ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନକୁ ଆହୁରି ବର୍ଷେ ବାକି ଅଛି। ହେଲେ ଏହା ପୂର୍ବରୁ ଓଡ଼ିଶା ରାଜନୀତି ସରଗରମ୍ ହୋଇଯାଇଛି। ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ୨୦୧୯କୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ମଧ୍ୟ ପାଗ ଭିଡ଼ିଲେଣି। ଏହି କ୍ରମରେ ବୁଧବାର ଓଡ଼ିଶା ଜନମୋର୍ଚ୍ଚାର ସମତା କ୍ରାନ୍ତି ଦଳରେ ବିଲୟ ଘଟିଛି।

୨୦୧୨ ମେ-୨୯ ମିଡନାଇଟ୍‌ ଅପରେସନ୍‌ ପରେ ପ୍ୟାରୀ ମୋହନ ମହାପାତ୍ର ବିଜେଡିରୁ ବିଦା ହୋଇଥିଲେ। ବିଜେଡିକୁ ଚେକ୍ ଦେବା ପାଇଁ ପ୍ୟାରୀ ଓଡ଼ିଶା ଜନ ମୋର୍ଚ୍ଚା ନାମରେ ରାଜନୈତିକ ଦଳ ଗଠନ କରିଥିଲେ। ଏହି ଦଳ ବିଭିନ୍ନ ସ୍ଥାନରେ ସମାବେଶ କରିବା ସହ ୨୦୧୪ରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା।

ଏପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେଡିରୁ ବାହାରିବା ପରେ ସମତା କ୍ରାନ୍ତି ଦଳ ଗଠନ କରିଥିଲେ। ଏହି ପାର୍ଟି ମଧ୍ୟ ୨୦୧୪ରେ କେତେକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା। ହେଲେ କେବେଳ ବୀରମିତ୍ରପୁରରେ ଜର୍ଜ ତିର୍କୀ ସମତାକ୍ରାନ୍ତି ପାର୍ଟି ଟିକେଟରେ ନିର୍ବାଚନ ଜିତିଥିଲେ। ହେଲେ ଶ୍ରୀ ତିର୍କୀ ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି। ଆଉ ପ୍ୟାରୀମୋହନ ମହାପାତ୍ର ଆର ପାରିକୁ ଚାଲିଯିବା ପରେ ଜନ ମୋର୍ଚ୍ଚାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ଦୁଇ ପାର୍ଟି ଏକାଠି ହୋଇଛନ୍ତି। ୨୦୧୯ରେ ଏମାନେ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି, “ବିଜେପି, ବିଜେଡି, କଂଗ୍ରେସରେ ଅଲୋଡା ହୋଇଥିବା ନେତା  ଓ ବିଜୁବାବୁଙ୍କ ସାଙ୍ଗରେ ରହିଥିବା ନେତା କର୍ମୀ ମାନଙ୍କୁ ସମତା କ୍ରାନ୍ତି ପାର୍ଟିରେ ସାମିଲ କରାଯିବ। ତାଙ୍କ ଦଳରେ ବିଲୀନ ହୋଇଥିବା ଓଡିଶା ଜନ ମୋର୍ଚା ଦଳର ସଭାପତି ଯଜ୍ଞେଶ୍ୱର ବାବୁଙ୍କୁ ସମତା କ୍ରାନ୍ତିର ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।”

ଜାନୁଆରୀ ସୁଦ୍ଧା ଦଳର କାର୍ଯ୍ୟକାରୀ କମିଟି ଗଠନ ହେବ ଓ ଏଥିରେ ଆସନ୍ତା ବିଜେପୁର ଉପ-ନିର୍ବାଚନରେ ଦଳ ଲଢିବା ବା ନ ଲଢିବା ନେଇ ନିଷ୍ପତି ନିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଯଜ୍ଞେଶ୍ୱର ବାବୁ କହିଛନ୍ତି, “ସମତା କ୍ରାନ୍ତି ଦଳ ବିଜେପି, ବିଜେଡି ଓ କଂଗ୍ରେସର ବିକଳ୍ପ ହେବ। ଉଭୟ ଦଳର ମିଶ୍ରଣ ଏକ ଐତିହାସିକ ନିଷ୍ପତ୍ତି।  ଆଜିଠାରୁ ସେ ବିଭିନ୍ନ ଦଳର ନେତା ମାନଙ୍କୁ ଦଳରେ ମିଶାଇବା ନେଇ କାମ କରିବେ। ଓଡିଶା ରାଜନୀତି କଳୁଷିତ ହେବା ସହ ସଂସ୍କୃତି ଓ ପରମ୍ପରା ସଂକୁଚିତ ହୋଇଛି। ଏହାସହ ବ୍ୟକ୍ତିଗତ  ଅସହିଷ୍ଣୁତା ବୃଦ୍ଧି ପାଇଛି।”

Comment