ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କର ୪ ବର୍ଷ ପୂର୍ତ୍ତି ଅବସରରେ ଆଇନ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ଚାରି ବର୍ଷରେ ୩୮୦୮ ଲୋକ ଅଦାଲତ
  • ୨୩ ଲକ୍ଷ ୧୭ ହଜାର ମାମଲା ଫଏସଲା
  • ୫୬୫୭ ଗୋଟି ଆଇନ ସଚେତନା କାର୍ଯ୍ୟକ୍ରମ ଆୟୋଜନ
  • ୪ବର୍ଷ ମଧ୍ୟରେ ୨୨୦ଟି ନ୍ୟାୟଳୟ ପ୍ରତିଷ୍ଠା

ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ମେ-୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଆଇନ ବିଭାଗର କରିଥିବା ସମୀକ୍ଷା ବୈଠକ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ସଚିବ ଡକ୍ଟର ପ୍ରମୋଦ ମେହେର୍ଦ୍ଦା, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ବିଭୁ ପ୍ରସାଦ ରାଉତରାୟ, ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି  ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ନ୍ୟାୟ ଯୋଗାଇ ଦେବା ସକାଶେ ଓ ନାଗରିକମାନଙ୍କୁ ମାଗଣା ଆଇନ ସହାୟତା ଦେବା ନିମନ୍ତେ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ନାମକ ଏକ ଅନନ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଉଛି ନାଗରିକମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇ ଦ୍ଵାରଦେଶରେ ମାଗଣା ଆଇନ ସହାୟତା ଯୋଗାଇ ତୃଣମୂଳ ସ୍ତରର ଲୋକମାନଙ୍କ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି କରାଇବା। ଏହି କ୍ରମରେ  ଏ ଯାଏଁ ୩୩୭ ଗୋଟି ଗ୍ରାମ ପଞ୍ଚାୟତରେ ଆଇନ ସହାୟକ ଓକିଲମାନଙ୍କୁ ନିୟୋଜିତ କରିବା ପ୍ରକ୍ରିୟା ଚାଲୁ ରହିଛି।

ବିଗତ ଚାରିବର୍ଷ ମଧ୍ୟରେ ୩୮୦୮ ଗୋଟି ଲୋକଅଦାଲତ ଅନୁଷ୍ଠିତ ହୋଇ ପ୍ରାୟ ୨୩ ଲକ୍ଷ ୧୭ ହଜାର ଗୋଟି ମାମଲା ଫଏସଲା ହୋଇପାରିଛି। ଏଥିରେ ମୋଟର ଦୁର୍ଘଟଣାରେ ପୀଡିତ ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ବାବଦରେ ୪୮୦ କୋଟି ଟଙ୍କା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଜୋରିମାନା ଆକାରରେ ୫୦ କୋଟି ୯୪ ଲକ୍ଷ ଟଙ୍କା ଆଦାୟ ହୋଇ ରାଜ୍ୟ ରାଜକୋଷରେ ଜମା ହୋଇଛି।

ଲୋକମାନଙ୍କୁ ସେମାନଙ୍କ ଅଧିକାର ଓ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବା ସକାଶେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ୫୬୫୭ ଗୋଟି ଆଇନ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯଦ୍ଵାରା ୨୧୫୫୭ଜଣ ଲୋକ ଉପକୃତ ହୋଇଛନ୍ତି।

ଏତଦବ୍ୟତୀତ ଆଇନ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ୩୨୩ଗୋଟି ଆଇନ ସହାୟତା କ୍ଲିନିକ୍, ବିଦ୍ୟାଳୟମାନଙ୍କରେ ୬୦୨ଗୋଟି ବିଦ୍ୟାର୍ଥୀ ଆଇନ ସାକ୍ଷରତା କ୍ଲବ୍ ପ୍ରତିଷ୍ଠା କରାଯାଇଛି। ଏବଂ  ଆଇନ ସହାୟତା ମାମଲାଗୁଡ଼ିକ ପରିଚାଳନା କରିବା ପାଇଁ ୧୧୦୩୭ଜଣ ଓକିଲଙ୍କୁ ନିୟୋଜିତ କରାଯାଇଛି। ଆହୁରି ମଧ୍ୟ ତୃଣମୂଳସ୍ତରର ନାଗରିକମାନେ ଯେପରି ନ୍ୟାୟ ପାଇବାର ସୁଯୋଗରୁ ବଞ୍ଚିତ ନ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ୫୦୩୪ଜଣ ପାରାଲିଗାଲ୍ ସ୍ଵେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି।

ବିଗତ ୪ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ଉଚ୍ଚ ନ୍ୟାୟାଳୟଙ୍କ ସହିତ ପରାମର୍ଶ କ୍ରମେ ବିଭିନ୍ନ ବର୍ଗର ୨୨୦ ଗୋଟି ନ୍ୟାୟଳୟ ପ୍ରତିଷ୍ଠା କରିଛନ୍ତି ଏବଂ ୨୭୯ ଜଣ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତ ଦେଇଛନ୍ତି। ରାଜ୍ୟର ୩୧୪ ଗୋଟି ବ୍ଲକ୍ ମଧ୍ୟରୁ ଏ ଯାଏଁ ସରକାର ୧୯୯ ଗୋଟି ବ୍ଲକରେ ସିଭିଲ୍ ଜଜ-ତଥା- ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ନ୍ୟାୟଳୟ ସ୍ଥାପନ କରିସାରିଲେଣି ଓ ଆଗାମୀ ଦିନରେ ଅବଶିଷ୍ଟ ୧୧୫ ଗୋଟି ବ୍ଲକରେ ପର୍ଯ୍ୟାୟ କ୍ରମେ ସେପରି ନ୍ୟାୟାଳୟମାନ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ନ୍ୟାୟଳୟଗୁଡ଼ିକ ମଧ୍ୟରେ  ମହିଳାମାନଙ୍କ ସମ୍ପର୍କିତ ଅପରାଧଗୁଡ଼ିକର ବିଚାର ନିମନ୍ତେ ୩୦ ଗୋଟି ସ୍ଵତନ୍ତ୍ର ନ୍ୟାୟାଳୟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ବିରୁଦ୍ଧରେ ହେଉଥିବା ମାମଲାଗୁଡ଼ିକର ବିଚାର ନିମନ୍ତେ ସ୍ଵତନ୍ତ୍ର ନ୍ୟାୟାଳୟ ଅନ୍ତର୍ଭୁକ୍ତ।

ବିଗତ ଚାରିବର୍ଷ ମଧ୍ୟରେ ରାଜ୍ୟର ଅଧସ୍ତନ ନ୍ୟାୟାଳୟଗୁଡ଼ିକ ଦ୍ଵାରା ଆପାତତଃ ୧୭ ଲକ୍ଷ ୧୨ ହଜାର ମାମଲାର ଫଏସଲା ହୋଇପାରିଛି।

ରାଜ୍ୟରେ ଥିବା ଅସଂଖ୍ୟ ପୁରାତନ ମନ୍ଦିର ଓ ମଠଗୁଡ଼ିକର କୀର୍ତ୍ତିରାଜିର ସଂରକ୍ଷଣ କରିବା ଲକ୍ଷ୍ୟ ନେଇ ବିଗତ ଚାରି ବର୍ଷ ମଧ୍ୟରେ ସରକାର ସୂଚୀଭୁକ୍ତ ହୋଇଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନଗୁଡ଼ିକର ରକ୍ଷଣବେକ୍ଷଣ, ପର୍ବପର୍ବାଣି, ନୀତିକାନ୍ତି ଆଦି ବାବଦରେ ସାତକୋଟି ଆଠ ଲକ୍ଷ ପଇଁଚାଳିଶି ହଜାର ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ସେହିପରି ତତ୍କାଳୀନ ଗଡ଼ଜାତ ରାଜ୍ୟଗୁଡ଼ିକରେ ଥିବା ଏକଚାଳିଶି ଗୋଟି ଧାର୍ମିକ ଅନୁଷ୍ଠାନକୁ ସେ ବାବଦରେ ଛଅ କୋଟି ଏକ ଲକ୍ଷ ଅଶି ହଜାର ଟଙ୍କା ଯୋଗାଇ ଦେଇଛନ୍ତି।

ବର୍ତ୍ତମାନର ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟା ଫଳରେ ରାଜ୍ୟରେ ସୂଚୀଭୁକ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକର ସଂଖ୍ୟା ୧୮୦୦୦ କୁ ବୃଦ୍ଧି ପାଇଛି।

Comment