ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୮୬୮-୨୦୧୮, ସେଦିନ ଓ ଆଜି ମଧ୍ୟରେ ବିତିଯାଇଛି ୧୫୦ବର୍ଷ। ଗୋଟିଏ ଛୋଟ ଅନୁଷ୍ଠାନ ଆଜି ବିରାଟ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଛି। ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ସାହିତ୍ୟକ, ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସକ, ବିଚାରପତି, ଆଇନଜୀବୀ, ଶିଳ୍ପୀ, କଳାକାର, ଚିକିତ୍ସକ, ସାମ୍ବାଦିକ, ଅଭିନେତା, କ୍ରୀଡ଼ାବିତଙ୍କ ପର୍ଯ୍ୟନ୍ତ ରେଭେନ୍ସାର ଅଧିକାଂଶ କୃତୀଙ୍କୁ ରୂପ ଦେବାରେ ରେଭେନ୍ସାର ରହିଛି ପ୍ରଚଣ୍ଡ ହାତ। ବିରାଟ ବୃକ୍ଷ ସାଜି ଅନେକ ବୃକ୍ଷ ମଞ୍ଜି ସୃଷ୍ଟି କରିଛି ରେଭେନ୍ସା।

ରେଭେନ୍ସା ଏମିତି ଏକ ତୀର୍ଥ ଯାହା ଦ୍ବାରକୁ ଗଲେ ସତେ ଯେମିତି କେହି ଖାଲି ହାତେ ଫେରେନା। ଜ୍ଞାନର ପରିସୀମା ଭିତରେ ବାନ୍ଧି ରଖିବାର କଳା ଶିଖେଇ ଦିଏ ଏଇ ତୀର୍ଥ। ଅଜସ୍ର ସ୍ମୃତିକୁ ସାଉଁଟି ନେଇ କିଛି କ୍ଷଣ ତାକୁ ବଖାଣିବାର ଦିନଟି ଥିଲା ରବିବାର।

୧୫୦ବର୍ଷ ଇତିହାସକୁ ମନେ ପକାଇବା ପାଇଁ ରେଭେନ୍ସା ପଡିଆରେ ଏକତ୍ରିତ ହୋଇଥିଲେ ବହୁ ପୁରୁଖା ଛାତ୍ରଛାତ୍ରୀ।

ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ‘ରେଭେନ୍ସା ମହାମିଳନ’ କାର୍ଯ୍ୟକ୍ରମ। ବୃଦ୍ଧଙ୍କଠାରୁ ଆରମ୍ଭ କରି ତରୁଣ ଛାତ୍ରଛାତ୍ରୀ ପ୍ରଥମଥର ପାଇଁ ଏକାଠି ହୋଇଥିଲେ ରେଭେନ୍ସାର ମୁକ୍ତାକାଶ ପ୍ରାଙ୍ଗଣରେ। କିଏ ଆମେରିକାରେ ରହୁଥିଲେ ତ କିଏ ବିଶ୍ୱର ଆଉ କେଉଁ କୋଣରେ, ପାଖାପାଖି ବହୁ ବିଶିଷ୍ଟ ବ୍ୟକ୍ତି ଧାଇଁ ଆସିଥିଲେ ଜ୍ଞାନର ତୀର୍ଥକୁ। ଆଉ ରେଭେନ୍ସାର ଅତୀତକୁ ମନେ ପକାଇ ବଖାଣି ଥିଲେ ନିଜ ମନର କଥା। ରେଭେନ୍ସାର ସ୍ମୃତିରେ ବିଭୋର ହୋଇଉଠିଥିଲେ ଉପସ୍ଥିତ ଅତିଥି ବୃନ୍ଦ ।

ବହୁଦିନର ପରେ ଏଭଳି ଏକ ମିଳନ ପର୍ବରେ କେହି କେହି ଭାବାବେଗକୁ ଚାପି ରଖିପାରୁ ନଥିଲେ। ବହୁ ଦିନର ମିଳନ ଅନୁଭୂତିକୁ ପାତେୟ କରି ପ୍ରତିବର୍ଷ ଏମିତି ଏକ ମିଳନପର୍ବ ଅନୁଷ୍ଠିତ ହେଉ ବୋଲି ବହୁ ଅତିଥି ନିଜ ପ୍ରତିକ୍ରିୟାରେ କହିଥିଲେ। ଅନେକ ଦିନର ସ୍କୃତି ଉଜାଗର କରିବାର ଏହି ପ୍ରୟାସ୍ ଭିତରେ ରେଭେନ୍ସା କର୍ତ୍ତୁପକ୍ଷଙ୍କୁ ବାଃ ବାଃ ଦେବାକୁ ଭୂଲିନଥିଲେ ଅତିଥିଗଣ।

ମହାମିଳନ ସଂକଳ୍ପର ଉତ୍ସବ:ସୌମ୍ୟରଞ୍ଜନ ପଟ୍ଟନାୟକ

ସରକାରୀ ଅନୁଦାନ ଅପେକ୍ଷା ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତା ଦ୍ୱାରା ଶିକ୍ଷାନୁଷ୍ଠାନ ଆଗେଇ ପାରିବ। ରେଭେନ୍ସା ନ ଥିଲେ ଆଜି ଯିଏ ଯେଉଁ ସ୍ତରରେ ପହଞ୍ଚିଛନ୍ତି ତାହା ସମ୍ଭବ ହୋଇପାରି ନ ଥାଆନ୍ତା। ଏହି ମହାମିଳନ ସଂକଳ୍ପର ଉତ୍ସବ, ଋଣ ପରିଶୋଧର ଉତ୍ସବ।

ମହାମିଳନ ଏକାସାଙ୍ଗରେ ସୁଖୀ ଓ ଦୁଃଖୀ କରୁଛି : ମନୋଜ ଦାସ

ସାରସ୍ୱତ ସ୍ରଷ୍ଟା ମନୋଜ ଦାସ ଥିଲେ ଏହି ମହାମିଳନର ମୁଖ୍ୟ ଆକର୍ଷଣ। ସେ ପାଠ ପଢ଼ିଲାବେଳେ ଛାତ୍ର ଫେଡେରେସନ୍‌ରୁ ଛାତ୍ର ସଂସଦର ସଭାପତି ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବା ଘଟଣାର ସ୍ମୃତିଚାରଣ କରିଥିଲେ। ରେଭେନ୍ସାରେ ଯେଉଁ ଦୁଇ ବର୍ଷ ଅତିବାହିତ କରିଥିଲେ ତାହା ଭାବିଲା ବେଳକୁ ଆଜି ତାହା ତାଙ୍କୁ ଏକାସଙ୍ଗରେ ସୁଖୀ ଓ ଦୁଃଖୀ କରୁଛି ବୋଲି କହିଥିଲେ।

ସମସ୍ତେ ଚେଷ୍ଟା କଲେ ହିଁ ରେଭେନ୍ସା ଉନ୍ନତି ସାଧନ ହୋଇପାରିବ: .ବୈଦ୍ୟନାଥ ମିଶ୍ର
ଶିକ୍ଷାବିତ୍‌ ତଥା ଅର୍ଥନୀତି ପ୍ରଫେସର ବୈଦ୍ୟନାଥ ମିଶ୍ର ଏହି ମହାମିଳନରେ ସମ୍ଭବତଃ ସବୁଠାରୁ ବୟୋଜ୍ୟେଷ୍ଠ ଅତିଥି ଥିଲେ । ରେଭେନ୍ସାରେ ଅଧ୍ୟାପନା କରି ଅନେକ ସଫଳ ଛାତ୍ରଙ୍କୁ ସୃଷ୍ଟି କରିଥିବା ପ୍ରଫେସର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି କହିଲେ, ରେଭେନ୍ସାରେ ଅନେକ ସୁଯୋଗ ରହିଛି। ସମସ୍ତେ ଚେଷ୍ଟା କଲେ ହିଁ ରେଭେନ୍ସା ଉନ୍ନତି ସାଧନ ହୋଇପାରିବ। ଏଥିପାଇଁ ସକାରାତ୍ମକ ମାନସିକତା ନିତାନ୍ତ ଆବଶ୍ୟକ।

Comment