ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛିଦିନ ହେବ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଡ୍ରାମାର ଶେଷରେ ଅନ୍ତ ଘଟିଛି। ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆଗକୁ ମଧ୍ୟ ଲଢ଼ିବା ଜାରି ରଖିବି: ବିଏସ୍‌ ୟେଦୁରପ୍ପା

ମାତ୍ର ୫୫ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୟେଦ୍ୟୁରପ୍ପା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ୟେଦ୍ୟୁରପ୍ପା ଭାବବିହ୍ଵଳ ହୋଇ କହିଛନ୍ତି, “ଜୀବନ ସାରା ମୁଁ ଲଢ଼ି ଲଢ଼ି ଆସିଛି। ଆମେ ୧୧୩ ସିଟରେ ବିଜୟୀ ହୋଇଥିଲେ କର୍ଣ୍ଣାଟକ ରାଜନୀତିର ଦୃଶ୍ୟପଟ୍ଟ କିଛି ଅଲଗା ହୋଇଥାନ୍ତା। କିନ୍ତୁ ତାହା ହୋଇପାରିଲାନି। ପୁଣିଥରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଯିବି ଓ ଲୋକଙ୍କୁ ସତକଥା କ’ଣ ବୁଝାଇବି। ଶେଷରେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଧନ୍ୟବାଦ ଦେବି ସେମାନେ ମୋ ଉପରେ ବିଶ୍ଵାସ ରଖିଛନ୍ତି”।

ଗଣତନ୍ତ୍ରର ବିଜୟ: ଗୁଲାମ ନବି ଆଜାଦ୍

“ଆଜିର ବିଜୟ ଗଣତନ୍ତ୍ରର ବିଜୟ। ଆମର ଦୁଇ ବିଧାୟକଙ୍କୁ ଅପହରଣ କରିନେଇଥିଲା ବିଜେପି। ତାଙ୍କୁ ଅନେକ ପ୍ରକାର ପ୍ରଲୋଭନ ମଧ୍ୟ ଦେଖାଇଥିଲା। କିନ୍ତୁ ଆମ ବିଧାୟକମାନେ ବିବେକ ଅନୁଯାୟୀ ନିଷ୍ପତ୍ତି ନେଇଥିଲେ”, କହିଛନ୍ତି କଂଗ୍ରେର ବରିଷ୍ଠ ନେତା ଗୁଲାମ ନବି ଆଜାଦ୍।

ଲୋକତନ୍ତ୍ରକୁ କିଣାଯାଇପାରିବ ନାହଁ: ରାହୁଲ ଗାନ୍ଧି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ଉପରେ ବର୍ଷିଛନ୍ତି। “କର୍ଣ୍ଣାଟକ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦେଖାଇଦେଇଛନ୍ତି କି ଲୋକତନ୍ତ୍ରକୁ ଟଙ୍କା ଦ୍ଵାରା କିଣାଯାଇପାରିବ ନାହିଁ। ବିଜେପି ଜେଡିଏସ ଓ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିଥିଲା କିନ୍ତୁ ସେଥିରେ ସଫଳ ହୋଇପାରିଲା ନାହିଁ। ଉଭୟ ବିଜେପି ଓ ଆରଏସଏସ ଏଥିରୁ ଶିକ୍ଷା ଲାଭ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଠାରୁ ବଡ଼ ନୁହଁନ୍ତି। ବିପକ୍ଷଙ୍କ ସହଯୋଗରେ ଆମେ ବିଜେପିକୁ ରୋକିବାରେ ସମର୍ଥ ହୋଇଛୁ”।

ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ଅପେକ୍ଷା କରିଛି: ଏଚଡି କୁମାରସ୍ଵାମୀ

କର୍ଣ୍ଣାଟକରେ ଚାଲିଥିବା ଡ୍ରାମାରେ ସବୁଠୁ ଅଧିକ ଫାଇଦା ମିଳିଛି ଜେଡିଏସକୁ। କଂଗ୍ରେସ ସହ ମେଣ୍ଟ କରି ବିଜେପିକୁ ଟକ୍କର ଦେଇଛି ଜେଡିଏସ। ଜେଡିଏସ ନେତା କୁମାରସ୍ଵାମୀ କହିଛନ୍ତି, “ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ଅପେକ୍ଷା କରିଛି”।

ସମ୍ବିଧାନର ବିଜୟ: ସିଦ୍ଧରମୈୟା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, “ଆଜି ସମ୍ବିଧାନର ବିଜୟ ହୋଇଛି। ଗଣତନ୍ତ୍ରରେ ଲୋକମାନଙ୍କ ମତକୁ ପ୍ରଥମେ ଗ୍ରହଣ କରାଯିବା ଉଚିତ୍‌”।

 

Comment