ରବୀନ୍ଦ୍ର ନାରାୟଣ ମିଶ୍ର

ବୁଥ୍‌ଙ୍କ ଆଗରେ ପିଲାଟି ବିକଳ ହୋଇ କହି ପକାଇଲା, ‘‘ମାଡ଼ ସିନା ସହିଗଲି, ଭୋକ ସହିପାରିଲିନି।’’ ନିରୀହ ପିଲାଟିର ସେଇ ଦି’ପଦ ସ୍ୱୀକାରୋକ୍ତି ବୁଥ୍‌ଙ୍କ ଦି’ ଆଖିକୁ ଲୁହ ଛଳଛଳ କରିଦେଲା।

ପାଦ୍ରି ବୁଥ୍ ସେଦିନ ଇଂଲଣ୍ଡରେ ଏକ ରାଜରାସ୍ତାରେ ଚାଲି ଯାଉ ଯାଉ ତାଙ୍କ କାନରେ ହଠାତ୍‌ ଗୋଟିଏ ପିଲାର ବିକଳ କ୍ରନ୍ଦନ ପଡ଼ିଲା। ଚାହିଁ ଦେଖିଲେ ଯେ କେତେକ ଲୋକ ଗୋଟିଏ ଛୋଟିଆ ପିଲାକୁ ପିଟୁଛନ୍ତି।

ବୁଥ୍‌ ସେଇ ଲୋକମାନଙ୍କ ପାଖକୁ ଯାଇ ଜାଣିବାକୁ ପାଇଲେ ଯେ ସେଇ ଛୋଟ ପିଲାଟି ରୁଟି ଚୋରିକରି ପଳାଇ ଯାଉଥିଲା, ସେଥିପାଇଁ ଲୋକମାନେ ତା’କୁ ପିଟୁଛନ୍ତି। ବୁଥ୍‌ଙ୍କ ହୃଦୟ ତରଳିଗଲା। ସେ ଲୋକମାନଙ୍କୁ ପିଲାଟିକୁ ନ ମାରିବା ପାଇଁ କାକୁତିମିନତି କଲେ। ଲୋକମାନେ ତାଙ୍କ ଅନୁରୋଧ ରକ୍ଷାକରି ପିଲାଟିକୁ ଛାଡ଼ିଦେଲେ।

ଦୟାର୍ଦ୍ର ବୁଥ୍‌ ପିଲାଟିକୁ ଆଉଁସି ପକାଇ ସେ କାହିଁକି ରୁଟି ଚୋରି କରୁଥିଲା ବୋଲି ପଚାରିଲେ। ପିଲାଟି କାନ୍ଦିକାନ୍ଦି କହିଲା ଯେ ସେ ଅନାଥ। ବାପା-ମା’ ନାହାନ୍ତି। ବୟସରେ ଅତି ଛୋଟ ହୋଇଥିବା ଯୋଗୁଁ ତା’କୁ କିଛି କାମଧନ୍ଦା ମିଳୁନି। ତେଣୁ ବାଧ୍ୟ ହୋଇ ଭୋକର ଦାଉ ସହି ନ ପାରି କେତେଖଣ୍ଡ ରୁଟି ଚୋରି କରି ଖାଇଛି।

ବୁଥ୍‌ଙ୍କ ଆଗରେ ପିଲାଟି ବିକଳ ହୋଇ କହି ପକାଇଲା, ‘‘ମାଡ଼ ସିନା ସହିଗଲି, ଭୋକ ସହିପାରିଲିନି।’’ ନିରୀହ ପିଲାଟିର ସେଇ ଦି’ପଦ ସ୍ୱୀକାରୋକ୍ତି ବୁଥ୍‌ଙ୍କ ଦି’ ଆଖିକୁ ଲୁହ ଛଳଛଳ କରିଦେଲା।

ସେଦିନ ରାତିରେ ବୁଥ୍‌ଙ୍କୁ ନିଦ ହେଲାନି। ପିଲାଟିର ମରମଜଳା କଥା – ମାଡ଼ ସିନା ସହିଗଲି, ଭୋକ ସହି ପାରିଲିନି – ତାଙ୍କ ହୃଦୟକୁ ବିଦାରି ପକାଇଲା। ସେ ତାଙ୍କ ଜୀବନ ପୁସ୍ତିକାର ପଛ ପୃଷ୍ଠାକୁ ଫେରିଯାଉଥିଲେ। ପିଲାଦିନୁ ପାଦ୍ରି ହେବାକୁ ସେ ଜୀବନର ଲକ୍ଷ୍ୟ ରଖିଥିଲେ।

ସମସ୍ତଙ୍କୁ ଧର୍ମୋପଦେଶ ଦେଇ ସତ୍‌ମାର୍ଗରେ ପରିଚାଳନା କରିବାକୁ ଧ୍ୟେୟ ବୋଲି ଗ୍ରହଣ କରିନେଇଥିଲେ। ମାତ୍ର ଯେଉଁ ସମାଜରେ ନିରୀହ ଅନାଥମାନେ ପରିସ୍ଥିତି ଚାପରେ ପାପ କାମ କରିବସନ୍ତି, ସେମାନଙ୍କୁ ଧର୍ମର ବାଣୀ ଶୁଣାଇବା ଆଗ ନା ତାଙ୍କ ପେଟକୁ ଦାନା ଦେଇ ପାପରୁ ନିବୃତ୍ତ କରିବା କାମ ଆଗ?

ଏଇ ପ୍ରଶ୍ନ ତାଙ୍କୁ ଆନ୍ଦୋଳିତ କଲା। ବିବେକ ତାଙ୍କ ପ୍ରଶ୍ନର ଉତ୍ତର ଦେଲା। ତହିଁ ଆର ଦିନ ସେ ପାଦ୍ରୀ ପଦ ତ୍ୟାଗ କରି ବିପଥଗାମୀ ଅନାଥ ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ଥଇଥାନ କରିବାକୁ ଉଦ୍ୟମ ଆରମ୍ଭ କଲେ। ସେ ଏଥିପାଇଁ ଏକ ସଂଗଠନ ଗଢ଼ିଲେ ଯାହାର ନାମ ଦେଲେ ‘ମୁକ୍ତିସେବା’। ସମାଜର ପତିତମାନଙ୍କୁ ଉଦ୍ଧାର କରିବା ଦିଗରେ ‘ମୁକ୍ତିସେବା’ ଅଗ୍ରଣୀ ଭୂମିକା ଗ୍ରହଣ କଲା। ବୁଥ୍‌ ବିଶ୍ୱବନ୍ଦିତ ହୋଇଗଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment