ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସି ନଥିବାରୁ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି। ତେବେ ଶୁଦ୍ଧିକ୍ରିୟାରେ ନବୀନ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିପାରନ୍ତି ବୋଲି ରାଜନୀତି କରିଡ଼ରରେ ହେଉଛି ଜୋରଦାର ଚର୍ଚ୍ଚା।

ବିଜେଡି ଏବଂ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଏକ ମହାଭାରତ ସୃଷ୍ଟି ହୋଇଛି। ତିନି ମାସର ଛକାପଞ୍ଝା ପରେ ବୈଜୟନ୍ତ ବିଜେଡି ସହ ସମ୍ପର୍କ ତୁଟାଇଛନ୍ତି। ତାଙ୍କ ବାପା ତଥା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ନିଜେ ନବୀନ ଏବଂ ବିଜେଡିର କୌଣସି ନେତା ନଆସିବାକୁ କେନ୍ଦ୍ର କରି ବୈଜୟନ୍ତ ବିଜେଡି ଛାଡ଼ିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ବିଜେଡି ବିରୋଧରେ ନକରତ୍ମକ ହାୱା ବହୁଛି ଏବଂ ବୈଜୟନ୍ତଙ୍କ ପାଇଁ ସକରାତ୍ମକ ମାହୋଲ ସୃଷ୍ଟି ହୋଇଛି। ବିଜେଡିର କୌଣସି ନେତା ନଆସିବାରୁ ରାଜ୍ୟ ରାଜନୀତିରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଏବେ ରାଜନୀତି କରଡରରେ ଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଦ୍ଧିକ୍ରିୟାରେ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇପାରନ୍ତି। ଯଦି ଏହା ସତ ହୁଏ ତାହାଲେ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ବଢ଼ିଥିବା ଦୂରତା ଭିନ୍ନମୋଡ଼ ନେଇପାରେ।

ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ଦର୍ଶାଇ ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପରେ ବି ବୈଜୟନ୍ତ ଏବଂ ବିଜେଡି ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଥମି ନଥିଲା। ବୈଜୟନ୍ତ ଗୋଟିଏ ପଟେ ନବୀନଙ୍କୁ ମୋ ନେତା କହି ସମ୍ମାନ ଜଣାଉଥିବା ବେଳେ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ତୃତୀୟ ମହଲାକୁ ତୀର ମାରି ଚାଲିଥିଲେ। ଏହା ହିଁ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଦଳର ପ୍ରାଥମିକ ସଦସ୍ୟ ପଦରୁ ବୈଜୟନ୍ତଙ୍କୁ ନିଲମ୍ବନ କରାଯାଇଥିଲା।

ବିଜେଡି ସୁପ୍ରିମୋ ଚାହିଁଥିଲେ ସେତେବେଳେ ବୈଜୟନ୍ତଙ୍କୁ ବିଜେଡରୁ ବହିଷ୍କାର କରିପାରିଥାନ୍ତେ। ବୈଜୟନ୍ତ ମଧ୍ୟ ନିଜ ସ୍ୱାଭିମାନ ପାଇଁ ସେତେବେଳେ ଦଳ ଛାଡ଼ି ପାରିଥାନ୍ତେ। ହେଲେ ସେମିତି କିଛି ଘଟିଲା ନାହିଁ। ଦଳରୁ ନିଲମ୍ବିତ ହେବା ପରେ ବି ବୈଜୟନ୍ତ ବିଜେଡିକୁ ବାଣ ମାରି ଚାଲିଲେ ଏବଂ ବିଜେଡି ବି ବୈଜୟନ୍ତ, ତାଙ୍କ ପରିବାର ଏବଂ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲକୁ ଟାର୍ଗେଟ କରି ଆସୁଥିଲେ।

କଥା ସେତିକିରେ ଅଟକି ନଥିଲା। ବୈଜୟନ୍ତ-ବିଜେଡିର ଦୂରତା ଭିତରେ ନୂଆ ନାଟକ ମୁଣ୍ଡ ଟେକିଥିଲା। ବୈଜୟନ୍ତଙ୍କ ରାଜନୀତିକ ସଂଯୋଜକ ଭାବେ ୨୫ ବର୍ଷ ହେଲା କାମ କରୁଥିବା ଦେବାଶିଷ ମଲ୍ଲିକ ଶେଷରେ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କ ବିରୋଧରେ ବିଷୋଦଗାର କରିଥିଲେ।

୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ବିଜେପୁର ଉପ-ନିର୍ବାଚନ ବେଳେ ସାଂସଦ ଦଳ ବିରୋଧୀ କାମ କରିଥିବା ଦେବାଶିଷ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ବିଜେପି ନେତାଙ୍କ ସହ ବୈଜୟନ୍ତଙ୍କର ସମ୍ପର୍କ ଥିବା କଥା ବି ଦେବାଶିଷ କହିବା ପରେ ବିଜେଡି-ବୈଜୟନ୍ତ କଳିରେ ନୂଆ ମୋଡ଼ ଆସିଥିଲା।

ଏହି ଘଟଣାର ଠିକ୍ ଦୁଇ ଦିନ ପରେ ବୈଜୟନ୍ତଙ୍କ ସହଯୋଗୀ ସଲିମ୍ ଖାଁ ଭୁବନେଶ୍ୱରସ୍ଥିତ ବୈଜୟନ୍ତଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ଉପରେ ଦୋଷ ଲଦିଥିଲେ। ବୈଜୟନ୍ତଙ୍କୁ ଛାଡ଼ିବା ପାଇଁ ବିଜେଡିର ‘ପି’ ନାମକ ଜଣେ ନେତା ତାଙ୍କୁ ଫୋନରେ ଧମକ ଦେଇଥିବା ସେ ଅଭିଯୋଗ ଆଣି ରାଜନୀତିକୁ ସରଗରମ୍ କରିଥିଲେ।

ଏହାର ଜବାବ ଦେବାକୁ ଯାଇ ବିଜେଡି ବୈଜୟନ୍ତଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡାଙ୍କୁ ଟାର୍ଗେଟ କରିଥିଲା। ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଅଚାନକ ଓହରିଯିବା ପ୍ରସଙ୍ଗରେ ବିଜେଡି ଜାଗିଙ୍କୁ ଦାୟି କରିଥିଲା। କିଛି ମାସ ତଳେ ଜାଗି ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ହୋଇଥିବାରୁ ତାଙ୍କରି ଚାପରେ ସିଆଆଇ ମେକ୍ ଇନ୍ ଓଡ଼ିଶା କନକ୍ଳେଭ-୨୦୧୮ରୁ ଓହରି ଯାଇଥିବା ବିଜେଡି ଅଭିଯୋଗ କରିଥିଲା। କିନ୍ତୁ ଜାଗି ସେତେବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

ଏହି ପ୍ରସଙ୍ଗ ପରେ ବିଜେଡି-ବୈଜୟନ୍ତ ମଧ୍ୟରେ ଚାଲିଥିବା ବିବାଦ ଥମି ଯାଇଥିଲା। ହେଲେ ଗତ ୨୨ ତାରିଖରେ ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ଦେହାନ୍ତ ଖବର ଶୁଣି ବିଜେପିର ସବୁ ବଡ଼ ନେତା ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇଥିଲେ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତାମାନେ ବୈଜୟନ୍ତଙ୍କ ଘରକୁ ଯାଇ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଯାଇ ବୈଜୟନ୍ତଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ କେବଳ ଟୁଇଟରରେ ଶୋକ ପ୍ରକାଶ କରିଥିଲେ। ନିଜେ ନବୀନ କିମ୍ବା ଦଳର କୌଣସି ନେତା ଶେଷ ଦର୍ଶନ କରିବାକୁ ଆସି ନଥିଲେ।

ବଂଶୀଧରଙ୍କ ଦେହାନ୍ତର ୬ ଦିନ ପରେ ଏହାକୁ ପ୍ରସଙ୍ଗ କରି ବୈଜୟନ୍ତ ବିଜେଡି ଛାଡ଼ିଛନ୍ତି। ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ ଯେ ବିଜେଡିର ନେତାମାନଙ୍କୁ ଏଠାକୁ ଆସିବା ପାଇଁ ବାରଣ କରାଯାଇଥିଲା। ଏହା ମୋତେ ବାଧିଥିବାରୁ ମୁଁ ବିଜେଡି ଛାଡ଼ିବାକୁ ଉଚିତ ମନେକଲି।

ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗରେ ବିଜେଡି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲା। ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର କହିଥିଲେ ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ପରେ ଏନେଇ ଆଲୋଚନା କରାଯିବ। ଏପଟେ ବୈଜୟନ୍ତ ମଧ୍ୟ କହିଛନ୍ତି ଯେ ଶୁଦ୍ଧିକ୍ରିୟା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ।

ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପ୍ରସଙ୍ଗକୁ କେନ୍ଦ୍ରକରି ବୈଜୟନ୍ତ ରାଜନୀତି ପାଣିପାଗକୁ ଉଷୁମ କରିଛନ୍ତି। ବିଜେଡିର କୌଣସି ନେତା ନଆସିବାରୁ ବୈଜୟନ୍ତଙ୍କ ପାଖକୁ ସମବେଦନା ଛୁଟୁଛି। ବୈଜୟନ୍ତଙ୍କ ପରିବାର ମାଲିକାନାରେ ଥିବା ଗଣମାଧ୍ୟମ ମଧ୍ୟ ବିଜେଡିକୁ ସମାଲୋଚନା କରିଛି। ନବୀନଙ୍କ ବାପା ବିଜୁ ପଟ୍ଟନାୟକ ବଂଶୀଧରଙ୍କୁ ବିଦେଶରୁ ଡାକି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ନିବେଦନ କରିଥିଲେ। ହେଲେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ନବୀନ ଆସି ନଥିବାରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହାକୁ ବିଜେଡିର କିଛି ନେତା ଗୁରୁତର ସହ ବିଚାରକୁ ନେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ବୈଜୟନ୍ତ ୩ ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ର  ବିଜେଡି ସଭାପତିଙ୍କ ପାଖକୁ ପଠାଇଛନ୍ତି। ହେଲେ ତାଙ୍କ ଇସ୍ତଫାପତ୍ର ନବୀନ ଗ୍ରହଣ କରିଛନ୍ତି କି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ଦଳ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ।

ଏଣୁ ଏହାକୁ ଭିନ୍ନ ମୋଡ଼ ଦେବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଦ୍ଧିକ୍ରିୟାରେ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏବେ ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ପରେ ବିଜେଡି-ବୈଜୟନ୍ତ ବିବାଦ କେଉଁ ମୋଡ଼ ନେଉଛି ତା’ ଉପରେ ସମସ୍ତଙ୍କ ନଜର।

Comment