ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ସଂଘର୍ଷର କାହାଣୀ ଆପଣ ଶୁଣିଥିବେ। କିନ୍ତୁ ବେବି ହଳଦାରଙ୍କ ଜୀବନର ସଂଘର୍ଷର କାହାଣୀ ଟିକେ ନିଆରା। ପର ଘରେ ଚାକରାଣୀ କାମ କରି ଆଜି ସେ ଜଣେ ଲୋକପ୍ରିୟ ଲେଖିକା ହୋଇପାରିଛନ୍ତି।

ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳର ବେବି ହଳଦାର। ତାଙ୍କୁ ୪ବର୍ଷ ହୋଇଥିଲାବେଳେ ମା’ ଛାଡ଼ି ପଳାଇଥିଲେ। ପରେ ବାପା ଦ୍ଵିତୀୟ ବିବାହ କରିଥିଲେ। ସାବତ ମା’ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ଆରମ୍ଭ କଲେ। ମାତ୍ର ୧୨ବର୍ଷ ହୋଇଥିଲାବେଳେ ତାଙ୍କୁ ବାପା ଓ ସାବତ ମା’ ମିଶି ବିବାହ କରାଇଦେଲେ। ପିଲାବେଳୁ ଦୁଃଖ ସହିସହି ଆସୁଥିବା ବେବି ଭାବିଥିଲେ ବିବାହ ପରେ ତାଙ୍କ ଜୀବନରେ କିଛିଟା ପରିବର୍ତ୍ତନ ଆସିବ। କିନ୍ତୁ ଓଲଟା ହେଲା।

ବିବାହର ପ୍ରଥମ ରାତିରେ ସଇତାନ ସ୍ୱାମୀ ବେବି ସହିତ ବଳାତ୍କାର କରିବାରୁ ଭୟଭୀତ ହୋଇ ଯାଇଥିଲେ ବେବି। ତଥାପି ଭାଗ୍ୟକୁ ଆଦରି ଶାଶୁଘରେ ପଡ଼ିରହିଥିଲେ ସେ। ବିବାହର ବର୍ଷକ ପରେ ଏକ ସନ୍ତାନ ଜନ୍ମ ଦେଲେ ବେବି। ୧୩ବର୍ଷ ପର୍ଯ୍ୟନ୍ତ ସ୍ୱାମୀର ଅତ୍ୟାଚାର ସହିବା ପରେ ଶେଷରେ ଘର ଛାଡିବା ନିଷ୍ପତି ନେଲେ ବେବି ହଳଦାର। ଦୁଇ ଶିଶୁଙ୍କୁ ଧରି ଟ୍ରେନ୍‌ର ଶୌଚାଳୟରେ ବସି ଦିଲ୍ଲୀ ପଳାଇ ଆସିଲେ। ଏହି ନିଷ୍ପତି ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା।

ଦିଲ୍ଲୀରେ ଜଣେ ଅବସରପ୍ରାପ୍ତ ପ୍ରଫେସର ପ୍ରବୋଧ କୁମାରଙ୍କ ଘରକୁ ଆସି କାମ ମାଗିଲେ। ପ୍ରବୋଧ କୁମାର ହେଉଛନ୍ତି ପ୍ରସିଦ୍ଧ ଲେଖକ ପ୍ରେମଚାନ୍ଦଙ୍କ ନାତି। ବେବି ତାଙ୍କ ଘରେ ଚାକରାଣୀ ଭାବେ କାମ କରିବାକୁ ଲାଗିଲେ। ପ୍ରବୋଧଙ୍କ ଘରେ କାମ କରୁ କରୁ ତାଙ୍କ ନଜର ହଠାତ ବଙ୍ଗଳା ଭାଷାରେ ଲେଖାଥିବା ପୁସ୍ତକ ଗୁଡିକ ଉପରେ ପଡ଼ିଲା। ଏହାପରେ ସମୟ ପାଇ ସେହି ପୁସ୍ତକଗୁଡିକ ପଢ଼ିବାକୁ ଲାଗିଲେ। ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ହେତୁ ପ୍ରଥମେ ତାଙ୍କୁ ବୁଝିବାରେ ଅସୁବିଧା ହେଉଥିଲା। ବହି ପଢ଼ିବା ପ୍ରତି ବେବିଙ୍କ ଆଗ୍ରହ ଦେଖି ପ୍ରବୋଧ ତାଙ୍କୁ ବଙ୍ଗଳା ଲେଖିକା ତସଲୀମା ନସରୀନଙ୍କ ପୁସ୍ତକ ସବୁ ପଢ଼ିବା ପାଇଁ କହିଲେ। ବେବି ସବୁ ବହି ପଢ଼ିଲା ପରେ ପ୍ରବୋଧ ତାଙ୍କୁ ଏକ ଖାତା ଦେଇଥିଲେ। କହିଥିଲେ କି ନିଜ ଜୀବନରେ ଘଟିଥିବା କାହାଣୀକୁ ଏହି ଖାତାରେ ଲେଖ।

ପ୍ରଥମେ ବେବି ନର୍ଭସ ଥିଲେ। କାରଣ ସେ ମାତ୍ର ସପ୍ତମ ଯାଏଁ ପଢ଼ିଥିଲେ। ଖାତାରେ କ’ଣ ଲେଖିବେ ସେ ଡିରି ଯାଇଥିଲେ। ହେଲେ ନିଜ ଜୀବନରେ ଘଟିଥିବା ମାର୍ମିକ କାହାଣୀଙ୍କୁ ଖାତାରେ ଲେଖିଥିଲେ। ବେବିଙ୍କର ପ୍ରଥମ ଲେଖାକୁ ଦେଖି ପ୍ରବୋଧଙ୍କ ଆଖିରେ ଲୁହ ଭରିଯାଇଥିଲା। ପ୍ରବୋଧ ଏହାକୁ ହିନ୍ଦୀରେ ଅନୁବାଦ କରି ତାଙ୍କ ପରିବାର, ସାଙ୍ଗ ଓ ପ୍ରିୟଜନଙ୍କୁ ପଢ଼ିବା ପାଇଁ ଦେଇଥିଲେ ।

ସାଙ୍ଗସାଥୀଙ୍କଠାରୁ ବେବିଙ୍କ ଲେଖନୀ ବିଷୟରେ ପ୍ରସଂଶା ମିଳିବା ପରେ ପ୍ରବୋଧ ସେହି ଲେଖାକୁ ବୁକ ପବ୍ଲିସରଙ୍କୁ ଦେଇ ଛପାଇଥିଲେ। ୨୦୦୨ ରେ ବେବି ହଳଧରଙ୍କ ପ୍ରଥମ ପୁସ୍ତକ ‘ଆଲୋ ଅନ୍ଧାରୀ’ ଭାବେ ବଜାରକୁ ଆସିଲା। ପ୍ରଥମେ ନିଜ ଲେଖାରେ ଛପିଥିବା ବହି ଦେଖି କାନ୍ଦି ପକାଇଥିଲେ ବେବି। ଯାହାକି ଇଂରାଜୀ ଭାଷା (ଏ ଲାଇଫ ଲେସ ଅର୍ଡିନାରୀ) ନାଁରେ ମଧ୍ୟ ଅନୁବାଦ କରାଗଲା। ପରେ ୨୪ଟି ଭାଷାରେ ତାଙ୍କ ପୁସ୍ତକ ଅନୁବାଦ କରାଯାଇଥିଲା। ‘ଇଶହାତ ରୂପାନ୍ତର’, ‘ଘରେ ଫେରାର ପଥ’ ଭଳି ୪ଟି ବଙ୍ଗଳା ଭାଷାରେ ପୁସ୍ତକ ଲେଖି ଖ୍ୟାତି ଅର୍ଜନ କରିଛନ୍ତି ବେବି। ବର୍ତ୍ତମାନ ଭାରତ ନୁହେଁ ବରଂ ବିଦେଶ ଯାଇ ମହିଳାମାନଙ୍କୁ ପ୍ରେରଣା ଦେଉଛନ୍ତି ବେବି ହଳଦାର। ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି।

Comment