ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବାଲି ଖେଳୁଥିଲେ’, ‘କଳା ସାଆନ୍ତେ’, ‘ରହିଯାରେ ରହିଯା ତୁ ଜଗାକାଳିଆ’, ‘ଜଗା ପାଇଁ ନିତି ମଲିଫୁଲ ଖଞ୍ଜା ନା’ ଭଳି ଲୋକପ୍ରିୟ ଭଜନ ସଙ୍ଗୀତ ପରିବେଶଣ କରିଥିବା ବିଶିଷ୍ଟ ଗାୟକ ଅରବିନ୍ଦ ମୁଦୁଲିଙ୍କ ବିୟୋଗ।

ଓଡ଼ିଶା ଭଜନ ସଙ୍ଗୀତର ଅନ୍ୟତମ ତାରକା ଅରବିନ୍ଦ ମୁଦୁଲି ଆଉ ନାହାନ୍ତି। ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

୧ ସେପ୍ଟେମ୍ବର ୧୯୬୧ ମସିହାରେ ଖୋର୍ଦ୍ଧା ଜିଲ୍ଲାର ଖଣତି ଗାଁରେ ଜନ୍ମ ଗ୍ରହଣ କରିଥିଲେ ଅରବିନ୍ଦ ମୁଦୁଲି। ଭଜନ ସମ୍ରାଟ ଭିକାରୀ ବଳଙ୍କ ଶିଷ୍ୟ ଥିଲେ ସେ।

୧୯୮୫ରୁ ସଙ୍ଗୀତ ଦୁନିଆରେ ଯାତ୍ରା ଆରମ୍ଭ କରିଥିଲେ ଅରବିନ୍ଦ। ସଙ୍ଗୀତ କ୍ୟାରିୟର ଭିତରେ ତିନି ହଜାରରୁ ଅଧିକ ଭଜନ ଗାଇଛନ୍ତି ସେ।

ଭଜନ ଜଗତରେ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିପାରିଥିଲେ।ସେ ଅନେକ ଭଜନ ଗାୟନ କରିଥି୍ଲେ, ‘ବାଲି ଖେଳୁଥିଲେ’, ‘କଳା ସାଆନ୍ତେ’, ‘ରହିଯାରେ ରହିଯା ତୁ ଜଗାକାଳିଆ’, ‘ଜଗା ପାଇଁ ନିତି ମଲିଫୁଲ ଖଞ୍ଜା ନା’ ଭଳି ଅନେକ ଓଡ଼ିଆ ଭଜନ ଗାଇ ସେ ଶ୍ରୋତାଙ୍କ ମନ ଜିଣିଥିଲେ।

ଅରବିନ୍ଦଙ୍କୁ ପ୍ରଥମେ ଅଲ ଇଣ୍ଡିଆ ରେଡ଼ିଓରେ ଗୀତ ପରିବେଷଣ କରିବାର ସୁଯୋଗ ମିଳିଥିଲା। ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ଭାବେ ସର୍ବଦା ତାଙ୍କରି ଜଣାଣ ପରିବେଶଣ କରିବାକୁ ଭଲ ପାଉଥିଲେ।

ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରି କେବଳ ଭଜନ ଗାଇବା ପାଇଁ ପ୍ରତିଜ୍ଞା କରିଥିଲେ।

ନିଜ ସଙ୍ଗୀତ କ୍ୟାରିୟର ଭିତରେ ସେ ଜିଣିଥିଲେ ଅନେକ ସମ୍ମାନ ଓ ପୁରସ୍କାର। ୧୯୮୧ରେ ‘ପିୟୁସ କଣ୍ଠ’, ୧୯୮୬ ମସିହାରେ ‘ସ୍ୱର ଶ୍ରୀକ୍ଷେତ୍ର’ ୧୯୮୯ରେ ସେ ପଲ୍ଲୀ ପ୍ରତିଭା, ୨୦୦୪ରେ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ’,୨୦୦୬ରେ ‘ଭକ୍ତି ରତ୍ନ ସମ୍ମାନ’, ୨୦୧୧ରେ ‘କୁମାର କବି ସମ୍ମାନ’, ଓ ୨୦୧୩ରେ ‘ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ’ ଆଦି ଅନେକ ପୁରସ୍କାର ଜିଣିଛନ୍ତି ଅରବିନ୍ଦ ମୁଦୁଲି।

ଆସନ୍ତା ୮ ତାରିଖରେ ଅରବିନ୍ଦ ମୁଦୁଲିଙ୍କ ପୁଅଙ୍କ ବିବାହ ଥିଲା। ପୁଅଙ୍କୁ ବିବାହ ବେଶରେ ଦେଖିବା ପୂର୍ବରୁ ଆରପାରିକୁ ଚାଲିଗଲେ ଅରବିନ୍ଦ ମୁଦୁଲି।

ତାଙ୍କ ଅକାଳ ମୁତ୍ୟୁ ରେ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଈଛି।  ତାଙ୍କ ମରଶରୀରକୁ ନିଜ ପୈତୃକ ଗାଁ ଖଣତିକୁ ନିଆଯିବ ଓ ପରେ ତାଙ୍କ ମରଶରୀରକୁ ପୂରି ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହେବ।

Comment