ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏଭଳି ଅନେକ ସିନେମା ନିର୍ମିତ ହୋଇଛି, ଯାହା କେବଳ କାହାଣୀ ବା ସଙ୍ଗୀତ ପାଇଁ ନୁହେଁ, ବରଂ ସୁଟିଂ ସେଟ୍ ପାଇଁ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା କେଉଁ ବଲିଉଡ ମୁଭିରେ ସବୁଠାରୁ ଦାମିକା ସେଟ୍ ଲଗାଯାଇଥିଲା।

‘ମୁଗଲେ ଆଜମ୍’ର ଶୀଶ୍ ମହଲ

୧୯୬୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମୁଗଲେ ଆଜମ୍’ର ଏକ ଗୀତ ହେଲା- “ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା…। ଲାହୋର ଦୁର୍ଗର ଶୀଶ ମହଲକୁ ନଜର ରଖାଯାଇ ଏକ ଭବ୍ୟ ସେଟ୍‌ରେ ଏହାର ସୁଟିଂ ହୋଇଥିଲା। କୁହାଯାଏ ଯେ ଏହି ମୂଲ୍ୟବାନ୍ ସେଟ୍ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିପାଇଁ ପ୍ରାୟ ଦୁଇ ବର୍ଷ ସମୟ ମଧ୍ୟ ଲାଗିଥିଲା।     ‘ଦେବଦାସ୍’ରେ ଚନ୍ଦ୍ରମୁଖୀର କୋଠା

ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଅଧିକାଂଶ ସିନେମାରେ ମୂଲ୍ୟବାନ୍ ସେଟ୍ ତିଆରି କରାଇଥାନ୍ତି। ସେ ‘ଦେବଦାସ୍’ରେ ଚନ୍ଦ୍ରମୁଖୀର ଯେଉଁ କୋଠା ଦେଖାଇଥିଲେ, ତାରସେଟ୍ ନିର୍ମାଣ ଲାଗି ୧୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଯୋଧା ଆକ୍‌ବର

ଜଣାଶୁଣା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକଙ୍କର ଏକ ଚର୍ଚ୍ଚିତ ସିନେମା ହେଲା ‘ଯୋଧା ଆକବର୍‌’। ଏହି ଫିଲ୍ମରେ ଅନେକଗୁଡ଼ିଏ  ମୂଲ୍ୟବାନ ସେଟ୍ ଦେଖିବାକୁ ମିଳିଥିଲା।

ବମ୍ବେ ଭେଲଭେଟ୍

ଅନୁରାଗ କାଶ୍ୟପଙ୍କ ‘ବମ୍ବେ ଭେଲଭେଟ୍’ରେ ସାଢ଼େ ନଅ ଏକର ଜମି ଉପରେ ଷାଠିଏ ଦଶକର ବମ୍ବେ ସହରର ସେଟ୍ ତିଆରି ହୋଇଥିଲା। ଏହି ସେଟ୍ ନିର୍ମାଣ ପାଇଁ ପ୍ରାୟ ଏଗାର ମାସ ସମୟ ଲାଗିଥିଲା।

‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’

ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ଆଇନା ମହଲର ସେଟ୍ ତିଆରି କରାଯାଇଥିଲା। ଏଥିରେ ୨୦ ହଜାର ଡିଜାଇନ ମିରର୍ ଲଗାଯାଇଥିଲା। ଠିକ୍ ସେହିପରି ଭଂସାଲୀ ‘ପଦ୍ମାବତ୍’ରେ ଚିତ୍ତୋର ଦୁର୍ଗର ସେଟ୍ ପାଇଁ ବି ବିପୁଳ ଅର୍ଥ ବ୍ୟୟ କରିଥିଲେ ବୋଲି କୁହାଯାଏ।

ସାରିୟା

ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ସବୁଠାରୁ ଫ୍ଲପ୍ ସିନେମା ହେଲା ‘ସାୱରିୟା’ ଏଥିରେ କିନ୍ତୁ ନୂଆ ଟାଇପ୍‌ର ସେଟ୍‌ର ନିର୍ମାଣ କରାଇଥିଲେ, ଏହି ସେଟ୍‌ ପାଇଁ ଫିଲ୍ମ ଚର୍ଚ୍ଚାର ବିଷୟ ବନିଥିଲା। ଏହି ଭବ୍ୟ ସେଟ୍ ନିର୍ମାଣ ବାବଦରେ ପ୍ରଯୋଜକ ୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଏ।

ପ୍ରେମରତନ ଧନ୍ ପାୟୋ

ପ୍ରଖ୍ୟାତ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟା ତାଙ୍କର ସିନେମାକୁ ଅଧିକ ଗ୍ଲାମରସ୍ କରିବା ପାଇଁ ମହଙ୍ଗା ସେଟର ଉପଯୋଗ କରିଛନ୍ତି। ସେ ସଲମାନ୍ ଖାନ୍ ଓ ସୋନମ କପୁର ଷ୍ଟାରର ‘ପ୍ରେମ ରତନ୍ ଧନ୍ ପାୟୋ’ରେ ଏକ ରାଜପ୍ରସାଦର ସେଟ୍ ନିର୍ମାଣ କରାଇଥିଲେ। ଏଥିରେ ରାଜସ୍ଥାନର ଐତିହାସିକ ଦୁର୍ଗ ଓ ଶୀଶ ମହଲ ମଧ୍ୟ ଥିଲା। ଏହି ଭବ୍ୟ ସେଟ୍ ବାବଦରେ ପ୍ରଯୋଜନା ସଂସ୍ଥା ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଏ।

‘ରଇସ୍’ର ବମ୍ବେ ସେଟ୍

ସୁପରଷ୍ଟାର୍ ଶାହରୁଖ୍ ଖାନ୍‌ଙ୍କ ଏକ ହିଟ୍ ଫିଲ୍ମ ହେଲା ‘ରଇସ୍’। ଏଥିରେ ୮୦ ଓ ୯୦ ଦଶକର ଗୁଜୁରାଟକୁ  ଦେଖାଇଛନ୍ତି ନିର୍ଦ୍ଦେଶକ ରାହୁଲ ଢ଼ୋଲକିୟା। ଏଥିପାଇଁ ନିର୍ଦ୍ଦେଶକ ମୁମ୍ବାଇର ଫିଲ୍ମସିଟି ଷ୍ଟୁଡିଓ ପରିସରରେ ବମ୍ବେର ଏକ ଭବ୍ୟ ସେଟ୍ ନିର୍ମାଣ କରି ସୁଟିଂ କରିଥିଲେ। ଏହି ସେଟ୍ ନିର୍ମାଣ ବାବଦରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ବୋଲି କୁହାଯାଏ।

ଗୋଲିଓଁ କା ରାସ୍‌ଲୀଲା-ରାମଲୀଲା

କେବଳ ରଣବୀର ସିଂହ ଓ ଦୀପିକାଙ୍କ ଜବରଦସ୍ତ କେମେଷ୍ଟ୍ରି ପାଇଁ ଚର୍ଚ୍ଚାରେ ନ ଥିଲା ଗୋଲିଓଁ କା ରସ୍‌ଲୀଲା- ରାମ୍‌ଲୀଲା। ଏହାର ଅନ୍ୟ ଏକ ଆକର୍ଷଣ ଥିଲା ସେଟ୍। ଏହି ଭବ୍ୟ ସେଟ୍‌ ନିର୍ମାଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

Comment