ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାନୁଆରୀ ୨୯ରୁ ଆରମ୍ଭ ହୋଇଥିଲା ଅଭିଯାନ
  • ୩୫ ଦିନରେ ୧ କୋଟି ୧୩ ଲକ୍ଷ ପିଲାଙ୍କୁ ଟିକା ଦେବାର ଥିଲା ଲକ୍ଷ୍ୟ
  • ୧୯ ଦିନରେ ୧ କୋଟି ପିଲା ନେଲେ ଟିକା
  • ମାର୍ଚ୍ଚ ୨୬ ତାରିଖ ଯାଏଁ ଚାଲିବ ଅଭିଯାନ

ସାରା ରାଜ୍ୟରେ ଆରମ୍ଭ ହୋଇଥିବା ମିଳିମିଳା ଓ ରୁବେଲା (ଏମ୍‌ଆର୍‌) ପ୍ରତିଷେଧକ ଟିକାକରଣ ଅଭିଯାନ ବିଶେଷ ସଫଳତା ହାସଲ କରିଛି। ଅଭିଯାନ ଶୁଭାରମ୍ଭ ହେବାର ମାତ୍ର ୧୯ ଦିନ ଭିତରେ ରାଜ୍ୟର ୧ କୋଟି ପିଲାଙ୍କୁ ଟିକା ଦିଆଯାଇଛି।

୧ କୋଟି ୧୩ ଲକ୍ଷ ପିଲାଙ୍କୁ ଏମ୍‌ଆର୍‌ ଟିକା ଦେବାର ଲକ୍ଷ୍ୟ ନେଇ ଜାନୁଆରୀ ୨୯ ତାରିଖରୁ ଏହି ଅଭିଯାନ ଶୁଭାରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଅଭିଯାନକୁ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ମାର୍ଚ୍ଚ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ତିନୋଟି ପର୍ଯ୍ୟାୟରେ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍କୁଲ ସ୍ତରରେ ପିଲାମାନଙ୍କୁ ଟିକା ଦିଆଯାଇଛି। ଫେବୃଆରି ୧୭ରେ ଏହି ଲକ୍ଷ୍ୟ ପୂରଣ ହୋଇ ସାରିଛି। ଏବେ ଗୋଷ୍ଠୀ ସ୍ତରରେ ଟିକାକରଣ ଅଭିଯାନ ଚାଲିଛି। ଯେଉଁ ପିଲାମାନେ ଏହି ଦୁଇଟି ପର୍ଯ୍ୟାୟରେ ଟିକା ନେଇ ନଥିବେ ସେମାନଙ୍କୁ ବାହାର କରାଯାଇ ତୃତୀୟ ପର୍ଯ୍ୟାୟରେ ଟିକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ସରୋଜବନ୍ଧୁ ମହାପାତ୍ର କହିଛନ୍ତି, “ଜାନୁଆରୀ ୨୯ ତାରିଖରୁ ଆମେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିଛୁ। ମାର୍ଚ୍ଚ ୨୬ ଯାଏଁ ଏହି ଅଭିଯାନ ଚାଲିବ। ଫେବ୍ରୁଆରି ୧୭ ତାରିଖରେ ସ୍କୁଲ ସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମ ଶେଷ କରାଯାଇଛି। ଏବେ ଗୋଷ୍ଠୀ ସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଦୁଇଟି ପର୍ଯ୍ୟାୟରେ ଯେଉଁ ପିଲା ଟିକାକରଣରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଟିକା ଦେବା ପାଇଁ ଲକ୍ଷ୍ୟ ରହିଛି।”

“ଓଡ଼ିଶାର ୧ କୋଟି ୧୩ ଲକ୍ଷ ପିଲାଙ୍କୁ ମିଳିମିଳା ଏବଂ ରୁବେଲା ଟିକା ଦେବା ପାଇଁ ଆମେ ଲକ୍ଷ୍ୟ ରଖିଥିଲୁ। ଏଥିପାଇଁ ଆମେ ବିଭିନ୍ନ ସରକାରୀ ବିଭାଗ, ଜନସାଧାରଣ ଏବଂ ବିଭିନ୍ନ ସଙ୍ଗଠନର ସହଯୋଗ ଲୋଡ଼ିଥିଲୁ। ୩୫ ଦିନରେ ୧ କୋଟି ୧୩ ଲକ୍ଷ ପିଲାଙ୍କୁ ଟିକାକରଣ କରିବାକୁ ଅବଧି ଦିଆଯାଇଥିଲା। କିନ୍ତୁ ୧୯ ଦିନରେ ଆମେ ୧ କୋଟି ଟିକାକରଣ ସମ୍ପୂର୍ଣ୍ଣ କରିଛୁ। ସମସ୍ତଙ୍କ ସହଯୋଗ ଯୋଗୁ ଆମେ ଏହି ସଫଳତା ପାଇଛୁ।

ଆଗାମୀ ୧୬ ଦିନ ଭିତରେ ଆଉ ୧୩ ଲକ୍ଷ ପିଲାଙ୍କୁ ଟିକା ଦେବାର ଲକ୍ଷ୍ୟ ରହିଛି “, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଓ ରାଜ୍ୟ ଟିକାକରଣ ଅଧିକାରୀ ଡାକ୍ତର କମଳାକାନ୍ତ ଦାସ।

ଏହି ସଫଳତା ପାଇଁ ଡାକ୍ତର ଦାସ ଡେଭଲପମେଣ୍ଟ ପାର୍ଟନର୍ ୟୁନିସେଫ୍‌, ଡବ୍ଲ୍ୟୁଏଚ୍‌ଓ ଏବଂ ଅନ୍ୟ ସଂସ୍ଥାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା କରାଯାଇଥିଲା। ଏହାସହିତ ଏମ୍‌ଆର୍‌ ପ୍ରତି ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରିଣ୍ଟ୍‌ ଓ ଇଲେଟ୍ରୋନିକ୍ ଏବଂ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର କରାଯାଉଛି।

୯ ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ସବୁପିଲାଙ୍କୁ ଏମ୍‌ଆର୍‌ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ପୂର୍ବରୁ କୌଣସି ଟିକା ନେଇଛନ୍ତି, ସେମାନେ ମଧ୍ୟ ଏହି ଟିକା ନେଇପାରିବେ। ମିଳିମିଳା ଓ ରୁବେଲା ପରି ଦୁଇଟି ମାରାତ୍ମକ ରୋଗରୁ ଏହି ଗୋଟିଏ ଟିକା ନିଶ୍ଚିତ ସୁରକ୍ଷା ଦେବ। ତେଣୁ ଏହି ଅଭିଯାନକୁ ରାଜ୍ୟର ସବୁପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଏପର୍ଯ୍ୟନ୍ତ ଯେଉଁ ପିଲାମାନେ ଟିକା ନେଇ ନାହାନ୍ତି ସେମାନେ ଟିକାକେନ୍ଦ୍ର ନିକଟକୁ ଆସି ଟିକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି।

Comment