ଓଡ଼ିଶାଲାଇଭ୍‌ ବ୍ୟୁରୋ

ରକ୍ଷଣଶୀଳ ସମାଜରେ ଯେବେ ମହିଳାମାନଙ୍କ ସାମ୍ନାରେ କଟକଣାର ବାଡ଼ ପଡ଼ିଥିଲା ସେବେ ଚଳଚ୍ଚିତ୍ର ଜଗତରେ ନିର୍ଦ୍ଦେଶିକା ଭାବେ ନିଜକୁ ଆବିଷ୍କାର କରିବା କୌଣସି ଦୁଃସାହସଠୁ କମ୍ନଥିଲା ମାତ୍ର ଏହି ଅବାସ୍ତବ ପରିକଳ୍ପନାକୁ ସାକାର କରି ଦେଖାଇଥିଲେ କଟକ ଝିଅ ପାର୍ବତୀ ଘୋଷ

୧୯୩୩ ମାର୍ଚ୍ଚ ୨୮ତାରିଖରେ କଟକ ମାନସିଂହପାଟଣା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପାର୍ବତୀଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ। ଆଠ ଭାଇ ଭଉଣୀ ମଧ୍ୟରେ ସେ ଥିଲେ ଷଷ୍ଠ। ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ ନାୟକ ଓ ସାନଭାଇ ସ୍ୱରୂପ ନାୟକ ଚଳଚ୍ଚିତ୍ର ଜଗତ ସହିତ ସଂପୃକ୍ତ। ଏକ ସମ୍ଭ୍ରାନ୍ତ ସାଂସ୍କୃତିକ ପରିବାରର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।

ଓଡ଼ିଆ ସିନେ ଜଗତର ବର୍ଷୀୟାନ୍‌ ଅଭିନେତ୍ରୀ-ପ୍ରଯୋଜିକା- ନିର୍ଦ୍ଦେଶିକା ପାର୍ବତୀ ଘୋଷ ମାତ୍ର ୬ ବର୍ଷ ବୟସରେ ଶିଶୁ କଳାକାରଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରକୃତ ନାମ ଚପଳା ନାୟକ। ସେ ରୁପ ଭାରତୀ ଲିମିଟେଡ ନିବେଦିତ ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ପ୍ରଥମେ ନଜର ଆସିଥିଲେ। ଏହି ସିନେମାରେ ତାଙ୍କୁ ନୀଳମାଧବ ଭୂମିକାରେ ଦେଖିବାକୁ ମିଳିଥିଲା। ଗାୟକ ଧୀରେନ୍‌ ଦାସ ତାଙ୍କୁ ଏହି ସୁଯୋଗ ଦେଇଥିଲେ। ସେ ‘ଆମରି ଗାଆଁ ଝିଅ’, ‘କେଦାର ଗୌରୀ’, ‘ମା’, ‘ଭାଇଭାଇ’, ‘ସ୍ତ୍ରୀ’, ‘ଲକ୍ଷ୍ମୀ’, ‘କା’, ‘ଛ’ମାଣ ଆଠଗୁଣ୍ଠ’ ଆଦି ସିନେମାରେ ନାୟିକା ଭୂମିକା ନିଭାଇଥିଲେ।

ସେ ପ୍ରଖ୍ୟାତ ଅଭିନେତା-ପ୍ରଯୋଜକ ଗୌର ଘୋଷଙ୍କୁ ବିବାହ କରିବାପରେ ପାର୍ବତୀ ନାମରେ ପରିଚିତା ହୋଇଥିଲେ। ପତି-ପତ୍ନୀ ଗୌର-ପାର୍ବତୀ ମିଳିତ ଭାବେ ବେଶ୍ କେତୋଟି ଓଡ଼ିଆ ଛବିର ନିର୍ମାଣ ବି କରିଥିଲେ। ଯଦି ଗୌର ଘୋଷ୍‌ଙ୍କୁ ବାହା ନହୋଇଥା’ନ୍ତି, ମୁଁ କେବେ ପାର୍ବତୀ ଘୋଷ୍‌ ହୋଇପାରି ନଥା’ନ୍ତି। ହୁଏତ ସେଦିନ ପରଦା ଉପରକୁ ଆସି କେଇଦିନ ପରେ ଉଭେଇ ଯାଇଥାଆନ୍ତି। ପାର୍ବତୀ ଘୋଷଙ୍କ ମୁହଁରୁ ଗୌର ଦା’ଙ୍କ ବାବଦରେ ଦୁଇ ଧାଡ଼ିଆ ଶ୍ରଦ୍ଧା ହିଁ ଥିଲା ଯଥେଷ୍ଟ।

ପାର୍ବତୀ କେବଳ ଗୋଟିଏ ସିନେମାର ନିର୍ଦ୍ଦେଶନା ଦେଇଥିଲେ । ଏହା ହେଲା ‘ଛ’ମାଣ ଆଠଗୁଣ୍ଠ ’। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ଉପରେ ଆଧାରିତ ‘ଛ’ମାଣ ଆଠଗୁଣ୍ଠ’ ରେ ଶାରିଆ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଶରତ ପୂଜାରୀ ଏବଂ ମାମୀନା ପ୍ରମୁଖ ଅଭିନୟ କରିଥିଲେ। ‘ଛ’ମାଣ ଆଠଗୁଣ୍ଠ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର।

ଓଡ଼ିଶା ରାଜ୍ୟ ସରକାର ପାର୍ବତୀ ଘୋଷଙ୍କୁ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ବି ସମ୍ମାନିତ କରିଥିଲେ ।

ରକ୍ଷଣଶୀଳ ସମାଜରେ ଯେବେ ମହିଳାମାନଙ୍କ ସାମ୍ନାରେ କଟକଣାର ବାଡ଼ ପଡ଼ିଥିଲା ସେବେ ଚଳଚ୍ଚିତ୍ର ଜଗତରେ ନିର୍ଦ୍ଦେଶିକା ଭାବେ ନିଜକୁ ଆବିଷ୍କାର କରିବା ଦୁଃସାହସଠୁ କମ୍‌ ନଥିଲା। ମାତ୍ର ଏହି ଅବାସ୍ତବ ପରିକଳ୍ପନାକୁ ସାକାର କରି ଦେଖାଇଥିଲେ କଟକ ଝିଅ ପାର୍ବତୀ ଘୋଷ। ‘ଛଅ ମାଣ ଆଠ ଗୁଣ୍ଠ’ର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇ ସେ ପୂର୍ବ ଭାରତର ପ୍ରଥମ ମହିଳା ନିର୍ଦ୍ଦେଶିକା ଭାବେ ଚଳଚ୍ଚିତ୍ର ଇତିହାସରେ ପାଲଟି ଯାଇଥିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ।

କେବଳ ଓଡ଼ିଶା ନୁହେଁ, ସେ ଥିଲେ ପୂର୍ବ ଭାରତର ପ୍ରଥମ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶିକା। ଅଭିନୟ ଓ କଳା ଯେପରି ତାଙ୍କ ରକ୍ତରେ ଥିଲା। ଏକାଧାରାରେ ଜଣେ ପ୍ରଯୋଜିକା, ନିର୍ଦ୍ଦେଶିକା, ଚିତ୍ରନାଟ୍ୟ ଲେଖିକା, ନୃତ୍ୟ ନିର୍ଦ୍ଦେଶିକା ଓ ଅଭିନେତ୍ରୀ ଭାବରେ ଖ୍ୟାତି ଅର୍ଜନ କରିଥିବା ପାର୍ବତୀ ଘୋଷଙ୍କ ୮୫ ବର୍ଷ ବୟସରେ ଜୀବନ ମଞ୍ଚର ଅଭିନୟରେ ପରଦା ପଡ଼ିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ସାମଗ୍ରିକ ଅବଦାନ ପାଇଁ ପାର୍ବତୀ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର, ଫିଟ୍‌ଫାଟ୍‌ ବାଇସ୍କୋପ୍‌ ପୁରସ୍କାର ସମେତ ଅନେକ ସମ୍ମାନ ଓ ସ୍ୱୀକୃତି ଲାଭ କରିଥିଲେ।

ପାର୍ବତୀଙ୍କ ବିଷୟରେ କିଛି ଅଜଣା କଥା…

ଚପଳାଚନ୍ଦନାପାର୍ବତୀଶ୍ରାବଣୀ
ଚଳଚ୍ଚିତ୍ର ଜଗତର ସେ ଏମିତି ଏକ ବ୍ୟକ୍ତିତ୍ୱ ଥିଲେ ଯିଏ ଗୋଟିଏ ନାଁ’ରେ ସୀମିତ ନଥିଲେ। ପିଲାବେଳର ନାଁ ଥିଲା ‘ଚପଳା’। ହେଲେ ଯେବେ ଅଭିନୟକୁ ଆସିଲେ ସେ ପାଲଟି ଗଲେ ‘ଚନ୍ଦନା’। ଆଉ ଯେବେ ‘ସ୍ତ୍ରୀ’ ଚଳଚ୍ଚିତ୍ରର ନାଟ୍ୟକାର ଭାବେ ନିଜକୁ ଆବିଷ୍କାର କଲେ ସେତେବେଳେ ସେ ପାଲଟି ଯାଇଥିଲେ ‘ଶ୍ରାବଣୀ’। ପୁଣି ଯେବେ ଗୌର ଘୋଷଙ୍କୁ ବିବାହ କଲେ ସେ ପାଲଟି ଗଲେ ‘ପାର୍ବତୀ’। ବୋଧହୁଏ ସମଗ୍ର ଚଳଚ୍ଚିତ୍ର ଇତିହାସରେ ନିଜକୁ ଭିନ୍ନଭିନ୍ନ ନାଁରେ ପରିପ୍ରକାଶ କରିବାରେ ସେ ଥିଲେ ପ୍ରଥମ ବ୍ୟକ୍ତିତ୍ୱ।

କଳ୍ପନାରେ ରହିଗଲା ବାୟୋଗ୍ରାଫି
ପାର୍ବତୀ ଘୋଷ ଲେଖାଲେଖିରେ ବି ରୁଚି ରଖୁଥିଲେ। ତେବେ ନିକଟରେ ସୁଚିତ୍ରା ସେନଙ୍କ ବାୟୋଗ୍ରାଫି ପଢ଼ି ସେ ଗଭୀର ପ୍ରଭାବିତ ହୋଇଥିଲେ। ସେଥିପାଇଁ ସେ ବହିକୁ ବାରମ୍ବାର ପଢ଼ୁଥିଲେ। ଏହି ଆଧାରରେ ସେ ନିଜର ଏକ ବାୟୋଗ୍ରାଫି ରଚନା କରିବେ ବୋଲି ନିକଟରେ କଥାବାର୍ତ୍ତା ବେଳେ ସେ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କର ଏହି କଳ୍ପନା ସାକାର ହୋଇପାରିଲାନି।

ନୃତ୍ୟ ସଂଯୋଜନାରେ ବି ଥିଲେ ପାରଙ୍ଗମ
ଅନେକ ହୁଏତ ତାଙ୍କୁ କେବଳ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା ଭାବେ ଜାଣିଥିବେ। କିନ୍ତୁ ପାର୍ବତୀ ଘୋଷ ଯେ ନିଜ ଚଳଚ୍ଚିତ୍ରରେ ନୃତ୍ୟ ସଂଯୋଜନା କରୁଥିଲେ ତାହା ଅନେକଙ୍କୁ ମାଲୁମ୍‌ ନଥିବ। ଯଦିଓ ତାଙ୍କର କିଛି ଚଳଚ୍ଚିତ୍ରରେ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ନିର୍ଦେଶକ ଥିଲେ କିନ୍ତୁ ନୃତ୍ୟ ପରିଚାଳନା କରିଥିଲେ ପାର୍ବତୀ। ‘ସଂସାର’ ଚଳଚ୍ଚିତ୍ରର ‘ଆଲୋ କଳା ଶାରୀ କିଏ ତାର ଶୁଆ.., ସ୍ତ୍ରୀ ଚଳଚ୍ଚିତ୍ରର ‘ନାରୀ ତୁ ସର୍ବସଂହା…ଭଳି ଗୀତରେ ନୃତ୍ୟ ସଂଯୋଜନା କରିଥିଲେ। ସ୍ତ୍ରୀ ଚଳଚ୍ଚିତ୍ରର ନାଟ୍ୟକାର ‘ଶ୍ରାବଣୀ’ ମଧ୍ୟ ପାର୍ବତୀ ଘୋଷଙ୍କର ଏକ ଛଦ୍ମନାମ।

Comment