ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଯଲିଉଡର କେତେକ କଳାକାର ଓଲିଉଡରେ ବି କାମ କରିଛନ୍ତି। ସେମାନଙ୍କ ଭିତରୁ ଯେଉଁ ତିନି ଜଣ ଖଳନାୟକ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା…

ଅଧିକାଂଶ ଯାତ୍ରା କଳାକାରଙ୍କ ମନରେ ପରଦାରେ ମୁହଁ ଦେଖାଇବାର ଲାଳସା ଥାଏ। ଆମେ ଯାତ୍ରା କଳାକାରଙ୍କୁ ବିଶେଷ ସମ୍ମାନ ବା ମର୍ଯ୍ୟାଦା ମିଳୁନଥିଲା ବୋଲି କୁହାଯାଏ। ଏହା ଅବଶ୍ୟ ଭିନ୍ନ କଥା ଯେ ସେମାନେ ସିନେ କଳାକାରଠାରୁ ଅଧିକ ପାରିଶ୍ରମିକ ପାଉଥିଲେ।

ମହେନ୍ଦ୍ର ଦାଶ

ଯଲିଉଡରେ ମହେନ୍ଦ୍ର ଦାଶଙ୍କୁ ସମସ୍ତେ ଭିକୁ ସେଠ୍ ନାଆଁରେ ଜାଣନ୍ତି। ସେ ବହୁ ଚର୍ଚ୍ଚିତ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଭିକୁ ସେଟ୍ ଭୂମିକାରେ ଅଭିନୟ କରି ଷ୍ଟାର୍ ବନିଥିଲେ।

ନବେ ଦଶକରେ ଯଲିଉଡ ଷ୍ଟାର୍ ମହେନ୍ଦ୍ର ଦାଶ ଥିଲେ ସବୁଠୁ ଟପ୍‌ରେ। ଯାହା ମଞ୍ଚରେ ଦର୍ଶକ ତାଙ୍କର ଖଳନାୟକ ରୂପ ଦେଖିବା ଲାଗି ଟିକେଟ୍ କାଟୁଥିଲେ। ଏପରିକି ନାୟକ ଅପେକ୍ଷା ମହେନ୍ଦ୍ର ଦାଶଙ୍କର ଭୂମିକାକୁ ଯାତ୍ରା ନାଟ୍ୟକାର ଓ ନିର୍ଦ୍ଦେଶକମାନେ ଅଧିକ ଗୁରୁତ୍ଵ ଦେଇଥିଲେ ବୋଲି ମଧ୍ୟ କୁହାଯାଏ।

ଏହି କଥାକୁ ଭଲ ଭାବେ ଜାଣିଥିଲେ ନବେ ଦଶକର ଜଣେ ଖ୍ୟାତନାମା ଅଭିନେତା- ନିର୍ଦ୍ଦେଶକ। ସେ ହେଲେ ୰ ହର ପଟ୍ଟନାୟକ। ହର ହିଁ ତାଙ୍କ ନିର୍ଦ୍ଦେଶିତ ଏକ ଓଡ଼ିଆ ସିନେମାରେ ଯଲିଉଡ ଷ୍ଟାର ମହେନ୍ଦ୍ର ଦାଶଙ୍କୁ ଖଳନାୟକ ଭୂମିକାରେ ଦେବା ଲାଗି ପ୍ରଯୋଜକଙ୍କୁ ପରାମର୍ଶ ଦେଇଥିଲେ।

ଯେଉଁ ସିନେମାରେ ମହେନ୍ଦ୍ର ଦାଶ ଅଭିନୟ କରିଥିଲେ ତାହାର ଟାଇଟଲ୍ ହେଲା ‘ଯଶୋଦା’। ୧୯୯୬ରେ ରିଲିଜ୍‌ ହୋଇଥିବା ଏହି ଓଡ଼ିଆ ଛବିର ପ୍ରଯୋଜନା କରିଥିଲେ ସୋ’ମ୍ୟାନ୍ ବସନ୍ତ ନାୟକ। ଏହି ଫିଲ୍ମରେ ମୁଖ୍ୟ ଖଳନାୟନ ଭୂମିକାରେ ଅଭିନୟ କରିଥିଲେ ମହେନ୍ଦ୍ର ଦାଶ।

‘ଯଶୋଦା’ରେ ମହେନ୍ଦ୍ର ଦାଶଙ୍କୁ ଦର୍ଶକ ଦେଖିଥିଲେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ। ହଫ୍‌ତା ଅସୁଲ କରୁଥିବା ସହରର ଏକ ଡନ୍‌ ଭୂମିକା ଥିଲା ତାଙ୍କର। କେତୋଟି ଦୃଶ୍ୟରେ ବାଘ ସହିତ ନଜର ଆସିଥିଲେ ଏହି ଯଲିଉଡ ଷ୍ଟାର ମହେନ୍ଦ୍ର ଦାଶ।

ଯଲିଉଡ ଷ୍ଟାର୍ ମହେନ୍ଦ୍ର ଦାଶ କିନ୍ତୁ ଯାତ୍ରା ଜଗତରେ ଯେଉଁଭଳି ହଇଚଇ ସୃଷ୍ଟି କରିଥିଲେ, ସେଭଳି କରିସ୍ମା ପରଦା ଉପରେ ଦେଖାଇପାରିନଥିଲେ। ଫଳତଃ ଯଶୋଦା ପରେ ମହେନ୍ଦ୍ର ଦାଶ ଅନ୍ୟ କୌଣସି ସିନେମାରେ ଅଭିନୟ କରିନଥିଲେ।

ସଞ୍ଜୟ ଭୋଳ

ଯଲିଉଡର ଅନ୍ୟତମ ଲୋକପ୍ରିୟ ଭିଲେନ୍ ହେଲେ ସଞ୍ଜୟ ଭୋଳ। ସେ ବହୁଯାତ୍ରାରେ ଅଭିନୟ କରି ଦର୍ଶକଙ୍କର ନିକଟତର ହୋଇଛନ୍ତି। ଏହି ଯଲିଉଡ ଷ୍ଟାରଙ୍କ ଲୋକପ୍ରିୟତାକୁ କ୍ୟାସ୍‌ କରିବା ଲାଗି ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) ତାଙ୍କୁ ଓଡ଼ିଆ ସିନେମାରେ ପ୍ରଥମେ ସୁଯୋଗ ଦେଇଥିଲେ।

ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା ନିର୍ଦ୍ଦେଶିତ ଫିଲ୍ମ “କଥା ଦେଇଥିଲି ମା’କୁରେ ପ୍ରଥମେ ଅଭିନୟ କରିଥିଲେ ଯଲିଉଡ ଷ୍ଟାର୍ ସଞ୍ଜୟ ଭୋଳ। ଏଥିରେ ତାଙ୍କର ଭୂମିକାଟି ବିଶେଷ ଗୁରୁତ୍ବପୂର୍ଣ୍ଣ ନଥିଲା ବୋଲି କୁହାଗଲା।

ସିଦ୍ଧାନ୍ତ, ଋତୁପୂର୍ଣ୍ଣା, ବିଜୟ ମହାନ୍ତି ଓ ସାତ୍ୟକୀ ମିଶ୍ର ପ୍ରମୁଖ ଅଭିନୀତ ଏହି ସିନେମା ସଞ୍ଜୟ ଭୋଳେଙ୍କୁ ନିରାଶ କରିଥିଲା। ତେବେ ଓଡ଼ିଆ ସିନେମାରେ ତାଙ୍କର ଅଭିନୟ କରିବାର ସ୍ବପ୍ନ ପୂରଣ ହୋଇଥିଲା।

ଦୈତାରି ପଣ୍ଡା

ଏବେକାର ଯଲିଉଡର ଜଣେ ଚର୍ଚ୍ଚିତ ଚେହେରା ହେଲେ ଦୈତାରି ପଣ୍ଡା। ତାଙ୍କର ପରିଚୟର କୌଣସି ଆବଶ୍ୟକତା ନାହିଁ। ଏବେ ବି ଦର୍ଶକ ଦୈତାରି ପଣ୍ଡାଙ୍କୁ ଯାତ୍ରା ପେଣ୍ଡାଲ ଉପରେ ଦେଖିବାକୁ ଆଗ୍ରହୀ।

ଦୈତାରି ପଣ୍ଡା ଯଲିଉଡର ଜଣେ ହାଇଏଷ୍ଟ ପେଡ୍ କଳାକାର ଭାବେ ପରିଗଣିତ। ଦୈତାରିଙ୍କୁ ଦର୍ଶକ ସର୍ବପ୍ରଥମେ ଓଡ଼ିଆ ସିନେମା ‘ସପନର ନାୟିକା’ରେ ଦେଖିବାକୁ ପାଇଥିଲେ। ଏଥିରେ ତାଙ୍କ ଅଭିନୀତ ଚରିତ୍ରଟି ଥିଲା ନେଗେଟିଭ୍। ଦୀପକ ଓ ପିଙ୍କି ପ୍ରିୟଦର୍ଶିନୀଙ୍କ ଅଭିନୀତ ଏଡି ଓଡ଼ିଆ ସିନେମାରେ ଦୈତାରି ପଣ୍ଡା ପ୍ରଭାବଶାଳୀ ଅଭିନୟ କରିଥିଲେ। ହେଲେ ସିନେମା ଅପେକ୍ଷା ଯାତ୍ରାକୁ ଅଧିକ ଗୁରୁତ୍ବ ଦେଉଛନ୍ତି।

Comment