ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଏଚ୍‌ ଡି କୁମାରସ୍ୱାମୀ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ପାଇଁ କୁମାରସ୍ୱାମୀ ନିମନ୍ତ୍ରଣ ଦେଇଛନ୍ତି।

କୁମାରସ୍ୱାମୀ କହିଛନ୍ତି, “କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦୀର୍ଘସ୍ଥାୟ ରହିବ। କର୍ଣ୍ଣାଟକରେ ଏକ ସ୍ଥିର ସରକାର ଗଠନ କରାଯିବ। ଅତୀତରେ ଯାହାସବୁ ଘଟଣା ଘଟିଛି ତାକୁ ଭୁଲିଯାଇ ନୂଆ ରାସ୍ତାରେ ଚାଲିବୁ।”

ମେଣ୍ଟ ସରକାରକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏକ ସମନ୍ବୟ କମିଟି ଗଠନ କରାଯିବ ବୋଲି ଆଲୋଚନା ହେଉଛି। ଏହି କମିଟିରେ କଂଗ୍ରେସ ଏବଂ ଜେଡିଏସ୍‌ର କିଛି ନେତା ରହିବେ। କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କଂଗ୍ରେସରୁ କରାଯିବ।

କୁମାରସ୍ବାମୀ ଦିଲ୍ଲୀ ଗସ୍ତ ଅବସରରେ ବିଏସ୍‌ପି ନେତ୍ରୀ ମାୟାବତୀଙ୍କୁ ଭେଟିଛନ୍ତି। ତାଙ୍କ ଦଳର ଜଣେ ବିଧାୟକ ସମର୍ଥନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ମାୟାବତୀ, ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।

ୟେଦୁରପ୍ପା ଇସ୍ତଫା ଦେବା ପରେ ରାଜ୍ୟପାଳ ବାଜୁଭାଇ ବାଲା କଂଗ୍ରେସ-ଜେଡିଏସ୍‌ ମେଣ୍ଟର ନେତା କୁମାରସ୍ୱାମୀଙ୍କୁ ସରକାର ଗଠନ ପାଇଁ ଡାକିଛନ୍ତି। ସେ ବୁଧବାର ଦିନ ଶପଥ ନେବେ।

Comment