ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

 ‘ହମ୍ ଅଗ୍ରଜୋଁ କେ ଜମାନେ କେ ଜେଲର୍ ହେଁ…। ଏହା ହେଉଛି ବଲିଉଡର ବ୍ଲକବଷ୍ଟର ମୁଭି ‘ଶୋଲେ’ର ଏକ ବହୁ ଚର୍ଚ୍ଚିତ ସଂଳାପ। ଏହି ସଂଳାପ ପାଇଁ ଅଭିନେତା ଅଶ୍ରାନିଙ୍କୁ ବେଶ୍ ଲୋକପ୍ରିୟତା ମିଳିଥିଲା।

ବଲିଉଡର ପପୁଲାର କମେଡିଆନ୍ ଅଶ୍ରାନି ରମେଶ ସିପ୍ପୀଙ୍କ ନିର୍ଦ୍ଦେଶିତ ଜଣେ ଜେଲର ଭୂମିକାରେ ଅଭିନୟ କରିଥିଲେ।

ଅଶ୍ରାନି ଅନ୍ୟ କେତେକ ସିନେମାରେ ବି ଅଫ୍‌ବିଟ୍ ରୋଲ୍ କରି ଚର୍ଚ୍ଚାରେ ରହିଥିଲେ। ଏଥିମଧ୍ୟରୁ ଗୋଟିଏ ହେଲା ଗୁଲଜାରଙ୍କ ନିର୍ଦ୍ଦେଶିତ ୧୯୭୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘କୋସିସ୍’। ଏଥିରେ ତାଙ୍କୁ ଜଣେ ଖଳ ପ୍ରକୃତିର ଭାଇ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ।

ଅଶ୍ରାନି ଏଲଭି ପ୍ରସାଦଙ୍କ ବହୁଚର୍ଚ୍ଚିତ ଫିଲ୍ମ  ‘ବିଦାଇ’ରେ ପ୍ରଥମଥର ପାଇଁ ଡବଲ ରୋଲ୍ କରିଥିଲେ। ଦୁଇଟି ଭୂମିକା ଭିତରୁ ଗୋଟିକରେ ସେ ହିପି ଯୁବକ ଓ ଅନ୍ୟଟିରେ ଗ୍ରାମୀଣ ଯୁବକ ଭୂମିକାରେ ଦେଖା ଦେଇଥିଲେ। ୧୯୭୪ରେ ରିଲିଜ୍ ହୋଇଥିଲା ‘ବିଦାଇ’। ଏହି ସିନେମା ତାଙ୍କୁ ଖୁବ୍ ଖ୍ୟାତି ଆଣିଦେଇଥିଲା।

ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷିକେଶ ମୁଖାର୍ଜୀ। ପପୁଲାର କମେଡିଆନ୍ ଅଶ୍ରାନିଙ୍କୁ କେତୋଟି ସିନେମାରେ ନେଇଥିଲେ। ଏଥିମଧ୍ୟରୁ ସବୁଠୁଁ ଭିନ୍ନ ଧରଣର ଭୂମିକାରେ ନଜର ଆସିଥିଲେ ଏକ ଫିଲ୍ମରେ। ଏହା ହେଲା ‘ଚଇତାଳି’। ୧୯୭୫ରେ ରିଲିଜ୍ ହୋଇଥିବା ଏହି ସିନେମାରେ ବିଡ଼ି ଟାଣୁଥିବା ଗଞ୍ଜିପିନ୍ଧା ସ୍ପୋର୍ଟସମ୍ୟାନ୍ ଭୂମିକାରେ ଅଭିନୟ କରିଥିଲେ ଅଶ୍ରାନୀ।

ଅଶ୍ରାନି କେଏସ୍ ପ୍ରକାଶଙ୍କ ଏକ ଚର୍ଚ୍ଚିତ ଫିଲ୍ମରେ ଦେଖା ଦେଇଥିଲେ। ତାହା ହେଲା ୧୯୭୪ରେ ମୁକ୍ତିଲାଭ କରିଥିବା ‘ପ୍ରେମ ନଗର୍’। ଏଥିରେ ପପୁଲାର କମେଡିଆନ୍ ଅଶ୍ରାନୀଙ୍କୁ ଜଣେ ଦଲାଲ୍ ଭୂମିକାରେ ଦେଖିବାକୁ ମିଳିଥିଲା।

ଅଶ୍ରାନିଙ୍କ ଫିଲ୍ମ ସଫର୍ ବି ଏତେ ସହଜରେ ଆରମ୍ଭ ହୋଇନଥିଲା। ୧୯୬୬ରେ ସେ ଏଫ୍‌ଟିଆଇଆଇ ପୁନେରୁ ଆକ୍ଟିଂ କୋର୍ସ ଶେଷ କରିଥିଲେ।

ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ଡିଗ୍ରୀ ହାସଲ କରିବା ପରେ ଯେ ଜଣେ ଅଭିନେତା ହୋଇପାରିବ, ଏଥିରେ ବିଶ୍ଵାସ ରଖୁନଥିଲେ ପପୁଲାର କମେଡିଆନ୍ ଅଶ୍ରାନି। ଏଥିପାଇଁ ସେ ସେଠାରେ ଇନଷ୍ଟ୍ରକ୍ଟର ଭାବେ କାମ କରିଥିଲେ।

ଅଶ୍ରାନିଙ୍କୁ ବ୍ରେକ୍ ଦେଇଥିଲେ ହୃଷିକେଶ ମୁଖାର୍ଜୀ। ସେ ଅଶ୍ରାନୀଙ୍କୁ ଫିଲ୍ମ୍ ‘ସତ୍ୟକାମ୍’ରେ ରେ ଛୋଟକାଟର ଭୂମିକାଟିଏ ଦେଇଥିଲେ। ତେବେ ବଲିଉଡର ପପୁଲାର କମେଡିଆନ୍ ଅଶ୍ରାନି ମୁମ୍ବାଇରେ ଅଭିନେତା ଭାବେ କାମ ପାଇବା ଲାଗି ୧୯୬୬ରୁ ୧୯୭୨ ଯାଏଁ ପ୍ରତି ଶୁକ୍ରବାର ସନ୍ଧ୍ୟାରେ ପୁନେରୁ ମୁମ୍ବାଇ ଯାଉଥିଲେ। ସେତେବେଳେ ପୁନେରୁ ମୁମ୍ବାଇର ଟିକେଟ୍ ଥିଲା ମାତ୍ର ୬ ଟଙ୍କା।

ଥରେ ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷିକେଶ ମୁଖାର୍ଜୀ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟକୁ ଆସିଥିଲେ। ସେତେବେଳେ ସେ ଜୟା ଭାଦୁଡ଼ିଙ୍କୁ ଖୋଜିବା ପାଇଁ ଆସିଥିଲେ। ସେ ସମୟରେ ଜୟା ଏଫଟିଆଇରେ ଜଣେ ଛାତ୍ରୀ ଥିଲେ।

ହୃଷିକେଶ ମୁଖାର୍ଜୀ ଜୟାଙ୍କୁ ଭେଟିଲେ। ତା’ ପରେ ମୁମ୍ବାଇ ଯିବା ଲାଗି ବାହାରୁଥିବା ବେଳେ ଅଶ୍ରାନି ପଚାରିଥିଲେ, ଦାଦା ମେରା? ହୃଷି ଦା ଅଶ୍ରାନିଙ୍କୁ କହିଥିଲେ, ତୁମହାରା କୁଛୁ ନେହିଁ। ଯେତେବେଳେ ମୁଁ ଚିଠି ପଠାଇବି, ସେତେବେଳେ ଆସିବ।

ତିନିମାସ ପରେ ଏକ ଚିଠି ଆସିଲା, ହେଲେ ତାହା ଜୟା ଭାଦୁଡ଼ିଙ୍କ ନାଆଁରେ। ସେହି ଚିଠିଟି ଇନଷ୍ଟିଚ୍ୟୁଟର ନୋଟିସବୋର୍ଡରେ ଦେଖିବାକୁ ମିଳିଥିଲା। ତେବେ ହୃଷିକେଶ ମୁଖାର୍ଜୀଙ୍କ ‘ଗୁଡ଼ି’ ଫିଲ୍ମରେ ଦୁଇଟି ସିନ୍ ଥିବା ରୋଲ୍ ମିଳିଥିଲା ବଲିଉଡର ପପୁଲାର କମେଡିଆନ୍ ଅଶ୍ରାନିଙ୍କୁ। ଏହାପରେ ତାଙ୍କର ଫିଲ୍ମ ସଫର୍ ଗତି ଧରିଥିଲା।

Comment