ପାଦ ତଳେ ମାଟି ଓ ମୁଣ୍ଡ ଉପରେ ଛାତ – ଏହା ମଣିଷର ଏକ ମୌଳିକ ଆବଶ୍ୟକତା। କିନ୍ତୁ ଏହି ସର୍ବନିମ୍ନ ଆବଶ୍ୟକତା ବସ୍ତିବାସିନ୍ଦାଙ୍କ ଭାଗ୍ୟରେ ଯୁଟୁନଥିଲା। ଯଦିଓ ଗୋଟିଏ ସହରକୁ ଗଢ଼ିତୋଳିବାରେ ଏଇମାନେ ଶ୍ରମ ଓ ସ୍ୱେଦ ଦେଇଥାନ୍ତି ଅସଲରେ ସହର ବଢ଼ିଗଲା ବେଳକୁ ପ୍ରଥମେ ଏମାନଙ୍କୁ ହିଁ ଉଚ୍ଛେଦର ଶିକାର ହେବାକୁ ପଡ଼ିଥାଏ। ବାସହରା ବସ୍ତିବାସିନ୍ଦା ସହରର ଗୋଟିଏ ସ୍ଥାନ ଛାଡ଼ି ପୁଣି ଆଉ କୌଣସି ଏକ ସ୍ଥାନରେ ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ କରିଥାନ୍ତି। ଏହି ସଂଘର୍ଷର ଯେପରି ଶେଷ ନଥାଏ! କିନ୍ତୁ ଓଡ଼ିଶାରେ ଏହି ଚିତ୍ର ବଦଳିବାକୁ ଯାଉଛି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କ ବସ୍ତିକୁ ସମ୍ପୂର୍ଣ୍ଣ ବସତି ଉପଯୋଗୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଏକ ନବୀନ ଚିନ୍ତା।

ନିକଟରେ ଗଞ୍ଜାମର ଛତ୍ରପୁରଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦୦୦ ବସ୍ତିବାସିନ୍ଦାଙ୍କୁ ବାସ ଉପଯୋଗୀ ଜମିପଟା ପ୍ରଦାନକରି ଏକ ଐତିହାସିକ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ‘ଜାଗା’ ଯୋଜନା ଅଧୀନରେ ଆରମ୍ଭ ହୋଇଥିବା ଏହି ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ପ୍ରାୟ ୨୫୦୦ ବସ୍ତିର ୧୦ ଲକ୍ଷରୁ ଅଧିକ ବାସିନ୍ଦା ସେମାନଙ୍କର ସ୍ଥାୟୀ ଠିକଣା ପାଇବେ। କେବଳ ସେତିକି ନୁହେଁ, ଏହି ଯୋଜନା ବିଶ୍ୱର ସର୍ବବହୃତ ବସ୍ତି ଜମି ଅଧିକାର ପ୍ରଦାନ ପ୍ରକଳ୍ପର ରୂପ ନେଇ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି।

ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ନା ସଶକ୍ତ କରିବା? ଏହି ପ୍ରଶ୍ନର ଏକ ଐତିହାସିକ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଭାଷାରେ: “ଆମେ ସେମାନଙ୍କୁ ଜମି ଅଧିକାର ପ୍ରଦାନ କରି ସଶକ୍ତ କରିବା ପାଇଁ ନିର୍ଣ୍ଣୟ କଲୁ।” ବାସ୍ତବିକ ଏହା ଏକ ଐତିହାସିକ ଯୋଜନା ଏବଂ ଏହାର ସୁଦୂର ପ୍ରସାରୀ ଫଳ ସମାଜର ଅନଗ୍ରସର ବର୍ଗର ଅନେକ ପରିବାରକୁ ମିଳିବ। ବାସ ସୁରକ୍ଷା କ୍ଷେତ୍ରରେ ନବୀନଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଗୋଟିଏ ରାଜ୍ୟର ନାଗରିକମାନଙ୍କ ବିିକାଶ ପାଇଁ ସରକାର ବା ପ୍ରଶାସନ କ’ଣ କରିପାରେ ତା’ର ଏକ ତାଜା ନମୁନା।

ଏହି ଐତିହାସିକ ବସ୍ତି ଜମି ଅଧିକାର ପ୍ରଦାନ ପ୍ରକଳ୍ପକୁ ସଫଳ ରୂପ ଦେବା ପାଇଁ ରାଜ୍ୟ ସରକାର ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କ ସହଯୋଗ ନେଇଛନ୍ତି। ସେହିପରି ଏହା ପଛରେ ରହିଛି ପୃଥିବୀର ଅନ୍ୟତମ ଜଣାଶୁଣା ସ୍ଥପତି ତଥା ନର୍ମାନ୍ ଫଷ୍ଟର ଫାଉଣ୍ଡେସନର ସଭାପତି ଲର୍ଡ ନର୍ମାନ୍ ଫଷ୍ଟରଙ୍କ ବୈଷୟିକ ସହଯୋଗ। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ କିଭଳି ଉନ୍ନତ ମାନର ଘର ଯୋଗାଇ ଦିଆଯାଇପାରିବ ସେ ବାବଦରେ କାମ ଆରମ୍ଭ ହୋଇଛି। ବସ୍ତିବାସିନ୍ଦାମାନେ ଆଉ ଅପରିଷ୍କାର ବା ଅସ୍ୱାସ୍ଥ୍ୟକର ପରିବେଶରେ ନ ରହି କିଭଳି ଏକ ସୁସ୍ଥ ଜୀବନ ବିତାଇପାରିବେ ଏହି ଐତିହାସିକ ‘ଜାଗା’ ଯୋଜନା ସେ ଦିଗରେ ଏକ ବରଦାନ ହେବାକୁ ଯାଉଛି।

ଜବରଦଖଲକାରୀ ଭାବରେ ସାଧାରଣରେ ପରିଚିତ ବସ୍ତିବାସିନ୍ଦାମାନଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା  ସରକାରର ପ୍ରାଥମିକତା ବୋଲି ନବୀନ ଘୋଷଣା କରିଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୧ ବର୍ଷ ମଧ୍ୟରେ ରାଜ୍ୟର ୨୫୦୦ ସହରାଞ୍ଚଳ ବସ୍ତିରେ ରହୁଥିବା ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ଆଗେଇ ଆସିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ।

ବସ୍ତିବାସିନ୍ଦାଙ୍କୁ ବାସ ଉପଯୋଗୀ ଜମି ଅଧିକାର ପ୍ରଦାନ ପ୍ରକ୍ରିୟାର ଏହାର ଆରମ୍ଭ ମାତ୍ର। ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସୁଲଭ ଦରରେ ଗୃହ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ତେଣୁ କେବଳ ବସ୍ତିବାସିନ୍ଦାଙ୍କୁ ବାସ ଉପଯୋଗୀ ଜମି ମିଳୁନାହିଁ ବରଂ ସେମାନଙ୍କ ସ୍ୱପ୍ନର ଘର ସତ ହେବାକୁ ଯାଉଛି। ତା’ ସହିତ ବସ୍ତିକୁ ଉପଯୁକ୍ତ ବସତିରେ ପରିଣତ କରିବା ପାଇଁ ଆବଶ୍ୟକ ଆନୁସଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି କରି ସରକାର ସମାଜର ଏହି ବର୍ଗର ମଣିଷଙ୍କ ଜୀବନଧାରଣ ମାନରେ ଆଖିଦୃଶିଆ ଉନ୍ନତି ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସହରାଞ୍ଚଳର ବସ୍ତିରେ ବାସ କରୁଥିବା ଗରିବ ଲୋକମାନେ ଯେଉଁ ଜମି ଅଧିକାର ପାଇବେ ତାହା ବଂଶାନୁକ୍ରମିକ ପ୍ରାପ୍ତ ହେବ। ଏହାକୁ ବନ୍ଧକ ରଖି ସେମାନେ ଗୃହ ଋଣ ମଧ୍ୟ ନେଇପାରିବେ। ତେବେ ଏହି ଜମି ଅଧିକାର ହସ୍ତାନ୍ତରଯୋଗ୍ୟ ନୁହେଁ। ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ବିଜ୍ଞାପିତ ଅଞ୍ଚଳରେ ସର୍ବାଧିକ ୬୪୬ ବର୍ଗଫୁଟ ଏବଂ ପୌରପରିଷଦ ଅଞ୍ଚଳରେ ସର୍ବାଧିକ ୪୮୪ ବର୍ଗଫୁଟ ଜାଗା ପ୍ରଦାନ କରାଯିବ। ଯଦି ସେମାନେ ରହୁଥିବା ବସ୍ତି ବାସୋପଯାଗୀ ନୁହେଁ ତେବେ ସର୍ବାଧିକ ସ୍ଥାନାନ୍ତର ସମୟରେ ପ୍ରତ୍ୟେକ ବାସିନ୍ଦା ସର୍ବାଧିକ ୩୨୩ ବର୍ଗଫୁଟ ଜମି ପାଇବେ। କେବଳ ସେତିକି ନୁହେଁ ବସ୍ତିବାସିନ୍ଦାମାନଙ୍କର ସହମତି ଭିତ୍ତିରେ ସ୍ଥାନାନ୍ତର କରାଯିବ ବୋଲି ଏହି ଯୋଜନାରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ସମାଜର ଆର୍ଥିକ ଅନଗ୍ରସର, ପଛୁଆ ଏବଂ ଅସହାୟ ବର୍ଗର ଲୋକଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ ବିକାଶ ଉପରେ ମୂଳରୁ ଜୋର୍ ଦେଇଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଖାଦ୍ୟ ସୁରକ୍ଷା, ବାସ ସୁରକ୍ଷା, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରି ନବୀନଙ୍କ ସରକାର ଏହାର ଲୋକପ୍ରିୟତାକୁ ଅତୁଟ ରଖିପାରିଛନ୍ତି।

(ସୌଜନ୍ୟ: ପ୍ରମେୟ)

Comment