ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ନଥିବାରୁ ବିଜେଡି ଜାନୁଆରୀ ୮ ତାରିଖରୁ ୧୨ଟି ଜିଲ୍ଲାରେ କରିବ ଆନ୍ଦୋଳନ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ।

ବଢ଼ିଲାନି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ। ମନା କରିଦେଲେ କେନ୍ଦ୍ର ସରକାର। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୨ ଟି ସର୍ବାଧିକ ଧାନ ସଂଗ୍ରହକାରୀ ଜିଲ୍ଲାର ସମସ୍ତ ବ୍ଲକରେ ପର୍ଯ୍ୟାୟ କ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ  ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି।

ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁରରେ ବିଜେଡି ବିକ୍ଷୋଭ କରିବ।

ଗୁରୁବାର ଦିନ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଥିଲେ  ଯେ, “ଓଡିଶାର ଚାଷୀ ମରୁଡି , ଅଦିନିଆ ବର୍ଷା , ଚକଡା ପୋକ ଆଦି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବେଳେ କେନ୍ଦ୍ର ସରକାର ଧାନର ଏମଏସପି ବୃଦ୍ଧି ନକରିବା ଦୁର୍ଭାଗ୍ୟଜନକ।”

୨୦୧୭-୧୮ ବର୍ଷ ପାଇଁ କେନ୍ଦ୍ର କୃଷି ମନ୍ତ୍ରାଳୟ ଧାନ ପାଇଁ କୁଇଟାଲ ପିଛା ସର୍ବନିମ୍ନ ୧୫୫୦ ଟଙ୍କା ସହାୟକ ମୂଲ୍ୟ ନିର୍ଦ୍ଧାରଣ ନିଷ୍ପତ୍ତିକୁ ଆମେ ତୀବ୍ର ବିରୋଧ କରୁଛୁ ବୋଲି ଦାସବର୍ମା କହିଛନ୍ତି।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି,”କେନ୍ଦ୍ରମନ୍ତ୍ରୀ ଶେଖାୱତ ହୁଅନ୍ତୁ ବା କିରଣ ରିଜ୍ଜୁ ଏମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ ପୂର୍ଣ୍ଣଛେଦ ପକାଇ ଓଡ଼ିଶା ଚାଷୀକୁଳ ତଥା ବାଧାନସଭାକୁ ଉପହାସ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ବିଜେଡ଼ିର ଦାବି ନଥିଲା, ଏହା ଓଡ଼ିଶାବାସୀଙ୍କ ଦାବି। ଏହା ନ ହୋଇଥିଲେ ଏ ପ୍ରସଙ୍ଗ ବିଧାନସଭାରେ ପାରିତ ହୋଇ ନଥାନ୍ତା। ବିଜେପି ନିର୍ବାଚନୀ ଇସ୍ତାହାରରେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ବହୁତ କିଛି ଡିଣ୍ଡିମ ପିଟୁଛି ମାତ୍ର ପ୍ରକୃତରେ ତାହା କାର୍ଯ୍ୟକାରୀ କରାଯାଉନାହିଁ।”

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ସରକାରୀ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏବଂ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Comment