୁ ଏହି ବିଲ୍‌ ଆଇନରେ ପରିଣତ ହେଉ। କିନ୍ତୁ ଏଥିରେ କିଛି ନିୟମ ଅଛି ଯାହା ମୁସଲିମ୍ ମହିଳାଙ୍କ ବିରୋଧୀ। ଆମେ ଏହାର ସଂଶୋଧନ ଦାବି କରୁଛୁ।”

“ଅଚାନକ୍‌ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ଦାବି କରି କଂଗ୍ରେସ ରାଜ୍ୟସଭାର ପରମ୍ପରାକୁ ଭାଙ୍ଗୁଛି। ଏହା ଗ୍ରହଣୀୟ ନୁହେଁ”, କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି।

ବୁଧବାର ତିନି ତଲାକ୍‌ ବିଲ୍‌ ରାଜ୍ୟସଭାରେ ଆଗତ ହୋଇଥିଲା। ଆଗତ ହେବା ମାତ୍ରେ କଂଗ୍ରେସ ନେତା ଆନନ୍ଦ ଶର୍ମା ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ। ହେଲେ ଏଥିରେ ସରକାର ରାଜି ହୋଇ ନଥିଲେ। ଫଳରେ ବିରୋଧ ଓ ଶାସକ ସଭ୍ୟଙ୍କ ମଧ୍ୟରେ କଥା କଟାକଟି ଚାଲିଲା। ରାଜ୍ୟସଭାକୁ ମୁଲତବୀ କରାଯାଇଥିଲା।

Comment