ଓଡ଼ିଶାଲାଇଭ୍ ବ୍ୟୁରୋ

ଏକାଧାରାରେ ନାଟକ, ଶିଶୁସାହିତ୍ୟ, ଗଳ୍ପ, କବିତା, ସମ୍ପାଦନା, ଅଭିନୟ, ଉପନ୍ୟାସ ଓ ସଂଗଠନ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱାକ୍ଷର ଛାଡ଼ିଛନ୍ତି ବାଲେଶ୍ୱରର ପ୍ରଶାନ୍ତ ଦାସ।

“ମୋ ବାପା ପୋଲିସ ଅଧିକାରୀ ଥିଲେ । ସେ ଭଲ ତବଲା ବି ବଜାଉଥିଲେ । ମାଆ ସୁନ୍ଦର ଗୀତ ଗାଉଥିଲେ । ଏପରି ଏକ ପାରିବାରିକ ପରିବେଶ ମୋତେ ପିଲାଦିନେ ଟାଣିନେଇଥିଲା ଦାସକାଠିଆ ଆଡ଼କୁ । ମୋର ସାଂସ୍କୃତିକ ଜୀବନର ଅୟମାରମ୍ଭ ହୋଇଥିଲା ଦାସକାଠିଆ କଳାକାର ଭାବେ”, ଏହା ଥିଲା ମଣିଷ ନିର୍ମାଣରେ ବିଶ୍ୱାସୀ ପ୍ରଶାନ୍ତ ଦାସଙ୍କର ସ୍ୱୀକାରୋକ୍ତି।

ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି, ଯେଉଁ ପରିଚୟ ହାସଲ କରିଛନ୍ତି, ସେକଥା ପିଲାଦିନେ ସେ ଭାବି ହିଁ ନଥିଲେ । ଏକାଧାରାରେ ସେ ନାଟକ, ଶିଶୁସାହିତ୍ୟ, ଗଳ୍ପ, କବିତା, ସମ୍ପାଦନା, ଅଭିନୟ, ଉପନ୍ୟାସ ଓ ସଂଗଠନ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱାକ୍ଷର ଛାଡ଼ିଛନ୍ତି । ପିଲାଦିନେ ସେ ସର୍ଜନାର ଏତେସବୁ ଦିଗକୁ ସ୍ପର୍ଶ କରିବେ- ଏକଥା ଭାବି ପାରିନଥିଲେ।

ଗୋଟେ ଗ୍ରାମ୍ୟ ଜୀବନ ଭିତରେ କଟିଛି ପ୍ରଶାନ୍ତଙ୍କ ଶୈଶବ । ଯେଉଁ ଗାଁକୁ ସଡ଼କ ନଥିଲା । ପାଣି ଚବଚବ ପାଦଚଲା ରାସ୍ତା ପାର ହୋଇ ସ୍କୁଲ୍ ଯିବାକୁ ପଡ଼ୁଥିଲା । ସେପରି ଏକ ଗାଁ ହେଲା ସୋର ନିକଟସ୍ଥ ଶିରାପୁର ଗ୍ରାମ । ଶିରାପୁର ଗାଁରେ ପ୍ରଶାନ୍ତଙ୍କ ପିଲାଦିନ କଟିଛି ।

ଘରେ ବୁଢ଼ୀମା, ବଡ଼ଭାଇ, ମାଆଙ୍କ ସହ ରହୁଥିଲେ ପ୍ରଶାନ୍ତ । ବାପାଙ୍କର ଗୋଟେ ଧାରଣା ଥିଲା ଯେ, ଚାକିରି କ୍ଷେତ୍ରରେ ପରିବାର ସହ ରହିଲେ ପିଲାମାନେ ମଣିଷ ହେବେନି ଆଉ ଚାକିରିରେ ମଧ୍ୟ ମନ ଦେଇ ହେବ ନାହିଁ । ତେଣୁ ବାପା ତାଙ୍କର ଚାକିରି କ୍ଷେତ୍ରରେ ରହୁଥିବା ବେଳେ ପ୍ରଶାନ୍ତ ଓ ତାଙ୍କ ପରିବାର ଗାଁରେ ରହୁଥିଲେ ।

“ବାପା ପିଲାଦିନେ କହୁଥିଲେ ମଣିଷଟେ ହୁଅ । ପାଠପଢ଼ି ଇଂଜିନିୟର, ଡାକ୍ତର ହୁଅ ବୋଲି ସେ କେବେ ଜିଦ୍ ଧରିନାହାଁନ୍ତି । ପାଠ ପ୍ରତି କିନ୍ତୁ ମୋର ଭୟ ଥିଲା । ସେଇ କାରଣରୁ ବେଳେବେଳେ ସ୍କୁଲ ନଯାଇ ମୁଁ ସାରାଦିନ ଲୁଚି ରହୁଥିଲି । କିନ୍ତୁ ସେଇବେଳୁ ମନ ଥିଲା ନାଟକରେ”, ନିଜ ପିଲାଦିନକୁ ମନେ ପକେଇ କହିବା ବେଳେ କବି ପ୍ରଶାନ୍ତ ଦାସ ବେଶ୍ ପ୍ରଗଳ୍ଭ ହୋଇ ପଡ଼ୁଥିଲେ।

ଶିରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ସପ୍ତମ ଶ୍ରେଣୀ ପଢ଼ିବା ବେଳକୁ ଦାସକାଠିଆ ଶିଖି ଆକାଶବାଣୀ କଟକରେ ପ୍ରୋଗ୍ରାମ ଦେଇ ସାରିଥିଲେ ପ୍ରଶାନ୍ତ । ସନାତନ ସାର୍ ବୋଲି ଜଣେ ଏମ.ଇ. ସ୍କୁଲ ଶିକ୍ଷକଙ୍କଠାରୁ ସେ ଶିଖିଥିଲେ ଦାସକାଠିଆ । ସେ ଓ ତାଙ୍କର ଜଣେ ସାଙ୍ଗ ବୈକୁଣ୍ଠ ଏକାଠି ମିଶି ରେଡିଓରେ ଅନେକ ବାର ଦାସକାଠିଆ ପରିବେଷଣ କରିଛନ୍ତି । ସୋର ଆସି ଆକାଶବାଣୀର ଅଧିକାରୀମାନେ ରେକର୍ଡିଂ କରି ନେଇ ଯାଉଥିଲେ । ପରେପରେ ସୋରସ୍ଥିତ ସତ୍ୟାନନ୍ଦ ହାଇସ୍କୁଲରୁ ପଢ଼ା ସାରି ଉପେନ୍ଦ୍ରନାଥ କଲେଜରେ ପଢ଼ିଲେ ପ୍ରଶାନ୍ତ । ଯେହେତୁ ରାଧାନାଥଙ୍କ ଗାଁ କେଦାରପୁର ଓ ପ୍ରଶାନ୍ତଙ୍କ ଗାଁ ଶିରାପୁର ପାଖାପାଖି, ସାହିତ୍ୟ ପ୍ରତି ଗୋଟାଏ ଭଲପାଇବା ମନ ଭିତରେ ଥିଲା ସ୍ୱାଭାବିକ ଭାବରେ।

ଏହି ସମୟରେ ନାଟକରେ ଅଭିନୟ କରିବା ଆରମ୍ଭ ହେଲା। ଅଷ୍ଟମରେ ପଢ଼ୁଥିବା ବେଳେ ‘ସୀତାହରଣ’ ନାମକ ଏକ ନାଟକରେ ଅଭିନୟ କରି ନିଜ କଳାକାର ଜୀବନ ଅନୁକୂଳ କରିଥିଲେ ପ୍ରଶାନ୍ତ। କଲେଜବେଳେ ନାଟ୍ୟ ସମ୍ପାଦକ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଯାହାଠୁ ପରାଜିତ ହୋଇଥିଲେ ପ୍ରଶାନ୍ତ ଦାସ, ସେ ହେଲେ ଆଜିର ସମୟରେ ପ୍ରତିଷ୍ଠିତ ଯାତ୍ରା କଳାକାର ସୁଜୟ ମହାପାତ୍ର।

ଜୀବନରେ ଗୋଟିଏ ପରାଜୟ ପ୍ରଶାନ୍ତଙ୍କୁ ଆଉ  ଏକ ସଫଳତା ଆଡ଼କୁ ହାତଧରି ଟାଣି ନେଇଗଲା । ୧୯୭୮ରୁ ୧୯୮୧ ସମୟ ପ୍ରଶାନ୍ତ ଆଇନ ପଢ଼ିବାକୁ ବାଲେଶ୍ୱର ଆସିଲେ। ବାଲେଶ୍ୱର ଆଇନ କଲେଜରେ ଆରମ୍ଭ ହେଲା ଆଇନ ପଢ଼ା । ଏଇ କଲେଜରେ ପଢ଼ୁଥିବା ବେଳେ ହିଁ ‘ଅକ୍ଟୋପାସ’ ନାଟ୍ୟାନୁଷ୍ଠାନରେ ବହୁ ନାଟକରେ ଅଭିନୟ କରି ସଫଳ ହେବା ସହ ପ୍ରଶଂସା ଓ ପ୍ରମାଣପତ୍ର ପାଇଲେ ପ୍ରଶାନ୍ତ ଦାସ।

୧୯୮୧ରେ ଆରମ୍ଭ ହୁଏ ଚାକିରି ଜୀବନ । ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଚାକିରି ପାଆନ୍ତି ପ୍ରଶାନ୍ତ । ଏ ପର୍ଯ୍ୟନ୍ତ ସେଇ ବ୍ୟାଙ୍କରେ ଅଛନ୍ତି ସେ । ୧୯୮୩-୮୪ ମସିହାରୁ ସେ ନାଟକ ଲେଖିବା ସହ ନାଟ୍ୟ ନିର୍ଦ୍ଦେଶନା ଦେଲେ । ପ୍ରଥମ ନାଟକ ତାଙ୍କର ‘ତାଜମହଲ’ ଯାହା ସେ ସମୟରେ ବହୁ ଆଦୃତ ହୋଇ ତାଙ୍କୁ ବିଶେଷ ଭାବେ ଖ୍ୟାତି ଆଣିଦେଲା ।

ପ୍ରଶାନ୍ତ ବାଲେଶ୍ୱରରେ ଜେ.କେ. କ୍ଲବ୍ ପ୍ରତିଷ୍ଠା କରି ଗାନ୍ଧୀ ସ୍ମୃତି ଭବନରେ ଏ ନାଟକଟିକୁ ମଞ୍ଚସ୍ଥ କରାଇଥିଲେ । ଏହା ଏକ ସଫଳ ନାଟକ ଥିଲା । ସ୍ୱର୍ଗତ ବିଜୟ ଗିରିଙ୍କ ‘ବନ୍ଦୀ ବାଦଶା ବେଗମ୍’ ନାଟକ ଭଳି ‘ତାଜମହଲ’ ନାଟକ ପ୍ରଶାନ୍ତ ଦାସଙ୍କୁ ଦେଲା ସ୍ମରଣୀୟତା ।

ପରେ ପରେ ସମସ୍ତ ସ୍କୁଲ ଓ କଲେଜ ପାଇଁ ନାଟକ ଲେଖିବା ସହ ନିର୍ଦ୍ଦେଶନା ଦେବାରେ ମନୋନିବେଶ କଲେ ସେ । ତାଙ୍କର ସମସାମୟିକ ନାଟ୍ୟକାର ଓ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ା ସେତେବେଳେ ସକ୍ରିୟ ଥିଲେ । ଏହା ବ୍ୟତୀତ ସେ ସମୟରେ ତାଙ୍କ ପୂର୍ବରୁ ନାଟ୍ୟକାର ପୁରୁଷୋତ୍ତମ ଭୂୟାଁ ଓ ଆଶୀଷ ଚକ୍ରବର୍ତ୍ତୀ ନାଟକ ଲେଖୁଥିଲେ । ୧୯୮୭ ପର୍ଯ୍ୟନ୍ତ ନାଟକରେ ରହି ପ୍ରଶାନ୍ତ ଦାସ ଶିଶୁ ସାହିତ୍ୟ ଦିଗରେ ମନ ଦେଲେ ।

“ସେତେବେଳେ ମୋର ବ୍ୟାଙ୍କ ସହକର୍ମୀ ବନ୍ଧୁ ବିନୟ ଦାସଙ୍କୁ ପାଇଲି। ସେ ଶିଶୁ ସାହିତ୍ୟିକ ଭାବେ ପ୍ରତିଷ୍ଠା ଅର୍ଜନ କରି ସାରିଥାନ୍ତି । ତାଙ୍କରି ପ୍ରେରଣାରେ ମୁଁ ଶିଶୁ ସାହିତ୍ୟ ରଚନା ଦିଗରେ ଆଗ୍ରହୀ ହେଲି, କହନ୍ତି ପ୍ରଶାନ୍ତ ଦାସ।

ପ୍ରଶାନ୍ତ ଦାସଙ୍କ ବାଲେଶ୍ୱର ଶିଶୁ ସାହିତ୍ୟ ଏକାଡେମୀ ଗଠନ ତାଙ୍କ ଆଗ୍ରହର ଏକ ଫଳଶ୍ରୁତି । ସେ, ବିନୟ କୁମାର ଦାସ, ଦୀପ୍ତି ଦାସ, ସ୍ୱର୍ଗତ ବୀରବର ଓତା ପ୍ରମୁଖ ଏକତ୍ର ହୋଇ ଶିଶୁ ସାହିତ୍ୟରେ ବାଲେଶ୍ୱରକୁ କଲେ କୋଳାହଳମୟ ।

ଶିଶୁ ସାହିତ୍ୟକ ଭାବରେ ସୁଖ୍ୟାତି ଅର୍ଜନ କରିବା ପରେ ପ୍ରଶାନ୍ତ ଦାସଙ୍କ ଶିଶୁଗପ ସଂକଳନ ପ୍ରକାଶ ପାଇଲା ୧୯୯୦-୯୨ରେ । ଶିଶୁଗପ ଓ କବିତା ଲେଖିବା ସହ ବିଭିନ୍ନ ଶିଶୁ ସାହିତ୍ୟ କଲ୍ୟାଣ କାର୍ଯ୍ୟକ୍ରମ କରୁକରୁ ଲେଖିବା ଆରମ୍ଭ କଲେ ଛୋଟ ଛୋଟ ଗୀତି କବିତା । ଶିଶୁସାହିତ୍ୟ ରଚନା ସହିତ ଆରମ୍ଭ ହେଲା ଗୀତି କବିତା ଲେଖିବାର ଆଗ୍ରହ ।

“ପ୍ରଥମେ ଟି.ଭି.ରେ ଯେତେବେଳେ ‘ମହାଭାରତ’ ସିରିଏଲ ପ୍ରଦର୍ଶିତ ହେଉଥିଲା ସେତେବେଳେ ତାର ପ୍ରତିଟି ଏପିସୋଡ ପାଇଁ ମୁଁ ଗୋଟେ ପଦ କବିତା ଲେଖୁଥିଲି । ଏସବୁକୁ ‘ମହାଭାରତର କେତୋଟି ମୁହୂର୍ତ୍ତ’ ନାମକ ଏକ ପୁସ୍ତକରେ ସନ୍ନିବେଶିତ କରି ଯେଉଁ ବହିଟି ପ୍ରକାଶ ପାଇଥିଲା, ତାହା ଥିଲା ମୋର ପ୍ରଥମ ପ୍ରକାଶିତ ପୁସ୍ତିକା”, କହନ୍ତି ପ୍ରଶାନ୍ତ।

‘ଗଛପୁଅ’ ନାମକ ଶିଶୁଗଳ୍ପ ସଂକଳନ ପରେ ପରେ ପ୍ରଶାନ୍ତ ଦାସ ଆଉ ଶିଶୁମାନଙ୍କ ପାଇଁ ଆବଦ୍ଧ ହୋଇ ରହିପାରିଲେନି । ବଡ଼ମାନଙ୍କ ପାଇଁ ବୌଦ୍ଧିକ ଲେଖା ଆରମ୍ଭ ହେଲା । ତାଙ୍କର ପ୍ରଥମ ଗପଟି ‘ଧରିତ୍ରୀ’ର ରବିବାର ପୃଷ୍ଠାରେ ପ୍ରକାଶିତ ହେବା ପରେ ସେ ବେଶ୍ ଉତ୍ସାହିତ ହୋଇ ଗପ ଲେଖାରେ ମାତିଗଲେ ।

ଧିରେ ଧିରେ ତାଙ୍କ ଗଳ୍ପସବୁ ପ୍ରଜାତନ୍ତ୍ର, ସମାରୋହ, ଅମୃତାୟନ, ମୁକ୍ତି ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶିତ ହୋଇ ତାଙ୍କୁ ଜଣେ ଗାଳ୍ପିକ ଭାବରେ ପରିଚୟ ଦେଲା । ୧୯୯୭ରେ ‘ଜରି ଗୋଟେଇବା ଝିଅ’ ନାମରେ ଏକ କବିତା ସଂକଳନ ପ୍ରକାଶ ପାଇଲା । ଗପ ଲେଖା ଭିତରେ ଲୁଚି ରହିଥିବା କବି ପ୍ରାଣଟି ହଠାତ୍ ଦିନେ ଜାଗି ଉଠିଲା କେମିତି?

“ମୁଁ କବିତା ବୋଧେ ଲେଖୁନଥାନ୍ତି ଯଦି ସେଦିନ ସକାଳେ ବ୍ୟାଙ୍କ୍ ପାଖ ରାସ୍ତାରେ ସେଇ ଚିରାଫଟା ଫ୍ରକ ପିନ୍ଧା ନୁଖୁରା ଝିଅଟିକୁ ଜରି ଗୋଟାଉଥିବାର ଦେଖିନଥାନ୍ତି । ସେଇ ଝିଅଟି ଦାରିଦ୍ର୍ୟର ତାଡ଼ନାରେ ଜରି ଗୋଟାଉଥିବ ସତ, କିନ୍ତୁ ଆମ ଲୋକମାନେ ଲୋଲୁପ ଦୃଷ୍ଟିରେ ଦେଖୁଥିବା ଓ ଖରାପ ଝିଅ ବୋଲି କହୁଥିବା କଥା ମୋ ମନରେ ଏକ ଭାବାନ୍ତର ସୃଷ୍ଟି କରିଥିଲା । ମୁଁ ସେଇ ଝିଅକୁ ଦେଖି ଆରମ୍ଭ କଲି ଗୋଟେ କବିତା । ଆଶ୍ଚର୍ଯ୍ୟ! କବିତାଟି ଗୋଟେ ସିଡ୍ୟୁଲରେ ହୋଇଗଲା। ପରେ ପରେ ସେଇ ଝିଅକୁ ହିଁ ନେଇ ଅନେକ କବିତା ଲେଖି ହୋଇଗଲା । ଶେଷରେ ସେଇ ସବୁ ଅନୁଭବକୁ ନେଇ ମୋ ବହି ‘ଜରି ଗୋଟାଇବା ଝିଅ’ ପ୍ରକାଶ ପାଇଲା”, କହିଛନ୍ତି ପ୍ରଶାନ୍ତ।

ପ୍ରଶାନ୍ତ ଦାସଙ୍କ ହୃଦୟ ଭିତରେ ବୋଧେ ସେଇ ନୁଖୁରା ଝିଅଟି କବିତାର ଗୋଟେ ମଞ୍ଚି ପୋତି ଦେଇଥିଲା ସେଦିନ । ତା’ପରେ ପ୍ରଶାନ୍ତ କେବଳ ସାଧାରଣ ଓ ମାମୁଲି ଚରିତ୍ରମାନଙ୍କୁ ଖୋଜି ଖୋଜି କବିତା ଲେଖିଚାଲିଲେ । ଅନ୍ତତଃ ସେ ଝିଅଟି ହିଁ ପ୍ରଶାନ୍ତଙ୍କ ଜୀବନରେ ଭରି ଦେଇଗଲା ଅନେକ ଉଚ୍ଛ୍ୱାସର ଗୋଟେ ଦରଦୀ ସ୍ୱର । ‘ଜରି ଗୋଟାଇବା ଝିଅ’ ଗୋଟେ ମାଇଲଖୁଣ୍ଟ ହୋଇଗଲା ତାଙ୍କ ଜୀବନର। ଗୋଟେ ବହିର ଜନ୍ମଦିନ ପାଳନ କରିବାର ବିଧି ଆରମ୍ଭ କଲେ ପ୍ରଶାନ୍ତ ଏଇ ବହିକୁ ନେଇ । ଦୀର୍ଘ ୨୦ ବର୍ଷ ଧରି ‘ଜରି ଗୋଟାଇବା ଝିଅ’ର ଜନ୍ମଦିନ ପାଳନ କରି ଆସୁଛନ୍ତି ଆମ ସମୟର ଏହି ଖିଆଲି ମଣିଷ ଜଣକ।

୨୦୦୦ ମସିହାରୁ ଆରମ୍ଭ ହୁଏ ପ୍ରେମ । ପ୍ରେମକୁ ନେଇ ଗପ ଓ କବିତା ଲେଖିବାର ନିଶା ଘାରେ ପ୍ରଶାନ୍ତଙ୍କୁ । ଆଜୀବନ ପ୍ରେମ, ପ୍ରୀତି ଓ ଅନୁରାଗରେ ଉବୁଟୁବୁ ମଣିଷଟି ହଠାତ୍ ୪୨ ବର୍ଷ  ବୟସରେ କାହିଁକି ପ୍ରେମଗପ ଓ ପ୍ରେମ କବିତା ଆଡ଼କୁ ଢ଼ଳିଲେ? ଏହାର ପ୍ରେରଣାଦାତା ଥିଲେ କବି ଦୀପକ ମିଶ୍ର ।

“ବାଲେଶ୍ୱରର କୌଣସି ଏକ ଉତ୍ସବକୁ ଆସିଥିବା ବେଳେ କବି ଦୀପକ ମିଶ୍ର ଓ କବି ସରୋଜ ରଂଜନ ମହାନ୍ତି ଆମ ଘରକୁ ଆସିଥିଲେ । କଥାବାର୍ତ୍ତା ଛଳରେ ଦୀପକ ସାର୍ ମୋତେ କହିଲେ, ତୁମ ଭିତରେ ପ୍ରଚୁର ରୋମାଣ୍ଟିକ ଚେତନା ଭରି ରହିଛି । ତୁମେ ପ୍ରେମକୁ ନେଇ କିଛି ଲେଖି ପାରିବ । ଏତିକି କଥା ମୋ ଭିରେ ଆଗ୍ନେୟଗିରିର ସ୍ଫୁରଣ ଦେଇଥିଲା । ମୁଁ ଆରମ୍ଭ କରିଥିଲି ପ୍ରେମକୁ ନେଇ କବିତା ଓ ଗପ ଲେଖିବା”, କହନ୍ତି ପ୍ରଶାନ୍ତ ଦାସ।

୧୯୯୪ ମସିହାରେ ପ୍ରେୟସୀଙ୍କୁ ବିବାହ କରିଥିବା ପ୍ରଶାନ୍ତଙ୍କୁ ପ୍ରଶଂସା ଓ ପ୍ରେରଣାର ଅଭାବ ରହେନା । ‘ଜୀବନଫୁଲ’ ନାମରେ ଗୀତି କବିତା ସଂକଳନ ପ୍ରକାଶିତ ହୁଏ ୨୦୦୦ ମସିହାରେ । ନିୟମିତ ଖବରକାଗଜରେ ତାଙ୍କ ଗୀତି କବିତା ପ୍ରକାଶିତ ହୋଇ ପ୍ରଶାନ୍ତଙ୍କୁ ଦେଇଥିଲା ବିପୁଳ ଖ୍ୟାତି। ଏହି ଗୀତି କବିତା ପୁସ୍ତକଟିକୁ ସେ ସମୟରେ ଉନ୍ମୋଚନ କରିଥିଲେ ଗିରିଧାରୀ ଗମାଙ୍ଗ । ବାଲେଶ୍ୱରର କଳାକାର ମାନଙ୍କୁ ନେଇ ଖୁବଶିଘ୍ର ‘ଜୀବନଫୁଲ’ର ଏକ ଅଡିଓ ସିଡି ପ୍ରକାଶ ପାଉଛି ।

୨୦୦୧ ମସିହାରେ ପ୍ରଶାନ୍ତ ଦାସଙ୍କ ସମ୍ପାଦନା ଓ ମାଲିକାନାରେ ଆରମ୍ଭ ହୁଏ ‘ଏଇପରି ସମ୍ପର୍କ’ନାମରେ ଏକ ସାହିତ୍ୟ ପତ୍ରିକା। ଯେଉଁଥିରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ଥିଲେ କାର୍ଯ୍ୟନିର୍ବାହୀ ସମ୍ପାଦକ । ବାଲେଶ୍ୱର ଜିଲ୍ଲାରୁ ଏକ ସୁନ୍ଦର ସାରସ୍ୱତ ପତ୍ରିକା ରାଜ୍ୟରେ ପ୍ରତିନିଧିତ୍ୱ କରୁ- ଏଇ ଇଚ୍ଛାରୁ ହିଁ ଆରମ୍ଭ ହୋଇଥିଲା ପତ୍ରିକାଟି ।

ବୋଧହୁଏ ପ୍ରଶାନ୍ତ କୋଉ ଗୋଟିଏ କାର୍ଯ୍ୟରେ ଶାନ୍ତ ହେବା ମଣିଷ ନୁହନ୍ତି । ‘ଲେଖକ ହେବା ପାଇଁ ମୁଁ କେବେ ଲେଖିନି’ ବୋଲି କହୁଥିବା ପ୍ରଶାନ୍ତ ଦାସ ଗୋଟେ ସୁନ୍ଦର ମଣିଷ ସମାଜ ପ୍ରତିଷ୍ଠାରେ ମଗ୍ନ । ‘ପ୍ରତିଭାଶ୍ରୀ’ମାଧ୍ୟମରେ ମଣିଷ ନିର୍ମାଣରେ ସେ ଆଜିକାଲି ବ୍ରତୀ ଅଛନ୍ତି । ଅବସର ପରେ ସ୍କୁଲ୍ ଓ କଲେଜ ପିଲାଙ୍କ ସହ ସମୟ ବିତାଇବା ହେଉଛି ପ୍ରଶାନ୍ତଙ୍କ ଶେଷ ଇଚ୍ଛା।

Comment