ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ। ହେଲେ ପ୍ରମିଳା ଶୁକ୍ରବାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ବୈଜୟନ୍ତଙ୍କୁ ଦୁଇ ଦିନ ହେଲା ଯୋଗାଯୋଗ ହୋଇପାରୁନି ପ୍ରମିଳା କହିବା ପରେ ବୈଜୟନ୍ତ ଏହାର ଜବାବ ଦେଇଛନ୍ତି।

  • ବିଜେଡିରେ ବୈଜୟନ୍ତ ବିବାଦ
  • ବିବାଦର ଆରମ୍ଭ ହେଲା ତଦନ୍ତ
  • ପ୍ରମିଳା କହିଲେ, “ବୈଜୟନ୍ତଙ୍କ ସହ ଯୋଗାଯୋଗ ହୋଇପାରୁନି”
  • ବୈଜୟନ୍ତ ଟୁଇଟର୍‌ରେ ଦେଲେ ଜବାବ
  • କହିଲେ, “ପ୍ରମିଳାଙ୍କ ସହ ମୁଁ କଥା ହୋଇଛି”
  • ଲିଖିତ ଅଭିଯୋଗ ଆସିଲେ ଲିଖିତ ଉତ୍ତର ଦେବି: ବୈଜୟନ୍ତ

ଦିନ ପରେ ଦିନ ଗଡ଼ୁଛି। ହେଲେ ବିଜେଡିରେ ବୈଜୟନ୍ତ ବିବାଦ ଭିନ୍ନ ମୋଡ଼ ନେଉଛି। ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରି ବିବାଦୀୟ ହୋଇପଡ଼ିଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟକୁ ନେଇ ଆଉ ଏକ ଝଡ଼ ସୃଷ୍ଟି ହୋଇଛି। ବୈଜୟନ୍ତଙ୍କୁ ନେଇ ଉପୁଜିଥିବା ବିବାଦର ତଦନ୍ତ କରୁଥିବା ପ୍ରମିଳା ବୈଜୟନ୍ତଙ୍କୁ ପାଉ ନଥିବା କହିବା ପରେ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ପ୍ରମିଳା ମଲ୍ଲିକ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରାପଡ଼ା ଗସ୍ତ କରି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ସହ ସାଂସଦ ପାଣ୍ଠିର ବିନିଯୋଗ ନେଇ ତଥ୍ୟ ନେଇଛି। ହେଲେ ଦୁଇଦିନ ହେଲା ବୈଜୟନ୍ତଙ୍କ ସହ ଯୋଗାଯୋଗ ସମ୍ଭବ ହେଉନି। ତାଙ୍କ ରାଜନୈତିକ ସଚିବଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରୁନି। ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବି।”

ବୈଜୟନ୍ତଙ୍କ ସହ ଯୋଗାଯୋଗ ହୋଇପାରୁନି ପ୍ରମିଳା କହିବା ପରେ ସାଂସଦ ବୈଜୟନ୍ତ ଜବାବ ରଖିଛନ୍ତି। ଟୁଇଟର୍‌ରେ କହିଛନ୍ତି, ପ୍ରମିଳାଙ୍କ ସହ ମୁଁ କଥା ହୋଇଛି।

ବୈଜୟନ୍ତ ପଣ୍ଡା କହିଛନ୍ତି, “ଏଥିରେ କୌଣସି ସତ୍ୟତା ନାହିଁ। ପ୍ରମିଳା ଗୁରୁବାର ରାତିରେ ମୋ’ ଘରକୁ ଫୋନ୍ କରିଥିଲେ। ହେଲେ ସେତେବେଳେ ମୁଁ ଘରେ ନଥିଲି। ଶୁକ୍ରବାର ସକାଳେ ମୁଁ ତାଙ୍କୁ ଫୋନ୍ କରିଥିଲି। ମୋ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଲିଖିତ ଭାବେ ଦେବାକୁ କହିଥିଲି। ଲିଖିତ ଭାବେ ଅଭିଯୋଗ ଆସିଲେ ମୁଁ ଏହାର ଲିଖିତ ଉତ୍ତର ଦେବି ବୋଲି କହିଛି।”

ପ୍ରମିଳା ଓ ବୈଜୟନ୍ତଙ୍କ ଏହି ମନ୍ତବ୍ୟ ଆସିବା ପରେ ରାଜନୀତି କରିଡରେ ଭିନ୍ନ ଚର୍ଚ୍ଚା ହେଉଛି। ଉଭୟଙ୍କ ଭିତରୁ କିଏ ସତ କହୁଛି ବୋଲି ଆଲୋଚନା ଚାଲିଛି। ପ୍ରମିଳା ମଲ୍ଲିକ ଯଦି ବୈଜୟନ୍ତଙ୍କ ସହ ଫୋନରେ କଥା ହୋଇଛନ୍ତି ତାହେଲେ ସେ ତାଙ୍କୁ ପାଉ ନାହାନ୍ତି ବୋଲି କେଉଁ ଆଧାରରେ କହିଲେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ବୈଜୟନ୍ତଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗ ଫର୍ଦ୍ଦ

ବୈଜୟନ୍ତଙ୍କୁ ନେଇ ଉପୁଜିଥିବା ବିବାଦର ତଦନ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଆରମ୍ଭ କରିଥିବା ବେଳେ ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ପ୍ରତିଦିନ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀମାନେ ଆସି ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ୍ ହେଉଛନ୍ତି।

ଶୁକ୍ରବାର ରାଜନଗର ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବିଜେଡି କର୍ମୀମାନେ ଆସି ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସାଂସଦ ଦଳୀୟ କର୍ମୀଙ୍କୁ ପଚାରନ୍ତି ନାହିଁ ବୋଲି କହିଛନ୍ତି।

ସାଂସଦଙ୍କ ବିରୋଧରେ ପ୍ରଥମେ ନିଶ୍ଚିନ୍ତକୋଇଲି ବ୍ଲକ, ପରେ ମହାକାଳପଡ଼ା, ସାଲେପୁର, କେନ୍ଦ୍ରାପଡ଼ା ବ୍ଲକର କର୍ମୀ ଅଭିଯୋଗ କରିଥିଲେ।

କ’ଣ ପାଇଁ ଚର୍ଚ୍ଚାରେ ବୈଜୟନ୍ତ?

କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରି ବିବାଦରେ ଛନ୍ଦି ହୋଇ ଯାଇଥିଲେ ବୈଜୟନ୍ତ। ଏପରିକି ଅଫିସର ସର୍ଭିସ୍‌ ରୁଲ୍‌କୁ ଭୁଲି ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ଏହି ବରିଷ୍ଠ ନେତା। ଲାଗାତାର ବୈଜୟନ୍ତ ଏବଂ ତାଙ୍କ ରାଜନୈତିକ ସଚିବ ତୃତୀୟ ମହଲାକୁ ଆଟାକ୍‌ କରି ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲେ କମ୍ପନ।

ଏହି କମ୍ପନ ଏମିତି ଥିଲା ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଜବାବ ରଖିବାକୁ  ବାଧ୍ୟ ହୋଇଥିଲେ। ବୈଜୟନ୍ତଙ୍କ ଅଣଓଡ଼ିଆ ଅଫିସରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ନବୀନ କଡ଼ା ଭାଷାରେ ତାଗିଦ୍ କରିଥିଲେ। କହିଥିଲେ, “ଯେଉଁମାନଙ୍କ ପାଖରେ କିଛି ପ୍ରସଙ୍ଗ ନଥାଏ ସେମାନେ ମୋ କାର୍ଯ୍ୟାଳୟ ଉପରେ ଆଲୋଚନା କରନ୍ତି।”

ନବୀନଙ୍କ ଏହି ବିବୃତି ଆସିବା ପରେ ବୈଜୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ସୋସିଆଲ ମିଡିଆରେ। ତାଙ୍କ ଦଳର ନେତା ଯାହା ବିଚାର କରିଛନ୍ତି ତାହାକୁ ଆଉଥରେ ତର୍ଜମା କରିବାକୁ ଅନୁରୋଧ କରିଥିଲେ। ଏହାସହ ନବୀନଙ୍କ ‘ପ୍ରସଙ୍ଗ ହୀନ’ ମନ୍ତବ୍ୟରେ ମତ ରଖିବାକୁ ଯାଇ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦିଥିଲେ ବୈଜୟନ୍ତ। ବିଜୁବାବୁଙ୍କ  ଉଦାହରଣ ଦେଇ ପୁଣିଥରେ ଅଫିସରଙ୍କ ଉପରେ ବର୍ଷିଥିଲେ।

କାହିଁକି ବିବାଦ?

ସାଂସଦ ପାଣ୍ଠିରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତରେ ହୋଇଥିଲା ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ। ଏହାକୁ ଉଦ୍‌ଘାଟନ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା କରିଥିଲେ ଯୋଜନା। ହେଲେ ଏହାକୁ ବିରୋଧ କରିଥିଲା ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ପାଣିଟାଙ୍କି ଉଦଘାଟନ ପାଇଁ ଅନୁମତି ନଦେବାକୁ  ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଏହି ଘଟଣାରୁ ହିଁ ଆରମ୍ଭ ହୋଇଥିଲା ବିବାଦ। କିଛି କୁଚକ୍ରୀ ଗୋଷ୍ଠୀ ଏବଂ ଅଣଓଡ଼ିଆ ଅଫିସର ପାଣିଟାଙ୍କି ଉଦଘାଟନ ହେଉ ବୋଲି ଚାହୁଁ ନଥିବା ବୈଜୟନ୍ତଙ୍କ ଅଫିସ ଅଭିଯୋଗ କରିଥିଲା।

ଗୋଟିଏ ପଟେ ବ୍ଲକ ବିଜେଡି ସାଂସଦଙ୍କୁ ବିରୋଧ କରିଥିବା ବେଳେ ବୁହାଳୋ ସରପଞ୍ଚ ବୈଜୟନ୍ତଙ୍କୁ ଦେଇଥିଲେ ସମର୍ଥନ। ସାଂସଦ ଆସିଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଶେଷରେ ବୈଜୟନ୍ତ ଆସିଲେ ଏବଂ ପାଣିଟାଙ୍କି ଉଦଘାଟନ କଲେ। ଉଦଘାଟନ କରିବା ପରେ ବୈଜୟନ୍ତ ଥାର୍ଡ ଫ୍ଲୋରକୁ ଟାର୍ଗେଟ୍ କରିଥିଲେ।

Comment