ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିଜର ଦମ୍ ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି ୩ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍। ତ୍ରିମୁଖୀ ପ୍ରତିଦ୍ଵନ୍ଦ୍ଵିତାରେ କିଏ ମାରିବ ବାଜି?

ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ। ଏଥିପାଇଁ ତାରିଖ ବି ଘୋଷଣା ହୋଇ ସାରିଛି। ଏଥର ନିର୍ବାଚନ ଜୋରଦାର ହେବା ନେଇ ଆକଳନ କରାଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ରେସରେ ରହିଛନ୍ତି ବିଜେପି, କଂଗ୍ରେସ ଏବଂ ଜେଡିଏସ୍। ମ୍ୟାଜିକ୍ ନମ୍ବର ୧୧୩ ଉପରେ ଏବେ ସମସ୍ତଙ୍କର ନଜର ରହିଛି।

କଂଗ୍ରେସ ସପକ୍ଷରେ ହାଓ୍ଵା ବହୁ ଥିଲେ ମଧ୍ୟ କିଛି ଓଲଟପାଲଟର ମଧ୍ୟ ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ। ସବୁଥର ଭଳି ଏଥର ନିର୍ବାଚନ ରେସ୍‌ରେ ବିଜେପି, କଂଗ୍ରେସ ଓ ଜେଡିଏସ୍ ପୂରା ଦମ୍‌ରେ ଲଢ଼ିବେ। କାରଣ କଂଗ୍ରେସ ପାଇଁ ଏହି ନିର୍ବାଚନ ଆତ୍ମବିଶ୍ଵାସ ଫେରିପାଇବାର ଏକ ବଡ଼ ସୁଯୋଗ। ବିଜେପି ପାଇଁ ଦକ୍ଷିଣରେ କର୍ଣ୍ଣାଟକ ଆତ୍ମସମ୍ମାନର ପ୍ରଶ୍ନ। ତ୍ରିମୁଖୀ ପ୍ରତିଦ୍ଵନ୍ଦ୍ଵିତାରେ ସବୁଥର ଭଳି ଫାଇଦା ନେବା ଅପେକ୍ଷାରେ ରହିଛି ଜେଡିଏସ୍।

ଜନମତ ସର୍ଭେ କଂଗ୍ରେସ ସପକ୍ଷରେ

ଜନମତ ସର୍ଭେ ରିପୋର୍ଟ ଅସ୍ପଷ୍ଟ ହେଲେ ବି କଂଗ୍ରେସ ସପକ୍ଷରେ ରହିଛି। ସରକାର ବିରୋଧୀ ଅନ୍ତଃସ୍ରୋତକୁ ଦୂର କରି ବହୁମତ ଜିତିବାର ଅନେକ ରେକର୍ଡ ବିଜେପି ସପକ୍ଷରେ ରହିଛି। କେତେକ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ କଂଗ୍ରେସ ସରକାର ନ କରିପାରିବାର ଅନେକ ଉଦାହରଣ ବିଗତ ୧୦ ବର୍ଷ ଭିତରେ ଦେଖିବାକୁ ମିଳିଛି। ତେଣୁ କର୍ଣ୍ଣାଟକ ନିର୍ବାଚନକୁ ନେଇ ଅନେକ ଆଶା ଓ ଆଶଙ୍କା ଦେଖାଦେଇଛି।

ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ  ପ୍ରକାଶ ପାଇବ। ଭୋଟରଙ୍କୁ ଆକର୍ଷିତ କରିବାକୁ ଲାଗି ପଡ଼ିଛନ୍ତି ସବୁ ଦଳ। କର୍ଣ୍ଣାଟକରେ ବିକାଶର ରାଜନୀତି ହୁଏ, ଏଠି ଜାତି ଆଧାରରେ ବି ପ୍ରାର୍ଥୀ ଚୟନ ଓ ମତଦାନ ହୁଏ। ସଚେତନ ଭୋଟର ଥିବାରୁ ନିରପେକ୍ଷ ଭୋଟିଂ ବି ହୁଏ। ଏ ସବୁକୁ ବାଦ ଦେଲେ କର୍ଣ୍ଣାଟକରେ ଗୋଟିଏ ବଡ଼ ଫ୍ୟାକ୍ଟର ହେଉଛି ଜନ ଅସନ୍ତୋଷ।

ମୁଖ୍ୟମନ୍ତ୍ରୀ ରେସ୍ରେ କିଏ?

କର୍ଣ୍ଣାଟକରେ ନିର୍ବାଚନ ନହେଉଣୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିର୍ବାଚନ ପ୍ରଚାରର ଆଗରେ ଅଛନ୍ତି ସିଦ୍ଧରମାୟା।

ସେହିପରି ବିଜେପିର ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି ବାସବରାଜ ବୋମାଇ। ବାସବରାଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚା ହେଉଛି। ଏହା ସହିତ ଜେଡିସ୍‌ର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ଏଚ୍‌ଡି କୁମାର ସ୍ଵାମୀ। ଏଚ୍‌ଡି କୁମାର ସ୍ଵାମୀ ମଧ୍ୟ ନାଟକୀୟ ଢଙ୍ଗରେ ଏକାଧିକ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

ଏଥର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କର୍ଣ୍ଣାଟକ ପ୍ରଚାରରେ ଯିବେ। ଏପଟେ ଲୋକସଭା ସଦସ୍ୟ ପଦ ହରାଇ ଅଡୁଆରେ ଥିବା ରାହୁଲ ଗାନ୍ଧୀ କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ସାମିଲ ହେବେ। କିନ୍ତୁ ଏଥର ଭୋଟର କାହାକୁ ଦେଖି ଭୋଟ୍ ଦେବେ ତାହା ସ୍ପଷ୍ଟ ହୋଇନାହିଁ। ସେଥିପାଇଁ ବିଭିନ୍ନ ଜନମତ ସର୍ଭେ ରିପୋର୍ଟରେ ଏହା ପ୍ରତିଫଳିତ ହୋଇଛି।

ଏଥର କର୍ଣ୍ଣାଟକରେ ଭୋଟରଙ୍କ ମୁଡ୍‌ ସ୍ପଷ୍ଟ ପ୍ରତିଫଳିତ ହେଉନାହିଁ। ତଥାପି ପୂର୍ବଥର ଭଳି ଏଥର ବି ଜାତି ରାଜନୀତିକୁ ରଣନୀତିରେ ଗୁରୁତ୍ଵ ଦେଇଛନ୍ତି ସବୁ ଦଳ। ବିଜେପି ଆଦିବାସୀ ହରିଜନ କୋଟା ବୃଦ୍ଧି ଓ ଲିଙ୍ଗାୟ, ଭୋକାଲିଗାସ ଜାତି ପାଇଁ ସ୍ଵତନ୍ତ୍ର କୋଟା ସୃଷ୍ଟି ଆଧାରରେ ଅନ୍ୟମାନଙ୍କଠାରୁ ଅଧିକ ଭୋଟ୍ ପାଇବ ବୋଲି ସମୀକରଣ ପ୍ରସ୍ତୁତ କରିଛି। ଅନ୍ୟପଟେ କଂଗ୍ରେସ ବି ସମାନ ରାସ୍ତାରେ ରହିଛି।

ଅନ୍ତଃକନ୍ଦଳ କଂଗ୍ରେସ ପାଇଁ ବଡ଼ ସଙ୍କଟ

ରାଜନୀତି ସମୀକ୍ଷକଙ୍କ ମତରେ ଏଠାରେ ଆଦିବାସୀ ହରିଜନ ଭୋଟର ଧ୍ରୁବୀକରଣ ହେବାର ଆଶଙ୍କା ନାହିଁ। ଆଦିବାସୀ ଓ ହରିଜନ ଭୋଟ୍ ଅଧା କଂଗ୍ରେସ ଓ ଅଧା ବିଜେପିକୁ ଯିବ। ଭୋକାଲିଗା ସମ୍ପ୍ରଦାୟର ଭୋଟ୍  ଜେଡିଏସ୍, ବିଜେପି ଓ କଂଗ୍ରେସ ମଧ୍ୟରେ ସମାନ ଭାବେ ଭାଗ ହେବ। କଂଗ୍ରେସ ନିଶ୍ଚିତ ଅଛି ଯେ କୁର୍ବା ଓ ମୁସଲିମ୍‌ ଭୋଟର ସବୁ ତା’ ଖାତାକୁ ଆସିବ। ଅନ୍ୟପଟେ ଲିଙ୍ଗାୟତ ଭୋଟ୍‌କୁ ନେଇ ବିଜେପି ବେଶୀ ଆଶାବାଦୀ ଅଛି। ଏହାବାଦ ମଲିକାର୍ଜୁନ ଖାର୍ଗେ କର୍ଣ୍ଣାଟକ କଂଗ୍ରେସରୁ ରାଜନୀତି ଆରମ୍ଭ କରି କଂଗ୍ରେସର ଜାତୀୟ ଅଧ୍ୟକ୍ଷ ହୋଇପାରିଛନ୍ତି। ତାଙ୍କ ଜାତିର ସମର୍ଥନ ମଧ୍ୟ ପାଇବାକୁ କଂଗ୍ରେସ ଆଶା ରଖିଛି। କିନ୍ତୁ ଅନ୍ତଃକନ୍ଦଳ କଂଗ୍ରେସ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି।

୪ ବର୍ଷର ଶାସନ ମଧ୍ୟରେ ବିଜେପି ସାଂଘାତିକ ଭାବେ ସରକାରୀ ବିରୋଧୀ ଅନ୍ତଃସ୍ରୋତର ସମ୍ମୁଖୀନ ହେଉଛି। କଂଗ୍ରେସ ମଧ୍ୟ ବିଜେପି ସରକାରର ଦୁର୍ନୀତିକୁ ପ୍ରମୁଖ ମୁଦ୍ଦା କରିଛି। ଏହା ବିଜେପିକୁ ଅଡୁଆରେ ପକାଉଥିବାରୁ କେନ୍ଦ୍ରୀୟ ବିଜେପି ବିଭିନ୍ନ କ୍ୟାମ୍ପେନ କରି କଂଗ୍ରେସକୁ ଅଡୁଆରେ ପକାଇବାକୁ ଚେଷ୍ଟା କରୁଛି। ଖାଲି ଦୁର୍ନୀତି ନୁହଁ, ବେରୋଜଗାରୀ, ଜଳ ବଣ୍ଟନ ବିବାଦର ସମାଧାନ ନ ହେବାକୁ କଂଗ୍ରେସ ତା’ର ପ୍ରମୁଖ ମୁଦ୍ଦାରେ ରଖିଛି।

ବିଜେପି ପାଇଁ ଏକ ଆଶ୍ଵସ୍ତିର କଥା ହେଲା, ଗୁଜରାଟରେ ସରକାର ବିରୋଧୀ ଅନ୍ତଃସ୍ରୋତ ବହିଥିଲେ ମଧ୍ୟ ବିଜେପି ଏକ୍ ହୋଇ ଏହାକୁ ଅଟକାଇବାରେ ସଫଳ ହୋଇଥିଲା। ତେଣୁ ଏଠାରେ ମଧ୍ୟ ଏହାକୁ ଅଟକାଇବାରେ ସଫଳ ହେବ ବୋଲି ବିଜେପି ଆଶା କରିଛି। ତଥାପି ଏକାଧିକ ପ୍ରସଂଗରେ ବିଜେପିକୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜନୀତି ସମୀକ୍ଷକମାନେ ଆଶଙ୍କା କରୁଛନ୍ତି। କିନ୍ତୁ ଏହାର ଫାଇଦା କଂଗ୍ରେସ କେତେ ନେବ, ଜେଡିଏସ୍ ଖାତାକୁ କେତେ ଯିବ ତାହା ଏବେଠାରୁ ଆକଳନ କରିବା  କଷ୍ଟକର।

ଏଥର ନିର୍ବାଚନର ବଡ଼ ପ୍ରସଂଗ ହେବ ‘ଦୁର୍ନୀତି’

ଏଥର ନିର୍ବାଚନର ସବୁଠାରୁ ବଡ଼ ପ୍ରସଂଗ ହେବ ‘ଦୁର୍ନୀତି’। ଏନେଇ ଭୋଟରମାନେ ବିଭିନ୍ନ ଜନମତ ସର୍ଭେରେ ଭାଗ ନେଇ ଉଲ୍ଲେଖ କରିଛନ୍ତି।

ନିକଟରେ ବିଜେପି ବିଧାୟକ ଏମ୍ ବିରୁପାକ୍ଷପା ଓ ତାଙ୍କ ପୁଅ ଗିରଫ ହେବା ପରେ ଏହା ବିଜେପିର ଛବିକୁ ଖରାପ କରିଛି। ଏକାଧିକ ଦୁର୍ନୀତି ପ୍ରସଂଗରେ କଂଗ୍ରେସ ଶାଣିତ ଆକ୍ରମଣ କରିବାରେ ଲାଗି ପଡ଼ିଛି। ବିଜେପି ମଧ୍ୟ କଂଗ୍ରେସର ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିକୁ ପ୍ରସଂଗ କରିଛି। ସେମିତି ଜେଡିଏସ୍ ଉଭୟଙ୍କର ଦୁର୍ନୀତିକୁ ନେଇ ପ୍ରଚାର କରୁଛି।

ଉତ୍ତର ଭାରତର ରାଜ୍ୟଗୁଡ଼ିକ ପରି ଜାତି ଆଧାରରେ ଭୋଟ କର୍ଣ୍ଣାଟକରେ ଚାଲେ। ନିକଟରେ ସରକାର ଓବିସି କୋଟାରେ ମୁସଲିମଙ୍କୁ ମିଳୁଥିବା ୪ ପ୍ରତିଶତ ସଂରକ୍ଷଣକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସମାନ ଭାବରେ ଭୋକ୍କାଲିଗା ଓ ଲିଙ୍ଗାୟତ ସମ୍ପ୍ରଦାୟ ମଧ୍ୟରେ ବାଣ୍ଟିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଅନୁସୂଚିତ ଜାତି କୋଟାରେ ବିଭିନ୍ନ ଦଳିତ ଜାତି ପାଇଁ ଅଲଗା ଅଲଗା ସ୍ଵତନ୍ତ୍ର ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ନେବା ବିଭିନ୍ନ ଦଳିତ ଜାତିଙ୍କୁ ଅସନ୍ତୁଷ୍ଟ କରିବାର ଆଶଙ୍କା ସୃଷ୍ଟି ହୋଇଛି।

ବିକାଶ ମୁଦ୍ଦାରେ ମୋଦୀ ସରକାରଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା, ଏହାକୁ ରାଜ୍ୟସ୍ତରରେ କାର୍ଯ୍ୟକାରିତାକୁ ବିଜେପି ପ୍ରସଂଗ କରିଥିବାବେଳେ, ଅତୀତରେ କଂଗ୍ରେସ ଓ ଜେଡିଏସ୍ ସେମାନଙ୍କ ସରକାର ସମୟରେ କରିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଯୋଜନାକୁ ନେଇ ଭୋଟ ମାଗୁଛନ୍ତି।

ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ନେଇ କର୍ଣ୍ଣାଟକ ଜନତା ତାତିଛନ୍ତି। ଏହାକୁ ମଧ୍ୟ କଂଗ୍ରେସ ଓ ଜେଡିଏସ୍ ମୁଖ୍ୟ ପ୍ରସଂଗ କରିଛନ୍ତି। ବିଶେଷ କରି ରନ୍ଧନ ଗ୍ୟାସ ଓ ପେଟ୍ରୋଲିୟମର ଅତ୍ୟଧିକ ମୂଲ୍ୟବୃଦ୍ଧି ଲୋକଙ୍କୁ ଅସୁବିଧାରେ ପକାଉଛି। ଏହାର ଫାଇଦା ନେବା ପାଇଁ ଉଭୟ ଜେଡିଏସ୍ ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି।

ଭୋଟରଙ୍କ ପାଇଁ ମନଲୋଭା ନିର୍ବାଚନୀ ପ୍ରତିଶ୍ରୁତି

ଅନ୍ୟ ରାଜ୍ୟ ନିର୍ବାଚନ ପରି ଏଠାରେ ମଧ୍ୟ ନିର୍ବାଚନୀ ପ୍ରତିଶ୍ରୁତିରେ ଫସିଯାଆନ୍ତି ଭୋଟର। ତେଣୁ ମନଲୋଭା ନିର୍ବାଚନୀ ପ୍ରତିଶ୍ରୁତି କିଛି ମାତ୍ରାରେ ଭୋଟକୁ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯିଏ ଯେତେ ପ୍ରଭାବଶାଳୀ ପ୍ରତିଶ୍ରୁତି ଦେଇପାରିବ, ତା’ ସପକ୍ଷରେ ସେତେ ଅଧିକ ଭୋଟ୍ ଯିବ ବୋଲି କର୍ଣ୍ଣାଟକର ନେତା ଆରମ୍ଭରୁ ହିଁ ବିଚାର କରିଆସିଛନ୍ତି।

କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ମିଳିଛି ସଫଳତା

କର୍ଣ୍ଣାଟକରେ ଦଳବଦଳ ପାଇଁ ସରକାର ବଦଳିବା କିଛି ନୂଆ କଥା ନୁହେଁ। ଗତଥର ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତା ମିଳିଥିଲା। କିନ୍ତୁ ନିର୍ବାଚନୀ ପରବର୍ତ୍ତୀ ମେଣ୍ଟ କରିଥିବା କଂଗ୍ରେସ ଓ ଜେଡିଏସ୍‌କୁ ସ୍ପଷ୍ଟ ବହୁମତ ମିଳିଥିଲା। ରାଜ୍ୟପାଳ ୧୦୪ ଆସନ ଜିତିଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ବିଏସ୍ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିବାଦୀୟ ଭାବେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ ପ୍ରଥମେ ରାଜ୍ୟପାଳ ୧୫ ଦିନ ସମୟ ଦେଇଥିଲେ। କିନ୍ତୁ କଂଗ୍ରେସ ଓ ଜେଡିଏସ୍‌ର ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଆସ୍ଥା ପ୍ରମାଣ ପାଇଁ ୩ ଦିନ ସମୟ ମିଳିଥିଲା। କିନ୍ତୁ ଆସ୍ଥା ଭୋଟର ୧୦ ମିନିଟ ପୂର୍ବରୁ ୟେଦିୟୁରପ୍ପା ଇସ୍ତଫା ଦେଇ ଦେଇଥିଲେ।

ଏହା ପରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର କରିଥିଲା। ଏଥିରେ କୁମାର ସ୍ଵାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୪ ମାସ ପରେ ମେଣ୍ଟ ଆରମ୍ଭରୁ ହୋଇଥିବା କନ୍ଦଳ ଚରମ ରୂପ ନେଇଥିଲା। ମେଣ୍ଟର ୧୬ ବିଧାୟକ ଇସ୍ତଫା ଦେବା ସହ ଦୁଇ ସ୍ଵାଧୀନ ବିଧାୟକ ବିଜେପିକୁ ସମର୍ଥନ କରିଥିଲେ। ଫଳରେ ମ୍ୟାଜିକ ନମ୍ବର ୧୧୩ରୁ ୧୦୫କୁ ଖସି ଆସିଥିଲା। ଆସ୍ଥା ଭୋଟରେ ମେଣ୍ଟକୁ ୧୦୧ ଓ ବିଜେପିକୁ ୧୦୭ ବିଧାୟକଙ୍କ ସମର୍ଥନ ମିଳିଥିଲା।

ଉଭୟ କଂଗ୍ରେସ ଓ ବିଜେପି ପାଇଁ କର୍ଣ୍ଣାଟକ ଜିତିବା ଜରୁରୀ। କଂଗ୍ରେସ ପାଇଁ ଆତ୍ମସମ୍ମାନ ଓ ଆତ୍ମବିଶ୍ଵାସର ପ୍ରଶ୍ନ। ବିଜେପି ପାଖରେ ଥିବା ଏକ ମାତ୍ର ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକ। କର୍ଣ୍ଣାଟକ ହାତରୁ ଚାଲିଗଲେ ଦକ୍ଷିଣରୁ ବିଜେପିର ଦବଦବା ଶେଷ ହୋଇଯିବ।

ଉଭୟ ରଣନୀତି ଓ ରାଜନୀତି ଦୃଷ୍ଟିରୁ କର୍ଣ୍ଣାଟକ ଶାସନ କ୍ଷମତା ବଜାୟ ରଖିବା ବିଜେପି ପାଇଁ ଜରୁରୀ। ସାଧାରଣ ନିର୍ବାଚନ ବେଳେ ଦକ୍ଷିଣକୁ ଜଗିବା ପାଇଁ ବେଙ୍ଗାଳୁରୁ ହିଁ ପ୍ରକୃଷ୍ଟ ସ୍ଥାନ। କାରଣ ସରକାରରେ ଥିବା ଦଳକୁ ଯେ କୌଣସି ନିର୍ବାଚନ ଲଢ଼ିବା ଅପେକ୍ଷାକୃତ ସହଜ ହୋଇଥାଏ।

Tags: #Politics #IndianPolitics #KarnatakPolitics #Election #KarnatakAssemblyElection #BJP #Congress #JDS

Comment