ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ସନ୍ଧ୍ୟାରେ ମଣିପୁରି ଓ ଛଉ ନୃତ୍ୟରେ ଦର୍ଶକ ବିଭୋର ହୋଇଛନ୍ତି।

ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ।

ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ମୋନା ଶର୍ମା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଡକ୍ଟର ନିତିନ ଭାନୁଦାସ ଜାଓ୍ବାଲେ, ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ସଭାପତି ସତ୍ୟାନନ୍ଦ ମିଶ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଓ ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିଆନା ଚିତାରିଷ୍ଟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍‌ଘାଟନ ପର୍ବ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ।

ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମେ ସିବାଙ୍ଗି ଅନୁଷ୍ଠାନ ପକ୍ଷରୁ ଯନ୍ତ୍ର ସଙ୍ଗୀତ ପରିବେଷଣ  କରାଯାଇଥିଲା।  ଶାସ୍ତ୍ରୀୟ ସଙ୍ଗୀତ ସହିତ ଆଧୁନିକ ସଙ୍ଗୀତର ମିଶ୍ରଣରେ ପରିବେଷଣ ହୋଇଥିବା ଯନ୍ତ୍ର ସଙ୍ଗୀତ ଦର୍ଶକଙ୍କ ମନକୁ ଛୁଇଁଥିଲା।

ପରେ କୋଲକାତାରୁ ଆସିଥିବା ଅଞ୍ଜିକା ସ୍କୁଲ ଅଫ୍ ମଣିପୁରି  ଡ୍ୟାନ୍ସର କଳାକାରମାନେ ମଣିପୁରି ନୃତ୍ୟ ପରିବେଷଣ କରିଥିଲେ।  ‘ଟ୍ୟୁରେଲ – ନଦୀର କର୍ଣ୍ଣପାତ’ ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା।

ମଣିଷ ଜୀବନକୁ ନଦୀ ସହିତ ତୁଳନା କରି ପ୍ରିତୀ ପଟେଲ ଓ ସାଥୀ ମଣିପୁରି ନୃତ୍ୟ ମାଧ୍ୟମରେ  ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଶେଷରେ ଶୁଭଶ୍ରୀ ମୁଖାର୍ଜୀ ଓ ସାଥୀଙ୍କ ଦ୍ୱାରା ଛଉ ନୃତ୍ୟ ପରିବେଷଣ  କରାଯାଇଥିଲା। ପଞ୍ଚଭୁତ ପୃଥିବୀ ଅର୍ଥ କଠିନ, ଜଳ ଅର୍ଥ ତରଳ, ଅଗ୍ନି ଅର୍ଥ ଗରମ, ପବନ ଅର୍ଥ ପ୍ରାଣ ଏବଂ ଇଥର ଅର୍ଥ ମହାକାଶ ଏହି ପଞ୍ଚଭୁତକୁ ନେଇ ଶିଳ୍ପୀମାନେ ଉଚ୍ଚକୋଟିର ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ଚିତାରିଷ୍ଟ ଓ ସଙ୍ଗୀତ ସଂଯୋଜନା କରିଥିଲେ ଶାନ୍ତନୁ ମହାପାତ୍ର ଏବଂ ନିରନ ଭୋଳ।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଝଙ୍କୃତ ହୋଇଥିଲା ଯନ୍ତ୍ର ସଙ୍ଗୀତ, ମଣିପୁରି ନୃତ୍ୟ, ଛଉ ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା।   ଓଡ଼ିଶାର ସଂସ୍କୃତି, ନୃତ୍ୟ, ସଙ୍ଗୀତ, ସାମରିକ କଳା ଓ ପରମ୍ପରାକୁ ଦେଶ ତଥା ଦେଶ ବାହାରେ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇ ଆସୁଛି।

କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଓ ମେଘନା ଦାସ।

ଏହି ଅବସରରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ  ଡକ୍ଟର ଏସ. କେ ତାମୋଟିଆ, ଅତୁଲ୍ୟ ମହାକୁଡ଼, ଗୁରୁ ଧନେଶ୍ୱର ସ୍ବାଇଁ ଏବଂ ଭାଗିରଥି ଦାସଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

Comment