ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକରେ କୌଣସି ଦଳକୁ ମିଳିନି ସଂଖ୍ୟା ଗରିଷ୍ଠତା। ଫଳରେ ସରକାର କିଏ ଗଠନ କରିବ ସେ ନିଷ୍ପତ୍ତି ଏବେ ରାଜ୍ୟପାଳଙ୍କ ଉପରେ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବା ଫଳରେ ସେଠି ଯେଉଁ ତ୍ରିଶଙ୍କୁ ଅବସ୍ଥା ଦେଖାଯାଇଛି ସେହି ପରିସ୍ଥିତିରେ ଏବେ ସବୁକିଛି ନିର୍ଭର କରୁଛି ରାଜ୍ୟପାଳଙ୍କ ବିବେକ ଉପରେ।

ବିଜେପି ଓ କଂଗ୍ରେସ-ଜେଡ଼ିଏସ୍ ସରକାର ଗଠନ ପାଇଁ ଦାବି ଜଣାଇ ସାରିଛନ୍ତି। ଏଣୁ ରାଜ୍ୟପାଳ ବାଜୁଭାଇ ଵାଲା କଣ କରିବେ ତାହାରି ଉପରେ ସମସ୍ତଙ୍କ ନଜର। ସବୁଠୁ ବଡ଼ ଦଳ ହିସାବରେ ବିଜେପିର ଦାବି ଯଥାର୍ଥ ଲାଗୁଥିଲେ ହେଁ କଂଗ୍ରେସ ଓ ଜନତା ଦଳ ପାଖରେ ଅଧିକ ବିଧାୟକ ଅଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଆର ବୋମ୍ମାଇ ବନାମ କେନ୍ଦ୍ର ସରକାର ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ କୌଣସି ଦଳ ପ୍ରତି ବିଧାୟକଙ୍କ ସଂଖ୍ୟା ଗରିଷ୍ଠ ସମର୍ଥନ ରହିଛି କି ନା ତାହାର ପରୀକ୍ଷା ବା ଫଇସଲା ରାଜଭବନ ନୁହେଁ ବିଧାନସଭାରେ ହିଁ ହେବ।

ଏହି ରାୟକୁ ବେଦ ବୋଲି ଧରାଯାଇଥାଏ। ଯଦି ତାହା ହିଁ ହୁଏ ବିଜେପିକୁ ସରକାର ଗଠନ ପାଇଁ ପ୍ରଥମେ ନିମନ୍ତ୍ରଣ ମିଳିବ। କାରଣ ବିଜେପି ହିଁ ଏକକ ସଂଖ୍ୟା ବିଶିଷ୍ଟ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଯଦି ରାଜ୍ୟପାଳ ଚାହିଁବେ କଂଗ୍ରେସ- ଜନତା ଦଳ ମେଣ୍ଟକୁ ବି ଆମନ୍ତ୍ରଣ କରିପାରନ୍ତି।

ନିକଟ ଅତୀତରେ ମଣିପୁର, ଗୋଆ, ମେଘାଳୟ ନିର୍ବାଚନରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସରକାର ଗଢିବା ପାଇଁ ଡକା ଯାଇଥିଲା। କର୍ଣ୍ଣାଟକରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ନିଜ ନିଜ ସଂଖ୍ୟାକୁ ବଢାଇବା ପାଇଁ ଘୋଡା ବେପାର ବି ହୋଇପାରେ। ତେବେ ଗୋଟିଏ କଥା ନିଶ୍ଚିତ ଯେ ଯିଏ ବି ସରକାର ଗଠନ କରୁ ଜେଡ଼ି ଓ କୁମାରସ୍ୱାମୀଙ୍କୁ ଛାଡ଼ି କରିବା ମୁସ୍କିଲ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଠନ ପାଇଁ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ୨୨୪ ଆସନରୁ ୨୨୨ଟି ଆସନରେ ଭୋଟ ହୋଇଥିଲା। ଆଜି ଏହି ନିର୍ବାଚନର ଫଳ ପ୍ରକାଶ ପାଇଛି। ବିଜେପିକୁ ୧୦୫ଟି ଆସନ ମିଳିଥିବା ବେଳେ କଂଗ୍ରେସ ୭୭ ଏବଂ ଜେଡିଏସ୍‌କୁ ମିଳିଛି ୩୭ ଆସନ।

ବିଜେପିର ବିଜୟକୁ ଦେଖି କଂଗ୍ରେସ ଜେଡିଏସ୍‌କୁ ସମର୍ଥନ କରିଛି। ଏପରିକି ଜେଡିଏସ୍‌ ନେତା ଏଚ ଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଛି। କଂଗ୍ରେସର ସମର୍ଥନ ପାଇବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି କୁମାର ସ୍ୱାମୀ। ବିଧାୟକଙ୍କ ସମର୍ଥନ ଥିବାରୁ ଜେଡିଏସ୍‌ ସରକାର ଗଢ଼ିବ ବୋଲି କହିଛନ୍ତି।

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍‌ ୟେଦୁରପ୍ପା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି। ସମର୍ଥନ ଯୋଗାଡ଼ କରିବା ପାଇଁ ୭ ଦିନ ସମୟ ମାଗିଛନ୍ତି ୟେଦୁରପ୍ପା।

Comment