ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶ୍ରୀତମ୍ ଦାସ ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା। ଶ୍ରୀତମ୍ ତାଙ୍କର କ୍ୟାରିୟରରେ ବେଶ୍ କେତେଜଣ ଆଗଧାଡ଼ିର ନାୟିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ହେଲେ ଏମିତି କେତେଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସହ ଶ୍ରୀତମ ସ୍କ୍ରିନ୍ ସେୟାର୍ କରିଛନ୍ତି ସତ କିନ୍ତୁ କେବେ ନାୟକ ଭୂମିକାରେ ନଜର ଆସିନାହାନ୍ତି।

ଶ୍ରୀତମ୍ ଦାସ ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା। ସେ ୧୯୯୭ରେ ରିଲିଜ୍ ହୋଇଥିବା ପ୍ରଖ୍ୟାତ ନିର୍ମାତା ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ହିଟ୍ ସିନେମା ‘ସାବିତ୍ରୀ’ ଜରିଆରେ ଓଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଶ୍ରୀତମଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଲିଜା ଦାସ। ଶ୍ରୀତମ ଯେଉଁ ସମୟରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ, ସେତେବେଳର ନାୟିକା ନମ୍ବର ୱାନ୍ ଥିଲେ ରଚନା ବାନାର୍ଜୀ।

ଶ୍ରୀତମ୍ ତାଙ୍କର କ୍ୟାରିଅରରେ ବେଶ୍ କେତେଜଣ ଆଗଧାଡ଼ିର ନାୟିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି, ହେଲେ ସେ କେବେ ବି ରଚନାଙ୍କ ନାୟକ ବନିନାହାନ୍ତି ପରଦାରେ। ଏହା ଅବଶ୍ୟ ଭିନ୍ନ କଥା ଯେ ଶ୍ରୀତମ୍ ଦାସ ଓ ରଚନା ଅବଶ୍ୟ ସିନେମାରେ ଏକାଠି କାମ କରିଥିଲେ, ହେଲେ ଗୋଟିକରେ ଶ୍ରୀତମଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା ସସ୍ମିତା ପ୍ରଧାନଙ୍କୁ ଓ ରଚନା ବାନାର୍ଜୀଙ୍କ ନାୟକ ଥିଲେ ମିହିର ଦାସ। ଏହା ଯେଉଁ ସିନେମା କ୍ଷେତ୍ରରେ ଘଟିଥିଲା, ତାହା ହେଲା ପ୍ରଖ୍ୟାତ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀ ପ୍ରତିମା’।

ଠିକ୍ ସେହିପରି ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଶେଷ ସିନେମା ‘ସନ୍ତାନ’ ରେ ବି ରଚନା ଓ ଶ୍ରୀତମଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏଥିରେ ଏ ଦୁଇ କଳାକାରଙ୍କୁ ସ୍ୱାମୀ-ସ୍ତ୍ରୀ ବା ପ୍ରେମିକ -ପ୍ରେମିକା ଭୂମିକାରେ ଦେଖିବାକୁ ପାଇନଥିଲେ ଦର୍ଶକ। ବରଂ ଏହି ଫିଲ୍ମରେ ରଚନାଙ୍କ ବିପକ୍ଷରେ ସିଦ୍ଧାନ୍ତ ବନିଥିଲେ ନାୟକ। ଶ୍ରୀତମ ଦାସ ଏହି ସିନେମାରେ ନେଗେଟିଭ ରୋଲରେ ନଜର ଆସିଥିଲେ।

ରଚନା ଅବଶ୍ୟ ସର୍ବାଧିକ ସିନେମା ସିଦ୍ଧାନ୍ତଙ୍କ ସହ କରିଛନ୍ତି। ଅପରପକ୍ଷରେ ଶ୍ରୀତମ ଦାସ ଓଲିଉଡର ଟପ୍ ହିରୋଇନ୍ ଅନୁ ଚୌଧୁରୀ, ଜ୍ୟୋତି ମିଶ୍ର ଓ ଉଷସୀ ମିଶ୍ର ପ୍ରମୁଖଙ୍କ ବିପକ୍ଷରେ ନଜର ଆସିଛନ୍ତି।

ଶ୍ରୀତମ୍ ଦାସ ୧୯୯୭ରେ ନାୟକ ହୋଇଥିଲେ। ୨୦୦୩ରେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏଣ୍ଟ୍ରି ନେଇଥିଲେ ଓଲିଉଡର ନାୟିକା ଭାବରେ। ସେତେବେଳକୁ ନାୟକ ଶ୍ରୀତମଙ୍କର ବେଶ୍ କେତୋଟି ଓଡ଼ିଆ ଛବି ରିଲିଜ୍ ହୋଇ ସାରିଥାଏ। ବର୍ଷା ତାଙ୍କର ପ୍ରଥମ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରେ ସୂରଜ କୁମାରଙ୍କ ଅପୋଜିଟରେ ହିରୋଇନ୍ ହୋଇଥିଲେ। ତା’ ପରେ ସେ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ୍, ଆକାଶ, ପୁପିନ୍ଦର ଓ ଦୁଷ୍ମନ୍ତଙ୍କ ଭଳି ଅପୋଜିଟରେ ବିଭିନ୍ନ ଫିଲ୍ମରେ ନାୟକ ବନିଥିଲେ, ହେଲେ କୌଣସି ଗୋଟିକରେ ବି ଏଯାଏଁ ଶ୍ରୀତମ ଦାସଙ୍କ ସାଥ ପାଇନାହାନ୍ତି। ଏଯାଏଁ ଦର୍ଶକ ଶ୍ରୀତମ-ବର୍ଷାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇନାହାନ୍ତି।

ଠିକ୍ ସେହିପରି ଅର୍ଚ୍ଚିତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଫିଲ୍ମ ହେଲା ୨୦୦୫ର ସିନେମା ‘ଓ ମାଇଁ ଲଭ୍’ । ଏଥିରେ ନବାଗତ ରାଜଦୀପଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ସେ ଅନୁଭବ, ଅରିନ୍ଦମ, ସବ୍ୟସାଚୀ, ବାବୁସାନ୍, ଆକାଶ, ବୁଦ୍ଧାଦିତ୍ୟ, ଚନ୍ଦନ ପ୍ରମୁଖ ନାୟକଙ୍କ ସାଥ୍ ପାଇଛନ୍ତି ପରଦାରେ। ୨୦୦୫ରେ ଓ ପରେ ଶ୍ରୀତମ ମଧ୍ୟ କେତୋଟି ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଶ୍ରୀତମଙ୍କ ଅପୋଜିଟରେ କେବେ ବି କୌଣସି ଫିଲ୍ମରେ ସ୍କ୍ରିନ୍ ସେଆର କରିନାହାନ୍ତି ଅର୍ଚ୍ଚିତା।

୨୦୦୪ରେ ମୁମ୍ବାଇ ନାୟିକା ନମ୍ରତା ଥାପ୍ପା ଓଲିଉଡ଼ରେ ଏଣ୍ଟ୍ରି ନେଇଥିଲେ ଏବଂ ସେ ପାଖାପାଖି ଆଠ ବର୍ଷ ଧରି ଏଠି ରାଜ୍ କରିଛନ୍ତି। ସେ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ୍ ଓ ବୁଦ୍ଧାଦିତ୍ୟ ପ୍ରମୁଖ ନାୟକଙ୍କ ସହ ସ୍କ୍ରିନ୍ କରିଛନ୍ତି। ହେଲେ କୌଣସି ଗୋଟିଏ ସିନେମାରେ ଶ୍ରୀତମଙ୍କ ନାୟିକା ବନି ନାହାନ୍ତି ନମ୍ରତା। ଅର୍ଥାତ୍ ଶ୍ରୀତମ୍-ନମ୍ରତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିନାହିଁ।

Comment