ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗୋଟିଏ ନିର୍ମାଣଧୀନ ଘରକୁ ଦେଖି ଚମତ୍କାର ରୋମାଣ୍ଟିକ୍ ଗୀତଟିଏ ଲେଖିଥିଲେ ବଲିଉଡର ସୁପ୍ରସିଦ୍ଧ ଗୀତିକାର ଆନନ୍ଦ ବକ୍ସି।

ଏବେ ଆସନ୍ତୁ ମନେପକାଇବା ସେହି ୪୨ ବର୍ଷ ତଳର ଲୋକପ୍ରିୟ ରୋମାଣ୍ଟିକ୍ ଗୀତ ପଛର କଥା…।

ବଲିଉଡର ସୋ’ ମ୍ୟାନ୍ ରାଜ କପୁରଙ୍କ ଫିଲ୍ମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଏହାର ସଙ୍ଗୀତ। ସେ ପ୍ରତିଟି ଫିଲ୍ମରେ ଶ୍ରୁତିମଧୁର ସଙ୍ଗୀତ ଉପରେ ଗୁରୁତ୍ୱ ଦେଇଛନ୍ତି। ‘ବବି’ ଫିଲ୍ମ ନିର୍ମାଣ ବେଳକୁ ଶଙ୍କର-ଜୟକିଶାନ ଯୋଡ଼ି ଭାଙ୍ଗି ଯାଇଥିଲା। ସେ ‘ବବି’ ପୂର୍ବରୁ ଯେତେ ଫିଲ୍ମ ତିଆରି କରିଥିଲେ ସବୁଥିରେ ଶଙ୍କର-ଜୟକିଶାନ୍ ହିଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ଯୋଡ଼ିଙ୍କ ସ୍ଥାନରେ ସେ କାହାକୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନେବେ, ସେଥିନେଇ ଚିନ୍ତିତ ହୋଇପଡ଼ିଥିଲେ ସୋ’ ମ୍ୟାନ୍। ସେ ଏ ପ୍ରସଙ୍ଗରେ ନିଜର ଅନ୍ତରଙ୍ଗ ବନ୍ଧୁ ତଥା କଣ୍ଠଶିଳ୍ପୀ ମୁକେଶଙ୍କ ସହିତ ବିଚାରବିମର୍ଶ କଲେ। ମୁକେଶ ରାଜ୍ କପୁରଙ୍କୁ ସେ ସମୟରେ ଲୋକପ୍ରିୟ ସଙ୍ଗୀତକାର ଯୋଡ଼ି ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କୁ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ଵ ଦେବାକୁ ପରାମର୍ଶ ଦେଲେ।

ସୋ’ ମ୍ୟାନ୍ ମଧ୍ୟ ମୁକେଶଙ୍କ ପରାମର୍ଶରେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କୁ ନିଜ ଆରକେ ଷ୍ଟୁଡିଓକୁ ଡକାଇ ପଠାଇଲେ। ସେତେବେଳକୁ ଏହି ଯୋଡ଼ି ରାଜ କପୁରଙ୍କ ଭଳି ଟପ୍ ମେକରଙ୍କ ଅଫର୍ ପାଇଁ ଯେତିକି ଖୁସି କରିଥିଲେ, ସେତିକି ସତର୍କ ବି ହୋଇଥିଲେ। କାରଣ ସେ ଦୁହେଁ ଜାଣି ଥିଲେ ଯେ ରାଜ୍ ସାହେବଙ୍କ ମ୍ୟୁଜିକ୍ ସେନ୍ସ ଖୁବ୍ ଭଲ ଏବଂ ଭଲ ଟିଉନ୍ ଓ ଲିରିକ୍ସ ନ ହେଲେ ରାଜ୍‌ କପୁର ସନ୍ତୁଷ୍ଟ ହେବେନି। ଏଦୃଷ୍ଟିରୁ ଏହା ଲକ୍ଷ୍ମୀ-ପ୍ୟାରେଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ହୋଇଯାଇଥିଲା।

ରାଜ କପୁରଙ୍କଠାରୁ ଆମନ୍ତ୍ରଣ ପାଇବା ମାତ୍ରେ ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ରସିଦ୍ଧ ଗୀତିକାର ଆନନ୍ଦବକ୍ସିଙ୍କୁ ଫୋନ୍ କରି ତାଙ୍କ ପାଖକୁ ଡକାଇ ପଠାଇଲେ। ଆନନ୍ଦ ବକ୍ସି ଯେଉଁ ସମୟରେ ଲକ୍ଷ୍ମୀକାନ୍ତଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ଲକ୍ଷ୍ମୀକାନ୍ତ ‘ଜୁହୁ’ରେ ତାଙ୍କର ନିର୍ମାଣାଧୀନ ବଙ୍ଗଳାରେ ଥିଲେ। ସେଠି ଆନନ୍ଦବକ୍ସି ପହଞ୍ଚିବା ପରେ ଲକ୍ଷ୍ମୀକାନ୍ତ ନିଜ ଘର ବୁଲାଇ ଦେଖାଉ ଦେଖାଉ କହିଲେ ଯେ ରାଜ କପୁର ସେମାନଙ୍କୁ ତାଙ୍କ ପରବର୍ତ୍ତୀ ଫିଲ୍ମ ‘ବବି’ର ମ୍ୟୁଜିକ୍ ଡିରେକ୍ସନର ଅଫର୍ ଦେଇଛନ୍ତି। ଏଦୃଷ୍ଟିରୁ ରାଜ୍ ସାହେବଙ୍କ ପାଖକୁ ଖାଲିହାତରେ ନ ଯାଇ ଏକ ରେଡିମେଡ୍ ଗୀତ ତିଆରି କରି ନେବା ଭଲ ହେବ ବୋଲି କହିଥିଲେ ଲକ୍ଷ୍ମୀକାନ୍ତ। ଆନନ୍ଦବକ୍ସି ବି ସେତେବେଳକୁ ପଚିଶିରୁ ଅଧିକ ଗୀତ ଲେଖିଲେଣି, ହେଲେ ଆରକେ ବ୍ୟାନର ବା ରାଜକପୁରଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାମ କରିବାର ସୁଯୋଗ ପାଇନଥିଲେ। ଠିକ୍ ସେଭଳି ଅବସ୍ଥା ଥିଲା ଲକ୍ଷ୍ମୀ-ପ୍ୟାରେ ଯୋଡ଼ିଙ୍କର। ରାଜ୍ ସାହେବଙ୍କ ଅଫରକୁ ହାତେଇବା ପାଇଁ ହେଲେ ସୋ’ ମ୍ୟାନ୍‌ଙ୍କୁ ଇଂପ୍ରେସ କରିବାକୁ ପଡ଼ିବ,ଏ କଥା ଏମାନେ ହୃଦୟଙ୍ଗମ କରିଲେ।

କଥାବାର୍ତ୍ତା ଭିତରେ ଗୀତିକାର ଆନନ୍ଦ ବକ୍ସି ଲକ୍ଷ୍ମୀକାନ୍ତଙ୍କ ଶାନ୍‌ଦାର ବଙ୍ଗଳା ବୁଲିସାରିଥିଲେ। ତା’ପରେ ଆନନ୍ଦ ବକ୍ସି କହିଥିଲେ ଆପଣଙ୍କ ଘର ତ ଏକ ‘ଭୁଲ୍ ଭୁଲେୟା’ ଭଳି ଲାଗୁଛି। ସେତେବେଳକୁ ‘ବବି’  ଫିଲ୍ମର ନାୟକ କି ନାୟିକାର ନାଆଁ ତା’ ବି ଜଣାନଥିଲା ଆନନ୍ଦବକ୍ସିଙ୍କୁ। ଏଣେ ସିକ୍ଵେନ୍ସ ବି ଦିଆଯାଇନଥିଲା। ଯା’ ହେଉ ଗୀତିକାର ରାଜ୍‌ଙ୍କ ହୃଦୟ ଜିଣିବା ପାଇଁ ସନ୍ଧ୍ୟାରେ ମାନସିକ କସରତ ଆରମ୍ଭ କରିଲେ ଓ କଲମ ଧରି ଗୀତ ଲେଖିବାକୁ ବସିଲେ। କ’ଣ ଲେଖିବେ ବୋଲି ଭାବୁ ଭାବୁ ତିନି ଘଣ୍ଟା ବିତିଗଲା। ଘରେ ପତ୍ନୀ ଡିନର୍ କରିବାକୁ ଡାକିଲେ, ସେ ମନା କରିଲେ। ତା’ପରେ ତାଙ୍କ ଆଖିଆଗରେ ନାଚିଉଠିଲା ଲକ୍ଷ୍ମୀକାନ୍ତଙ୍କ ନିର୍ମାଣଧୀନ ବଙ୍ଗଳାର ରୁମ୍‌ଗୁଡ଼ିକ। ସେଇଠୁଁ ସେ ପ୍ରଥମେ ଲେଖିଥିଲେ, ତେରେ ନୈନୋଁ କୀ ଭୁଲ ଭୁଲେୟା ମେଁ ବବି ଖୋ ଜାୟେ…। ଆନନ୍ଦବକ୍ସି ସେହି ଘରକୁ ଦେଖି ‘ଭୁଲ୍ ଭୁଲେୟା’ ବୋଲି କହିଥିଲେ। ଏହାକୁ ମନେ ପକାଇ ଏହା ଲେଖିଥିଲେ। ତା’ପରେ ଘୋଷା ପଦପୂରଣ କରିବା ଲାଗି ବଡ଼ କଷ୍ଟରେ ଲେଖିଥିଲେ ହମ୍ ତୁମ୍ ଏକ୍ କମ୍‌ରେ ମେଁ ବନ୍ଦ ହୋ ଔର୍ ଚାବି ଖୋଜାୟେ। ‘ବବି’ ସହିତ ପଦ ପୂରଣ ଲାଗି ‘ଚାବି’ ଶବ୍ଦ ମ୍ୟାଚ୍ କରିବ ବୋଲି ମନସ୍ଥ କରି ଏହି ଗୀତର ଘୋଷାପଦ ଲେଖିଥିଲେ।

ମୁଖୁଡ଼ା ପ୍ରସ୍ତୁତି ହେବା ପରେ ରାତିସାରା ପରିଶ୍ରମ କରି ଲେଖି ଲେଖି ଗୀତର ତିନିଟି ଅନ୍ତରାପଦ ଲେଖିଦେଲେ। ତା’ପର ଦିନ ଆନନ୍ଦବକ୍ସି ଗୀତଟିକୁ ଧରି ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ପାଖରେ ପହଞ୍ଚିଲେ। ସଙ୍ଗୀତକାର ଯୋଡ଼ି ମଧ୍ୟ ହାର୍‌ମୋନିୟମ୍ ଧରି ଗୀତର ଟିଉନ୍ କରିଦେଲେ। ତା’ପରେ ସଙ୍ଗୀତକାର ଯୋଡ଼ି, ଗୀତିକାର ଆନନ୍ଦବକ୍ସିକୁ ଧରି ସୋ ମ୍ୟାନ୍ ରାଜ୍‌ କପୁରଙ୍କୁ ଭେଟିଲେ। ସୋ ମ୍ୟାନ୍ ତାଙ୍କ ଫିଲ୍ମର କାହାଣୀ ଶୁଣାଇବା ପରେ ସଙ୍ଗୀତକାର ଲକ୍ଷ୍ମୀକାନ୍ତ ଗୋଟିଏ ଗୀତ ଶୁଣାଇବାକୁ ଚାହିଁଲେ । ରାଜ୍‌ ଅନୁମତି ଦେବା ପରେ ହମ୍ ତୁମ୍ ଏକ କମରେ ମେଁ ବନ୍ଦ ହୋ… ଗୀତଟି ଶୁଣାଇଲେ। ରାଜ୍ କପୁରଙ୍କୁ ଏହା ଖୁବ୍ ଭଲ ଲାଗିଲା।

ଏହିପରି ଭାବେ ‘ହମ୍ ତୁମ୍ ଏକ କମ୍‌ରେ ମେଁ ବନ୍ଦ ହୋ ଔର ଚାବି ଖୋ ଜାୟେ…’ ଗୀତଟି ପ୍ରସ୍ତୁତ ହୋଇଥିଲା। ଏଥିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର ଓ ଶୈଳେନ୍ଦ୍ର ସିଂହ।

Comment