ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଭବାନୀପାଟଣାର ମହାସମାବେଶରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିଛନ୍ତି। ଶାହାଙ୍କ ସମାବେଶ ପାଇଁ ପ୍ରସ୍ତୁତ ହୋଇଥିବା ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମରେ ଅନୁଷ୍ଠିତ ମହାସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା।

“ଭିଡ଼ ଦେଖି ବୁଝି ଗଲେଣି, ଓଡ଼ିଶାରେ ଆଗାମୀ ସରକାର ବିଜେପି ହିଁ ଗଢ଼ିବ। ଓଡ଼ିଶାରେ ସବୁ ଅଛି କିନ୍ତୁ ଭଲ ଶାସକ ନାହିଁ। ଆଜି ବି ରାଜ୍ୟର ୩୬ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ନାହିଁ। ନବୀନ ସରକାର ଓଡ଼ିଶାର ବିକାଶ କରିବା ଦିଗରେ ବିଫଳ ହୋଇଛି। ନବୀନ ବାବୁ ଶାସନ କରି ଥକି ଗଲେଣି”, ଏମିତି କଡ଼ା ଶବ୍ଦରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ୍ ଶାହା।

ଏହାସହ କେନ୍ଦ୍ର ବିଜେପି ସରକାରର ଗୁଣଗାନ କରିଛନ୍ତି ଅମିତ। “୧୨୦୦ ଗାଁକୁ ବିଜେପି ସରକାର ସଡ଼କ ବ୍ୟବସ୍ଥା କରିବ। ୨୦୨୨ ପୂର୍ବରୁ ଦେଶର ପ୍ରତି ଘରେ ବିଜୁଳି ପହଞ୍ଚାଇବ ମୋଦି ସରକାର” କହିଛନ୍ତି ଅମିତ ଶାହା।

କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ୍ ପାଇଁ ମନ୍ତ୍ର ଦେଇଛନ୍ତି ଅମିତ ଶାହା। ବିଜେପୁର ଝଟକା ପରେ ଲକ୍ଷାଧିକ କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ପଶ୍ଚିମ ଓଡିଶାରେ ପୁଣିଥରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି।

ଗତବର୍ଷ ସେପ୍ଟେମ୍ବର ୬ରେ ତିନିଦିନିଆ ଓଡିଶା ଗସ୍ତରେ ଆସି  ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୨୦୧୯ରେ ମିଶନ୍ ୧୨୦ ପ୍ଲସର ଆହ୍ୱାନ ଦେଇଥିଲେ ଅମିତ ଶାହା। କର୍ମୀଙ୍କୁ ଦେଇଥିବା କାର୍ଯ୍ୟ କେତେ ପୂରଣ ହୋଇଛି ତା’ର ସମୀକ୍ଷା କରିଛନ୍ତି ଅମିତ୍ ଶାହା। କୋର୍‌ ଟିମ୍‌ ନେତାଙ୍କ ସହ ବି ଏବିଷୟରେ ଆଲୋଚନା କରିଛନ୍ତି ଅମିତ ଶାହା।

ଏହି ସଭାରେ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି। ଆସନ୍ତାକାଲି ବଲାଙ୍ଗିରରେ ଯୁବ ସମାବେଶରେ ଉଦବୋଧନ ଦେବେ ଅମିତ ଶାହା।

 

Comment