ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାରର ଯାଞ୍ଚ ଶେଷ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି। ହେଲେ ଭିତର ଭଣ୍ଡାର ଭିତରକୁ ଯାଞ୍ଚକାରୀ ଟିମ୍‌ ପ୍ରବେଶ କରିପାରି ନଥିବାରୁ ଏହାକୁ ନେଇ ପୁଣି କଳ୍ପନା ଜଳ୍ପନା ଲାଗି ରହିଛି।

  • ୨ଟା୨୫ରୁ ୨ଟା୩୦ ଭିତରେ ଖୋଲିଲା ବାହାର ଭଣ୍ଡାରର ତାଲା
  • ବାହାର ଭଣ୍ଡାରରେ ଲାଗିଥିଲା ପ୍ରବଳ ଅଳନ୍ଧୁ
  • ଅଳନ୍ଧୁ ସଫା କଲେ ଯାଞ୍ଚକାରୀ ଟିମ୍
  • ହାତ ମାରି କାନ୍ଥର ସ୍ଥିତି ଦେଖିଲେ ଏଏସ୍‌ଆଇ ଯନ୍ତ୍ରୀ
  • ଭିତର ଭଣ୍ଡାରକୁ ଗଲେନି ଯାଞ୍ଚକାରୀ ଟିମ୍
  • ବାହାରେ ରହି ଭିତର ଭଣ୍ଡାରର ସ୍ଥିତି ଦେଖିଲେ

ବହୁ ଚର୍ଚ୍ଚା ତର୍ଜମା ପରେ ରତ୍ନଭଣ୍ଡାରର ଯାଞ୍ଚ ଶେଷ ହୋଇଛି। ଅଳ୍ପ ସମୟ ପାଇଁ ହଲେ ମଧ୍ୟ ୧୬ ଜଣିଆ ଟିମ୍‌ ଯାଞ୍ଚ ପ୍ରକ୍ରିୟା ଶେଷକରି ଫେରି ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି। ହେଲେ ଭିତର ଭଣ୍ଡାର ଘରକୁ ନେଇ ଯେଉଁ ରହସ୍ୟ ରହିଥିଲା ତା’ ଉପରୁ ଯାଞ୍ଚକାରୀ ଟିମ୍ ପରଦା ହଟାଇବାରେ ସମର୍ଥ ହୋଇ ନାହାନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, “ଅପରାହ୍ଣ ୨ଟା୨୫ରୁ ୨ଟା୩୦ ଭିତରେ ଗଜପତି ମହାରାଜାଙ୍କ ପ୍ରତିନିଧି, ନୀତି ପ୍ରଶାସକ ଏବଂ ଭଣ୍ଡାରମେକାପଙ୍କ ଉପସ୍ଥିତିରେ ବାହାର ଭଣ୍ଡାର ଘରର ତାଲା ଖୋଲା ଯାଇଥିଲା। ଏହାପରେ ଯାଞ୍ଚକାରୀ ଟିମ୍‌ ବାହାର ଭଣ୍ଡାର ଘରେ ପ୍ରବେଶ କରିଥିଲେ। ଭଣ୍ଡାରଘରେ ଅଳନ୍ଧୁ ଲାଗି ଥିବାରୁ ଏହାକୁ ସଦସ୍ୟମାନେ ସଫା କରିଥିଲେ। ଭଣ୍ଡାରଘରର କାନ୍ଥ ଓ ଛାତର ସ୍ଥିତି ଅନୁଧ୍ୟାନ କରିଥିଲେ। କାନ୍ଥକୁ ହାତ ମାରି ପରଖିଥିଲେ ଏଏସ୍‌ଆଇ ଅଧିକାରୀ। କାନ୍ଥ ସାମାନ୍ୟ ଓଦା ରହିଥିଲା।”

୨ଟା୩୦ରୁ ୩ଟା ପର୍ଯ୍ୟନ୍ତ ଯାଞ୍ଚକାରୀ ଟିମ୍‌ ବାହାରଭଣ୍ଡାରର ସ୍ଥିତି ପରଖିଥିଲେ। ବାହାର ଭଣ୍ଡାରରେ ରହି ଜାଲି ମାଧ୍ୟମରେ ଭିତର ଭଣ୍ଡାରର ସ୍ଥିତି ପରଖିଥିଲେ ଯାଞ୍ଚକାରୀ ଟିମ୍‌।

“ବାହାର ଭଣ୍ଡାର ଘର ଭିତରେ ଏକ ଜାଲି ରହିଛି। ଏହି ଜାଲିରେ ଭିତର ଭଣ୍ଡାର ଘରକୁ ଦେଖି ହେଉଛି। ଏଣୁ ଆମେ ବାହାର ଭଣ୍ଡାର ଭିତରେ ରହି ଜାଲି ଓ ପାଓ୍ବାରଫୁଲ୍ ସର୍ଚ୍ଚ ଲାଇଟ୍ ମାଧ୍ୟମରେ ଭିତର ଭଣ୍ଡାରର ସ୍ଥିତି ଦେଖିଥିଲୁ। ବାହାର ଭଣ୍ଡାରରେ ରହି ଭିତର ଭଣ୍ଡାରର କାନ୍ଥ ଏବଂ ଛାତ ସ୍ପଷ୍ଟ ଭାବେ ଦେଖି ହେଉଥିଲା। ଜାଲିରେ ଭିତର ଭଣ୍ଡାରର ସବୁକିଛି ଦେଖାଯାଉଥିବାରୁ ଭିତର ଭଣ୍ଡାରକୁ ଯିବା ପାଇଁ ଉଚିତ୍ ମନେକଲୁ ନାହିଁ। ଯାଞ୍ଚ ପରେ ଆମେ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଛୁ। ଏହା ଆମେ ହାଇକୋର୍ଟଙ୍କୁ ପ୍ରଦାନ କରିବୁ”, କହିଛନ୍ତି ପ୍ରଦୀପ କୁମାର ଜେନା।

ଭିତର ଭଣ୍ଡାର ଖୋଲାହେବ ଏବଂ ଏହାର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। ହେଲେ ଯାଞ୍ଚ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ ସୂଚନା ପ୍ରଦାନ କଲେ ତାହା ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରିଛି।

ଭିତର ଭଣ୍ଡାର ଘର ଖୋଲିବାକୁ ନେଇ କିଛିଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଭଣ୍ଡାର ଖୋଲିବା ପାଇଁ ତତ୍ପର ହୋଇ ଉଠିଥିଲା। ଛତିଶା ନିଯୋଗ ବୈଠକରେ ଯାଞ୍ଚକାରୀ ଟିମ୍‌ର ତାଲିକା ପ୍ରସ୍ତୁତ ହେଲା। ବିଧି ମୁତାବକ ୧୬ ଜଣିଆ ଟିମ୍‌ ରତ୍ନଭଣ୍ଡାରରେ ଆଜି ପ୍ରବେଶ କରିଥିଲେ। ହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଯାଞ୍ଚକାରୀ ରତ୍ନଭଣ୍ଡାରକୁ ଯାଇଥିଲେ ତାହା ପୂରଣ ହୋଇପାରିଲା ନାହିଁ। ଭିତର ଭଣ୍ଡାର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ନୀରବ ରହୁଛି ତାହା ଏବେ ବି ଲକ୍ଷାଧିକ ଭକ୍ତଙ୍କ ମନରେ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି।

ରତ୍ନଭଣ୍ଡାର ଯାଞ୍ଚ ପାଇଁ ୧୬ ଜଣ ଯାଞ୍ଚକାରୀ ଗାମୁଛା ପିନ୍ଧି ଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ସମସ୍ତ ଯାଞ୍ଚକାରୀ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ।

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସମସ୍ତ ଯାଞ୍ଚକାରୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଇଥିଲା। ପୁରୀ ଏସ୍‌ପି ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସେ ଗାମୁଛା ନପିନ୍ଧିବାରୁ ରତ୍ନଭଣ୍ଡାରକୁ ଯାଇ ନଥିବା ସୂଚନା ମିଳିଛି।

ଯାଞ୍ଚ ପାଇଁ ଆଜି ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରର ଚାରିପଟ ଦ୍ୱାର ଏବଂ ଭିତର ଗୁମୁଟ ନିକଟରେ ପୋଲିସ ମୁତୟନ କରାଯାଇଛି। ଭଣ୍ଡାର ଘର ନିକଟରେ ଓସ୍‌ଡମା, ଅଗ୍ନିଶମ କର୍ମଚାରୀ ଏବଂ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଉପସ୍ଥିତ ଥିଲେ।

ରତ୍ନଭଣ୍ଡାରକୁ କିଏ ଯାଇଥିଲେ :-

. ତପନ କୁମାର ଭଟ୍ଟାଚାର୍ଯ୍ୟ (ପ୍ରତ୍ନତତ୍ତ୍ୱବିତ୍‌)
. ଚିତ୍ତରଂଜନ ଦାସ (ପ୍ରତ୍ନତତ୍ତ୍ୱବିତ୍‌)
. ଏଚ୍‌. . ନାୟକ (ପ୍ରତ୍ନତତ୍ତ୍ୱବିତ୍‌)
. ଜି.ସି. ମିତ୍ର( କୋର କମିଟି ସଦସ୍ୟ)
. ଏନ୍‌.ସି ପାଲ(କୋର କମିଟି ସଦସ୍ୟ)
. ଅମିୟ ମହାନ୍ତି (ଗଜପତିଙ୍କ ପ୍ରତିନିଧି)
. ଭଣ୍ଡାର ମେକାପ: ଗଣେଶ ମେକାପ
. ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର (ଛତିଶା ନିଯୋଗ ମହାନାୟକ)
. ପ୍ରଦୀପ କୁମାର ଜେନା(ମୁଖ୍ୟ ପ୍ରଶାସକ)
୧୦. ଏନ୍‌.କେ ମହାନ୍ତି (ହାଇକୋର୍ଟଙ୍କ ପ୍ରତିନିଧି ଆମିକସ୍‌କ୍ୟୁରି)
୧୧. ଅରବିନ୍ଦ ଅଗ୍ରୱାଲ (ଜିଲ୍ଲାପାଳ, ଉପମୁଖ୍ୟ ପ୍ରଶାସକ)
୧୨. ରାମଚନ୍ଦ୍ର ଦାସମହାପାତ୍ର (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୩. ଅନନ୍ତ ତିଆଡ଼ି (ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ)
୧୪. ପ୍ରଦୀପ ଦାଶ ( ନୀତି ପ୍ରଶାସକ)
୧୫. ଦେଉଳକରଣ (ଚନ୍ଦ୍ରଶେଖର ମଙ୍ଗରାଜ)
୧୬. ହିମାଂଶୁ ପଟ୍ଟନାୟକ (ତଡ଼ଉକରଣ)

ରତ୍ନଭଣ୍ଡାର ବିଷୟରେ ଅଧିକ ପଢ଼ନ୍ତୁ:

ଖୋଲିଲା ରହସ୍ୟ: କେତେ ରତ୍ନ ରହିଛି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ?

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ: ଶ୍ରୀଜିଉଙ୍କ ଅଳଙ୍କାରର ଭଳିକି ଭଳି ନାଁ ଓ ରୂପ

ରତ୍ନଭଣ୍ଡାର, ହାଇକୋର୍ଟ ଓ ସରକାର

Comment